ଅନ୍ଧବିଶ୍ବାସ ଗଳିରେ ମାଲକାନଗିରି ଆଦିବାସୀଟ୍ଟ; ମେଡିକାଲ ଯିବା ବଦଳରେ ଗୁଣିଆ, ଡିସାରୀ ଉପରେ ହିଁ ଭରସା

ମାଲକାନଗିରି: ମାଲକାନଗିରି ଜିଲ୍ଲା ହେଉଛି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏଠାରେ ପ୍ରାୟ ଅଶୀ ପ୍ରତିଶତ ବିଭିନ୍ନ ସଂପ୍ରଦାୟର ଆଦିବାସୀ ବସବାସ କରିଆସୁଛନ୍ତି। ଏମାନେ ୧୨ ଋତୁରେ ତେର ପର୍ବ ପାଳନ କରିବା ସହ ନିଜର ପାରଂପାରିକ ଢଂଗରେ ବଞ୍ଚିବାକୁ ଭଲ ପାଆନ୍ତି। ଆଦିମ ଯୁଗରୁ ଏମାନେ ଗୁଣିଆ ଓ ଡିସାରୀଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ପର୍ବପର୍ବାଣୀ ହେଉ ବା କୌଣସି ବାହାଘର ହେଉ ଡିସାରୀଙ୍କ ବିନା ଅନୁମତିରେ କିଛି ହୁଏ ନାହିଁ। ପର୍ବପର୍ବାଣୀକୁ ତାରିଖ ଧାର୍ଯ୍ୟ କରିବା ଏବଂ ଲୋକଙ୍କ ଘରେ କିଛି ଉତ୍ସବକୁ ମଧ୍ୟ ଏହି ଡିସାରୀମାନେ ହିଁ ତାରିଖ ଠାରୁ ଆରମ୍ଭ କରି ସବୁ ପୂଜା ଉତ୍ସବର ସମସ୍ତ ବିଷୟ କରିଥାନ୍ତି। ଏବି ପ୍ରାଚୀନ ପରଂପରାକୁ ଆଜି ବି ମାଲକାନଗିରି ଜିଲ୍ଲାର ଆଦିବାସୀ ମାନି ଆସିବା ସହ ତାକୁ ଧରି ହିଁ ଚଳିଆସୁଛନ୍ତି। ସେହିପରି ପାରଂପାରିକ ଚିକିତ୍ସା ବି କିପରି ବାଦ ପଡିଥାନ୍ତି। ରୋଗବୈରାଗ ହେଲେ ଲୋକେ ତୁରନ୍ତ ଗୁଣିଆ କିମ୍ବା ଡିସାରୀଙ୍କ ପାଖକୁ ଦୌଡିଥାନ୍ତି। ତାଂକ ଦ୍ବାରା ଦିଆଯାଇଥିବା ଔଷଧକୁ ହିଁ ବ୍ୟବହାର କରିଥାନ୍ତି। ପ୍ରାଥମିକ ସ୍ତରରେ ସେମାନେ ଗୁଣିଆ ଓ ଡିସାରୀଙ୍କୁ ନିଜର ରୋଗ ବିଷୟରେ କହି ଚିକିତ୍ସା ଆରମ୍ଭ କରିଥାନ୍ତି ପରେ ଗୁରୁତର ହେଲେ ବାଧ୍ୟ ହୋଇ ଗ୍ରାମର କୌଣସି ଶିକ୍ଷିତ ଲୋକଙ୍କ ପରାମର୍ଶରେ ମେଡିକାଲକୁ ଯିବାକୁ ବାହାରିଥାନ୍ତି। ତେବେ ସେତେବେଳକୁ ବହୁ ଡେରି ହୋଇଯାଇଥାଏ।

ଜିଲ୍ଲାରେ ଗରିବ ରେଖା ତଳେ ବହୁ ଲୋକ ବସବାସ କରୁଥିବାରୁ ସେମାନେ ମେଡିକାଲ ଯାଇ ଖର୍ଚ୍ଚାନ୍ତ ହେବା ବଦଳରେ ଡିସାରୀଙ୍କ ଉପରେ ନିର୍ଭର କରିଥାନ୍ତି। ଏହା ପ୍ରାୟତଃ ସବୁ ଗ୍ରାମରେ ଦେଖିବାକୁ ମିଳେ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଡିସାରୀ ମାନେ ଚିକିତ୍ସା କରିବାରେ ପାରଙ୍ଗମ ବୋଲି ବିଶ୍ବାସ ଜମାଇଥାନ୍ତି। ତେଣୁ ଆଦିବାସୀ ଲୋକେ ନିଜ ଅଂଚଳରେ ଥିବା ଗୁଣିଆ ଓ ଡିସାରୀଙ୍କୁ ପ୍ରଥମେ ବିଶ୍ବାସ କରିଥାନ୍ତି।ଏବେ ବି ବିଭିନ୍ନ ଗ୍ରାମରେ ଡିସାରୀମାନେ ନିଜର କ୍ଲିନିକ ଖୋଲି ଦେଇଛନ୍ତି। ଯେଉଁଠି ସକାଳରୁ ସଂଧ୍ୟା ପର୍ଯ୍ୟନ୍ତ ଲୋକଙ୍କର ଭିଡ ଜମେ।ଯଦି ଉଦାହରଣ ସ୍ବରୂପ ନେବା ତେବେ ଗତ କିଛି ମାସ ତଳେ ଜିଲ୍ଲାର ବିଭିନ୍ନ ଗ୍ରାମରେ ଅଜଣା ରୋଗ ବ୍ୟାପିଥିଲା। ତେବେ ଲୋକେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଗ୍ରାମର ଡିସାରୀ ପାଖରେ ରନ୍ଧାବଡା କରି ଖାଇ ରହି ନିଜର ଚିକିତ୍ସା କରାଉଥିବା ଦେଖିବାକୁ ମିଳିଥିଲା।

Sambad

ଦିନ ଦିନ ଡିସାରୀଙ୍କ ଘରେ ରହି ଚିକିତ୍ସା ହେବା ପରେ ମଧ୍ୟ ସୁଫଳ ନମିଳିବା ପରେ ବାଧ୍ୟ ହୋଇ ମେଡିକାଲକୁ ଯିବାକୁ ବାହାରିଥାନ୍ତି। ଆଉ କିଛି ତ ମେଡିକାଲ ଯିବା ପୂର୍ବରୁ ହିଁ ମୃତ୍ୟୁବରଣ କରିଥାନ୍ତି। ଏବେ ମାଲକାନଗିରି ଜିଲ୍ଲାରେ ଗୁଣିଆ ଓ ଡିସାରୀଙ୍କ ଦବଦବା ରହିଥିବା ବେଳେ ପ୍ରଶାସନ ମଧ୍ୟ ଲୋକଙ୍କୁ ସଚେତନ କରାଇବାରେ ବିଫଳ ହେଉଥିବା ଦେଖିବାକୁ ମିଳିଛି। ଗୁଣିଆ ଡିସାରୀଙ୍କ ପାଖକୁ ନଯାଇ ମେଡିକାଲକୁ ଆସିବାକୁ ଜିଲ୍ଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ରଥ ମଧ୍ୟ ବାହାର କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। କିନ୍ତୁ ଜିଲ୍ଲାର ଆଦିବାସୀ ଗ୍ରାମ ଗୁଡିକରେ ଏହାର କୌଣସି ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଛି।

ପ୍ରତିବର୍ଷ ଶତାଧିକ ଲୋକ ମେଡିକାଲ ନଯାଇ ଡିସାରୀ ଉପରେ ନିର୍ଭର କରି ଅକାଳରେ ମୃତ୍ୟୁବରଣ କରୁଥିବା ନଜିର ରହିଛି। ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ସ୍ବାସ୍ଥ୍ୟ କର୍ମୀ ପହଞ୍ଚି ଲୋକଙ୍କୁ ସେବା ଯୋଗାଉଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡୁନଥିବା କୁହାଯାଇଛି। ସେହିପରି ଅଂଗନବାଡି ଏବଂ ଆଶାକର୍ମୀମାନେ ମଧ୍ୟ ଗ୍ରାମ ଗୁଡିକରେ ରହୁଥିଲେ ମଧ୍ୟ ଲୋକେ ମେଡିକାଲ ବଦଳରେ ଡିସାରୀଙ୍କ ପାଖକୁ ଯିବାକୁ ପ୍ରଥମେ ପସନ୍ଦ କରିଥାନ୍ତି। ପ୍ରତ୍ୟେକ ଗ୍ରାମରେ ଯଦି ଗ୍ରାମ ମୁଖିଆ, ସ୍ବାସ୍ଥ୍ୟକର୍ମୀ, ଅଂଗନବାଡି ଏବଂ ଆଶା ଦିଦିମାନଙ୍କୁ ନେଇ ସ୍ବାସ୍ଥ୍ୟ ବିଭାଗ ସଚେତନ କରାଇବ ତେବେ ଆଉ କିଛି ବର୍ଷରେ ଲୋକେ ନିଶ୍ଚିତ ସଚେତନ ହୋଇ ଡିସାରୀ ବଦଳରେ ମେଡିକାଲକୁ ପ୍ରଥମେ ଆସିବେ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର