ସୁନ୍ଦରଗଡ଼: ବିସ୍ଥାପିତଙ୍କୁ ପୁନର୍ବାସ, ଥଇଥାନ ସହ ନୀତି ଅନୁସାରେ ଅନ୍ୟ ସୁବିଧା ଦେବାକୁ ମହାନଦୀ ଖୋଲା ମୁହଁ କୋଇଲା ଖଣି (ଏମସିଏଲ) କୁଣ୍ଠା ପ୍ରକାଶ କରୁଥିବା, ଏପରିକି ସୁପ୍ରିମକୋର୍ଟଙ୍କ ଆଦେଶକୁ ବି ଅବମାନନା କରୁଥିବା ଅଭିଯୋଗ କରି ୨ ତାରିଖରେ ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି ବିସ୍ଥାପିତ। ୨ ତାରିଖରେ ଜିଲ୍ଲା ପ୍ରଶାସନର ଆଲୋଚନା ବିଫଳ ହେବା ପରେ ସୋମବାର ଦ୍ବିତୀୟ ଦିନରେ ଏମସିଏଲ ବୈଷୟିକ ନିର୍ଦ୍ଦେଶକଙ୍କ ସହ ଅନ୍ୟ ଅଧିକାରୀମାନେ ଆସି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଉପସ୍ଥିତିରେ ଆନ୍ଦୋଳନରତ ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ତାହା ମଧ୍ୟ କୌଣସି ନିଷ୍କର୍ଷରେ ପହଞ୍ଚି ପାରି ନାହିଁ। ପୁନର୍ବାସ, ଥଇଥାନ, ନିଯୁକ୍ତି ପ୍ରସଙ୍ଗରେ ଏମସିଏଲ କେବଳ ମିଛ ପ୍ରତିଶ୍ରୁତି ଦେଇ ଧିରେ ଧିରେ ବିସ୍ଥାପିତଙ୍କ ବିଶ୍ବାସ ହରାଉଥିବା ଆନ୍ଦୋଳନକାରୀ ପ୍ରକାଶ କରିଥିଲେ। ପ୍ରଶାସନ ଓ କ୍ଳେମ୍ କମିସନଙ୍କ ନିର୍ଦ୍ଦେଶକୁ ଏମସିଏଲ ମାନୁ ନଥିବା ଏବଂ ରାୟକୁ ବିଭିନ୍ନ ସମୟରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ବର୍ଷ ବର୍ଷ ଗଡ଼ାଇ ନେଉଥିବାରୁ ଏଥର ଠୋସ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ବିସ୍ଥାପିତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସ୍ପଷ୍ଟ ଶୁଣାଇ ଦେଇଛନ୍ତି।

Advertisment

ଅଭିଯୋଗ ରହିଛି, ଗତ ୩ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟ ୯ ମାସ ମଧ୍ୟରେ ତୁମୁଲିଆ ଓ ଝୁପୁରୁଙ୍ଗା ଗାଁ ସହ ୧୪ ଖଣ୍ଡ ଗାଁ ବିସ୍ଥାପିତଙ୍କୁ କ୍ଷତିପୂରଣ ଓ ପୁନର୍ବାସ, ଥଇଥାନ ସୁବିଧା ପ୍ରଦାନ ଶେଷ କରିବାକୁ ଆଦେଶ ଦେଇଥିଲେ। କିନ୍ତୁ ୭ ମାସ ବିତିଯିବା ପରେ ବି ଏ ଦୁଇ ଗାଁର ହାତଗଣତି ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଇଛି। ୧୪ଟି ବିସ୍ଥାପିତ ଗାଁ ସମେତ ଥଇଥାନ ଓ ପୁନର୍ବାସ ଆଇନ ୨୦୧୩ ନୀତି ଲାଗୁ ହୋଇଥିବା ତୁମୁଲିଆ, ଝୁପୁରୁଙ୍ଗା, ରତନସରା ଓ କିରିପସିରା ବିସ୍ଥାପିତଙ୍କ ପାଇଁ ଏଯାଏଁ ଥଇଥାନ ଓ ପୁନର୍ବାସ ସ୍ଥାନ ବା ଗୃହ ନିର୍ମାଣ ଭୂମି ଚୂଡ଼ାନ୍ତ କରାଯାଇ ନାହିଁ।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ବିସ୍ଥାପିତଙ୍କୁ ୧୦ ଡିସିମିଲ ଘରଡିହ ଓ ଗୃହ ନତୁବା ଏକକାଳୀନ ସାଢ଼େ ୧୪ ଲକ୍ଷ ପ୍ରଦାନ, ଡିହ ନେବାକୁ ଚାହୁ ନଥିବା ବିସ୍ଥାପିତ ପରିବାକରୁ ୨୫ ଲକ୍ଷ ଦିଆଯିବା କଥା। କିନ୍ତୁ ଏଯାଏ କମ୍ପାନି ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ସେହିପରି ଜଣକୁ ବି ବିସ୍ଥାପନ ପ୍ରମାଣପତ୍ର ପ୍ରଦାନ କରାଯାଇ ନାହିଁ। ଓଡ଼ିଶା ସରକାରଙ୍କ ଥଇଥାନ ଓ ପୁନର୍ବାସ ନୀତି ୨୦୦୬ ଓ ସଂଶୋଧିତ ନୀତି ୨୦୧୩ ଅନୁଯାୟୀ ୧୪ଟି ଗାଁ ବିସ୍ଥାତପିତ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ ପାକଇଁ ୨୦୨୨ ଅକ୍ଟୋବର ୧୬ରେ ଅନୁଷ୍ଠିତ ବୈଠକରେ ଏମସିଏଲ କର୍ତ୍ତୃପକ୍ଷ ରାଜି ହୋଇଥିଲେ। କିନ୍ତୁ ଏଯାଏ ଜଣକୁ ବି ନିଯୁକ୍ତି ଦିଆଯାଇ ନାହିଁ। ଏ ପ୍ରସଙ୍ଗରେ ୮ ମାସ ତଳେ ଜିଲ୍ଲା ପ୍ରଶାସନ, ଏମସିଏଲ କର୍ତ୍ତୃପକ୍ଷ ଓ ବିସ୍ଥାପିତଙ୍କ ମଧ୍ୟରେ ତ୍ରିପାକ୍ଷିକ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏମସିଏଲ ତାକୁ ଏଯାଏଁ କାର୍ଯ୍ୟକାରୀ ନକରି ପକାଇ ରଖିଛି । ଏଥିରେ ଅସନ୍ତୁଷ୍ଟ ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ସୁରକ୍ଷା ଅଧିକାର ମଞ୍ଚ ୨ ଦିନ ହେଲା ଏମସିଏଲ ଅଫିସ ସମେତ ବସୁନ୍ଧରା, କୁଲଡା, ଗର୍ଜନବାହାଲ, ସିଆରମାଲ ଖଣି ଓ ସରଡେଗା ରେଲୱେ ସାଇଡିଂକୁ ବନ୍ଦ କରି ଦେଇଛନ୍ତି।