ବଣ୍ଡାଙ୍କୁ ଛୁଇଁଲା କରୋନା; ବଣ୍ଡାଘାଟିର ଦୁଇ ପଞ୍ଚାୟତରେ ଏବେ କରୋନା ଭୟ

ମାଲକାନଗିରି: କରୋନା ମହାମାରୀର ପ୍ରଥମ ଲହରୀରେ ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତିଙ୍କ ଛୁଇଁ ପାରିନଥିବା ବେଳେ ଦ୍ବିତୀୟ ଲହରିରେ ମଧ୍ୟ ଭାଗରେ ବଣ୍ଡାଙ୍କୁ ଛୁଇଁଛି କରୋନା। ବଣ୍ଡାଘାଟିରେ ମୋଟ ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡାରେ ୧୨ଟି ପୋଜିଟିଭ ଚିହ୍ନଟ ହୋଇଥିବା ବେଳେ ସଂକ୍ରମିତ ଅଂଚଳକୁ ଘୋଷଣା କରାଯାଇଛି କଣ୍ଟେନମେଣ୍ଟ ଜୋନ୍‌।

ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରାଯାଇ କରୋନା ଟେଷ୍ଟିଂ ଜାରି ରଖିଥିବା ବେଳେ କରୋନା କଟକଣାକୁ କିନ୍ତୁ ମାନୁ ନାହାଁନ୍ତି ବଣ୍ଡା ସଂପ୍ରଦାୟର ଲୋକେ। କରୋନାକୁ ନେଇ ବଣ୍ଡା ସଂପ୍ରଦାର ଲୋକେ ସେତେଟା ସଚେତନ ନଥିବା ବେଳେ ନା ପିନ୍ଧୁଛନ୍ତି ମାସ୍କ ନା ସାମାଜିକ ଦୂରତା ରକ୍ଷା କରୁଛନ୍ତି। ଘାଟିରେ ସୀମାନ୍ତରେ ଥିବା ଆନ୍ଧ୍ରପ୍ରଦେଶର ହାଟଗୁଡିକ ଉପରେ ନିର୍ଭର କରୁଥିବାରୁ ଏହା ଆନ୍ଧ୍ର ଷ୍ଟ୍ରେନ ବୋଲି ଅନୁମାନ କରାଯାଉଛି।

କରୋନାକୁ ନେଇ ସାରା ବିଶ୍ବରେ ହାହାକାର ପଡିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏବେ ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି। ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତ ସଦର ମହକୁମାରେ ଏବେ ସ୍ଥିତି ବିଗିଡିବାରେ ଲାଗିଲାଣି। କରୋନାକୁ ନେଇ ରାଜ୍ୟ ସରକାର କେତେ କଣ କଟକଣା ଜାରି କରିଥିବା ବେଳେ ବଣ୍ଡା ସଂପ୍ରଦାୟଙ୍କ ପାଖରେ ପହଞ୍ଚିପାରିନି କଟକଣା। ସାଧାରଣ ଭାବେ ଯେମିତି ଚଳପ୍ରଚଳ ହୋଇଥାଏ। ଆଜି ବି ସ୍ଥିତି ସେୟା। କେଉଁଠି କାଁ ଭାଁ ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳିଛି ବଣ୍ଡାଘାଟିରେ। ବଣ୍ଡାଘାଟିର ଅଣ୍ଡ୍ରାହାଲର ଅନ୍ୟ ଗାଁଗୁଡିକରେ ମଧ୍ୟ ସେହି ଏକା ସ୍ଥିତି। କରୋନା ମହାମାରୀ କଣ ଓ କିଭଳି ଏହାଠାରୁ ଦୂରେଇ ରହିବେ ସତେ ଯେମିତି ଅଜଣା ଏହି ଗାଁକୁ। ଏଠି ମଧ୍ୟ ସେହି ସାଧାରଣ ଦିନ ଭଲି ଚଳପ୍ରଚଳ ରହିଛି ବଣ୍ଡା ଜନଜାତିଙ୍କ ମଧ୍ୟରେ।

Sambad

କେବଳ ଯେ ଏହି ଦୁଇଟି ଗାଁ ନୁହେଁ ସମସ୍ତ ବଣ୍ଡାଘାଟିରେ ଥିବା ୩୨ଟି ଗ୍ରାମରେ ଏଭଳି ଚିତ୍ର। ପ୍ରଥମ ଲହରିରେ ବଣ୍ଡାକୁ କରୋନା ଛୁଇଁ ପାରିନଥିବା ବେଳେ ଏବେ କିନ୍ତୁ ଘାଟିରେ ୧୨ ଜଣ ପୋଜିଟିଭ ଚିହ୍ନଟ ହୋଇଛନ୍ତି। ୧୨ ଜଣଙ୍କ ମଧ୍ୟରେ ମୁଦୁଲିପଡା ପଞ୍ଚାୟତର ୮ ଜଣ ଥିବା ବେଳେ ଅଣ୍ଡ୍ରାହାଲ ପଞ୍ଚାୟତର ୪ ଜଣ ରହିଛନ୍ତି। ଆନ୍ଧ୍ର ହାଟ ପରେ ବିଶେଷ ଭାବେ ନିର୍ଭର କରିବା ଏବଂ ବାହାର ରାଜ୍ୟରେ ଦାଦନ ଖଟି ଘରକୁ ଫେରିଥିବା ପ୍ରବାସୀମାନେ ମଧ୍ୟ ଏହାର କାରଣ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଏ। କରୋନାକୁ ବଣ୍ଡା ଘାଟି ଚିନ୍ତାରେ ଥିବା ବେଳେ ବଣ୍ଡାଙ୍କୁ ସଚେତନତା କରିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି। ବଣ୍ଡା ସଂପ୍ରଦାୟର ଲୋକଙ୍କୁ କରୋନା ଛୁଇଁବା ପରେ ପ୍ରଶାସନର କିଛି ମାତ୍ରାରେ ତତ୍ପରତା ଦେଖିବାକୁ ମିଳିଛି। ସଂକ୍ରମିତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ କଣ୍ଟାକ୍ଟ ଟ୍ରେସିଂ କରି କରୋନା ଟେଷ୍ଟିଂକୁ ବଢାଇ ଦିଆଯାଇଛି। ଡାକ୍ତରି ଟିମ ପହଞ୍ଚି ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ସଚେତନତା ମଧ୍ୟ କରିଛି। ସଂକ୍ରମିତ ୧୨ ଜଣଙ୍କ ଅବସ୍ଥା ଠିକ ରହିଥିବା ଡାକ୍ତର କହିଛନ୍ତି। ଆଦିମ ଜନଜାତି ବଣ୍ଡାକୁ ବେଳ ଥାଉଣୁ ସଚେତନ ଦିଗରେ ଗୁରୁତ୍ବ ନଦେଲେ ଆଗାମୀ ଦିନରେ ଘାଟିରେ ସ୍ଥିତି ମଧ୍ୟ ବିଗିଡିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର