ଶିବରାତ୍ରୀରେ କୋଭିଡ୍‌ କଟକଣା ବାଧକ; ହୁମା ମନ୍ଦିର ରାସ୍ତାରେ ଥିବା ବୃଷଭଙ୍କୁ ପୂଜାର୍ଚ୍ଚନା କରି ପ୍ରଭୁଙ୍କୁ ସ୍ମରଣ କରୁଛନ୍ତି ଶ୍ରଦ୍ଧାଳୁ

ବନ୍ଦ ହେଲା ପ୍ରସିଦ୍ଧ ହୁମା ମେଳା, ଲକ୍ଷାଧିକ ଭକ୍ତ ନିରାଶ

ସମ୍ବଲପୁର: ଆଜି ହେଉଛି ପଵିତ୍ର ମହାଶିବରାତ୍ରୀ । ଭକ୍ତଙ୍କ ପାଇଁ ପ୍ରଭୁ ମହାଦେବଙ୍କର ପବିତ୍ର ଆରାଧନାର ଦିନ। ଏହିଦିନ ପ୍ରଭୁଙ୍କ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଲିଥାଏ । ତେବେ କୋଭିଡ୍‌-୧୯ କଟକଣା ପାଇଁ ଏଥର ଭକ୍ତଙ୍କ ଶିବାଳୟ ପ୍ରବେଶ ଉପରେ କଟକଣା ଥିବାରୁ ବିଭିନ୍ନ ଭକ୍ତବିନା ଶିବରାତ୍ରୀ ପାଳନ ହେଉଛି। ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହୁମାସ୍ଥିତ ‘ବିମଲେଶ୍ୱର ବାବା’ଙ୍କ ବକ୍ର ମନ୍ଦିର ଠାରେ ମଧ୍ୟ କୋଭିଡ ପାଇଁ ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା। କେବଳ ବିଧିରକ୍ଷା ପାଇଁ ସେବାୟତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି ।

କୋଭିଡ୍‌ କଟକଣା ପାଇଁ ଚଳିତ ବର୍ଷ ହେଲାନାହିଁ ପ୍ରସିଦ୍ଧ ହୁମା ମେଳା । ସାତ ଦିନ ଧରି ହୁମା ଗାଁ ଦାଣ୍ଡ ପଡ଼ିଆରେ ବସୁଥିବା ହୁମା ମେଳା ବନ୍ଦ ହୋଇଯାଇଛି। ଅଷ୍ଟସମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ପ୍ରସିଦ୍ଧ ହୁମା ବକ୍ର ମନ୍ଦିର ଠାରେ ପୁଜା ପାଇଥାନ୍ତି ବାବା ବିମଲେଶ୍ୱର । ପ୍ରତିବର୍ଷ ପବିତ୍ର ମହାଶିବରାତ୍ରୀ ହୁମାରେ ଅନୁଷ୍ଠିତ ହୋଇଥାଏ। ଏଥିରେ ସମ୍ବଲପୁର ସମେତ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇ ବାବା ବିମଲେଶ୍ୱରଙ୍କ ଦର୍ଶନ କରିବା ସହ ହୁମା ମେଳାର ମଜା ନେଇଥାନ୍ତି । ଏଥର କିନ୍ତୁ କଟକଣା। ହୁମା ମନ୍ଦିର ପରିସର ଖାଁ ଖାଁ ପରିସ୍ଥିତି ଦେଖିବାକୁ ମିଲୁଛି । ଭକ୍ତମାନେ ମନ୍ଦିର ଯାଇ ନ ପାରି ହୁମା ମନ୍ଦିରରାସ୍ତାରେ ଥିବା ବୃଷଭଙ୍କୁ ପୂଜାର୍ଚ୍ଚନା କରି ପ୍ରଭୁଙ୍କୁ ସ୍ମରଣ କରୁଥିବା ଦେଖିବାକୁ ମିଳୁଛି।

ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଦେଖା ଦେଇଥିବାରୁ ଚଳିତ ବର୍ଷ ହୁମା ମେଳାକୁ ଆୟୋଜନ ନ କରିବାକୁ ପୁର୍ବରୁ ମନ୍ଦିର ଯାତ୍ରା କମିଟି, ସେବାୟତ ଓ ପ୍ରସାସନର ମିଲିତ ଵୈଠକରେ ନିଷ୍ପତ୍ତି ନିଆଯାଇଥିଲା । ହୁମା ମେଳା ମହାଶିବରାତ୍ରୀରୁ ଆରମ୍ଭ ହୋଇ ସାତ ଦିନ ଯାଏ ଆୟୋଜିତ ହୋଇଥାଏ। ଏଠାରେ ମିନାବଜାର ସହ ବହୁ ଦୋକାନ ଓ ବଜାର ବସିଥାଏ । ମେଲା ହେଲେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ହୁମା ମେଳା ଵନ୍ଦ କରାଯାଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି । ତେବେ ଶିବରାତ୍ରୀ ସମୟରେ ସେବାୟତମାନେ ପୂର୍ବଭଳି ମନ୍ଦିରରେ ବାବା ବିମଳେଶ୍ବରଙ୍କ ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର