ଲିଜ୍ ଜମିରେ ପ୍ରସ୍ତାବିତ ସିଫୁଡ୍ ପାର୍କ ନିର୍ମାଣ ବିରୋଧରେ ବିକ୍ଷୋଭ

ଖୋର୍ଦ୍ଧା : ରାଜ୍ୟ ସରକାର ଜଟଣୀ ନିକଟରେ ମେଣ୍ଢାଶାଳ ଠାରେ ଏକ ଉନ୍ନତମାନର ମତ୍ସ୍ୟଚାଷ ସମ୍ପର୍କିତ ଶିଳ୍ପ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଇଡକୋ ପକ୍ଷରୁ ଜମି ଚିହ୍ନଟ କରାଯାଇଛି । ତେବେ ଚିହ୍ନଟ ଜମିରେ ନିଜର ମାଲିକାନା ଦାବି କରି ଆଜି ଶତାଧିକ ଲୋକ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆଜି ପୂର୍ବାହ୍ଣ ସାଢ଼େ ୧୦ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୁର ରାଉତରାୟ ଓ ଅନ୍ୟ ଅଭିଯୋଗକାରୀମାନେ ଧାରଣା ଦେଇଥିଲେ । ବିଧାୟକ ରାଉତରାୟଙ୍କ କହିବାନୁସାରେ, ମେଣ୍ଢାଶାଳ ଗ୍ରାମରେ ଗତ ୬୦-୭୦ ବର୍ଷ ଧରି ହରିଜନ ପରିବାର ଘର ଓ ଚାଷବାସ କରି ରହିଛନ୍ତି । ତେବେ ଜଣେ ଶିଳ୍ପପତି ଉକ୍ତ ଅଂଚଳରେ କାରଖାନା କରିବ ବୋଲି ସେମାନଙ୍କୁ ଉଚ୍ଛେଦ କରିବାକୁ ବ୍ୟବସ୍ଥା କରିଛନ୍ତି । ଏହାକୁ ଇଡକୋ ସହାୟତା ଦେଉଛି । ସେହିଭଳି ମେଣ୍ଢାଶାଳ ସରପଂଚ ମମତା ବେହେରା କହିଛନ୍ତି ଯେ ଭୁବନେଶ୍ୱର ତହସିଲ ଅଧୀନରେ ଥିବା ମେଣ୍ଢାଶାଳ ମୌଜାରେ କିଛି ଚାଷଜମି ସିଲିଂ ବ୍ୟବସ୍ଥାରେ ସରକାରଙ୍କ ଠାରୁ  ମିଳିଥିଲା । ଏହାନିକଟରେ ହରିପୁର ମୌଜାର ଖାତା ନଂ ୧୬୨ ପ୍ଲଟ ନଂ ୩୫୫, ୩୫୬ରେ ଥିବା ମୋଟ ୧୪ ଏକର ଜମିରେ ପୂର୍ବେ ଉଜୁଡ଼ିଯାଇଥିବା ଶାଳ ଜଙ୍ଗଲକୁ ୧୯୫୮ରେ ସଫା କରି ସେଠାରେ ଚାଷବାସ କରିଆସୁଥିଲେ । ତେବେ ଇଡକୋ ଏହି ଜମିକୁ ତାଙ୍କ ନାମରେ କରାଇଦେବା ସହ ସେଠାରେ ୬୩ ବର୍ଷ ଧରି ଚାଷବାସ ଓ ବସବାସ କରୁଥିବା ହରିଜନ-ଆଦିବାସୀ ପରିବାରଙ୍କୁ ଉଚ୍ଛେଦ କରିବାକୁ ଉଦ୍ୟମ କରୁଛି । ସେମାନଙ୍କୁ ଉଚ୍ଛେଦ କରାଯାଇ ସିଫୁଡ୍ କମ୍ପାନୀ ହେଲେ ସେମାନଙ୍କ ଜୀବନଜୀବିକା ଉଜୁଡ଼ିଯିବ ।

ଇିକ୍ଷୋଭ ଓ ଧାରଣା ପରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ ଦାସପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଓ ଆଇନଜୀବୀ ଶିଶିର ପରିଡ଼ା, ବାଣପୁର କଂଗ୍ରେସ ନେତା ପ୍ରଦୀପ ସ୍ୱାଇଁ, ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର, ଛାତ୍ର କଂଗ୍ରେସ ସଭାପତି ସଂଜୟ ପଟ୍ଟନାୟକ, ବିଭାସ ମହପାତ୍ର, ବସନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର