ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମହାମାରୀ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ ଏହାକୁ ପାଳନ କରିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲାର ସଂକ୍ରମିତ ଦୁଇ କରୋନା ରୋଗୀ ଗତ ୧୧ ତାରିଖ ଦିନ ସୁସ୍ଥ ହୋଇ ରାଉରକେଲା କୋଭିଡ୍ ହସପିଟାଲରୁ ଡିସଚାର୍ଜ ହେଉଥିବା ଘୋଷଣା ପରଠୁ ଜିଲ୍ଲାରେ ଆଶ୍ବସ୍ତି ପ୍ରକାଶ ପାଇଛି ସତ, ମାତ୍ର ଲୋକେ ସତର୍କତାକୁ ସଂପୂର୍ଣ୍ଣ ଭୁଲି ଯାଉଥିବା ଳକ୍ଷ୍ୟ କରାଯାଉଛି।
କରୋନା ମୁକାବିଲାର ମୂଳମନ୍ତ୍ର ସାମାଜିକ ଦୂରତ୍ବକୁ ଲୋକେ ଏବେ ଅଣଦେଖା କରିବା ଆରମ୍ଭ କଲେଣି। ପୁଲିସ ଭୟରେ ସାମାଜିକ ଦୂରତ୍ବ ପାଳନ କରୁଥିବା ଲୋକମାନେ ଏବେ ପୁଲିସ ନଥିବାରୁ ତାକୁ ପାଳନ କରୁନଥିବା ଦେଖାଯାଇଛି। ଗତ ଦୁଇ ଦିନ ହେଲା ସହରର ସମସ୍ତ ଦୋକାନ ଖୋଲାଯାଇଥିବାରୁ ସହରରେ ସ୍ବାଭାବିକ ପରିସ୍ଥିତି ଫେରି ଆସିଛି। ରାସ୍ତା କଡ଼ ଜଳଖିଆ, କପଡ଼ା, ପାନ ଦୋକାନ, ଚା’ ଦୋକାନ ସବୁ ଖୋଲିଯାଇଛି। ତେବେ ହୋଟେଲ, ରେଷ୍ଟୁରାଣ୍ଟ, ସେଲୁନ୍, ଜିମ୍, ବିୟୁଟି ପାର୍ଲର ଖୋଲିବାକୁ ଅନୁମତି ଏ ପର୍ଯ୍ୟନ୍ତ ମିଳିନାହିଁ। ଶୁକ୍ରବଜାର ଭିତରେ ପରିବା ବଜାରରେ ଲୋକେ ଆଦୌ ସାମାଜିକ ଦୂରତ୍ବ ମାନୁ ନଥିବା ଦେଖାଯାଇଛି।
ଘରୁ ପଦାକୁ ବାହାରିଲେ ମାସ୍କ୍ ବାଧ୍ୟତାମୂଳକ ହୋଇଥିବା ବେଳେ ବଜାରରେ ବହୁ ପରିବା ବିକାଳି ଓ ଗ୍ରାହକ ମୁହଁରେ ମାସ୍କ୍ ବ୍ୟବହାର କରୁନଥିବା ଦେଖାଯାଇଛି। ମାସ୍କ୍ ନଲଗାଇଲେ ଦୋକାନରେ ଜିନିଷ ନଦେବାକୁ ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଉଥିବା ବେଳେ ଏହା ମଧ୍ୟ ଫୁ ହୋଇ ଯାଇଛି। ଲକ୍ଡାଉନ୍- ୧ ଓ ୨ ରେ ଯେମିତି ପୁଲିସ ଆଗ୍ରହର ସହିତ କାର୍ଯ୍ୟ କରୁଥିଲା ଏବେ ଲକ୍ଡାଉନ୍-୩ ତାହା ଆଉ ନାହିଁ। ରାସ୍ତା ଘାଟରେ ପୁଲିସ ଆଉ ଦେଖାଯାଉନଥିବା ବେଳେ କାଁଭାଁ ଛକ ମାନଙ୍କରେ ପୁଲିସ ଛାଇରେ ବସି ରହୁଥିବା ଦେଖିବାକୁ ମିଳୁଛି। ପୁଲିସ ପ୍ରଶାସନ ଢ଼ିଲା ହେବା ଦେଖି ଲୋକେ ମଧ୍ୟ ଏବେ କରୋନା କଟକଣାକୁ ମାନିବା ମୁଡ଼୍ରେ ନାହାନ୍ତି।
ରାସ୍ତାଘାଟ ଏବେ ଭିଡ଼ ହେବା ଦେଖାଯାଉଛି। ଦୁଇ ଚକିଆ, ଚାରି ଚକିଆର ଅବାଧ ଚଳାଚଳ ଯୋଗୁଁ ସହର ଭିତରେ ଚଳଚଞ୍ଚଳ ହୋଇ ପଡ଼ିଛି। ଅବଶ୍ୟ ଜିଲ୍ଲା ପ୍ରଶାସନ ଦୋକାନ ଖୋଲିବା ସମୟ ସକାଳ ୬ ଟାରୁ ୧ ଟା ମଧ୍ୟରେ ସମୟ ନିର୍ଘଣ୍ଟ କରିଥିବାରୁ ୧ ଟାପରେ ସବୁ ଦୋକାନ ବନ୍ଦ ହୋଇଯାଉଛି। ତେବେ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ହୋଇ ପରିନାହିଁ। ଗୋଟିଏ ପଟେ ସନ୍ଧ୍ୟା ୭ ରୁ ସକାଳ ୭ ଟା ସରକାର କର୍ଫୁ ଘୋଷଣା କରିଥିବା ବେଳେ ଏଠାରେ ସକାଳ ୬ ଟାରୁ ଦୋକାନ ଖୋଲିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାରୁ ସରକାରଙ୍କ ବିଭିନ୍ନ ଘୋଷଣା ଉପରେ ଜନସାଧାରଣ ଏବେ ମଧ୍ୟ ଦ୍ବନ୍ଦ ଭିତରେ ରହିଛନ୍ତି।
ଝାରସୁଗୁଡ଼ା ଜିଲ୍ଲାର ଦୁଇ କରୋନା ସଂକ୍ରମିତ ଯଦିଓ ସୁସ୍ଥ ହୋଇଥିବା ସରକାର ଘୋଷଣା କରିଛନ୍ତି ତେବେ ସଂକ୍ରମିତ ବ୍ରଜରାଜନଗର ବୁଢ଼ିଜାମ ଓ ଲଖନପୁର କଡ଼ୋଲୋଇ ଡହଲଡେରା ଅଞ୍ଚଳର ସବୁ ସନ୍ଧିଗ୍ଧଙ୍କ ସ୍ବାବ୍ ରିପୋର୍ଟ ଆସିନଥିବାରୁ ଏବେବି ଉଭୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ରୁ ମୁକ୍ତ କରାଯାଇ ନାହିଁ। ସ୍ବାସ୍ଥ୍ୟ ବିଭାଗ ଠାରୁ ଆଜିସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ବ୍ରଜରାଜନଗର ବୁଢ଼ିଜାମ୍ କଣ୍ଟେନମେଣ୍ଟ ଜୋନ୍ର ୨୬୦ ଜଣଙ୍କ ସ୍ବାବ୍ ପରୀକ୍ଷା ପାଇଁ ଯାଇଥିବା ବେଳେ ଏଥିରୁ ୨୦୭ ଜଣଙ୍କ ରିପୋର୍ଟ ଆସିଛି। ସେହିପରି ଡହଲଡେରା କଣ୍ଟେନ୍ମେଣ୍ଟ ଜୋନ୍ରୁ ପରୀକ୍ଷା ପାଇଁ ଯାଇଥିବା ୩୧୦ ସ୍ବାବ୍ ମଧ୍ୟରୁ ୨୪୨ ଜଣଙ୍କ ରିପୋର୍ଟ ଆସିଛି।