ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସ˚କ୍ରମଣ ଶିଖର ଛୁଇଁବା ପରେ ଏବେ ହ୍ରାସ ପାଇବାରେ ଲାଗିଛି। କୋଭିଡ଼୍ ପ୍ରତିଷେଧକ ବ୍ୟବସ୍ଥା ଆସି ନ ଥିବାରୁ ସଚେତନତା ହିଁ ଏକମାତ୍ର ରକ୍ଷାକବଚ। ତେବେ କୋଭିଡ଼୍ ଟିକାକୁ ନେଇ ଚର୍ଚ୍ଚା ଲାଗି ରହିଛି। ପ୍ରଥମ ପର୍ଯ୍ୟାୟରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ କୋଭିଡ଼୍ ଟିକା ପ୍ରଦାନ ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏ ସ˚କ୍ରାନ୍ତରେ ରାଜ୍ୟ ସରକାରଙ୍କ ଠାରୁ ତଥ୍ୟ ମାଗିଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଡାଟାବେସ୍ ପ୍ରସ୍ତୁତ ହୋଇଛି। ଗଞ୍ଜାମ ଜିଲ୍ଲାରେ ୧୪୨ ସରକାରୀ ଡାକ୍ତରଖାନାରେ ୧୨,୯୯୫ ଜଣ ସ୍ବାସ୍ଥ୍ୟ କର୍ମଚାରୀ, ଜିଲ୍ଳା ସମନ୍ବିତ ଶିଶୁ ପ୍ରକଳ୍ପ ଅଧୀନରେ ୯୯୮୩ଜଣ କର୍ମଚାରୀ ଅଛନ୍ତି। ଜିଲ୍ଲାର ସମୁଦାୟ ୨୨୮୭୮ଜଣ କର୍ମଚାରୀଙ୍କ ଡାଟାବେସ୍ ପ୍ରସ୍ତୁତ ହୋଇଛି। କୋଭିଡ଼୍-ଇନ୍ସାଇଟ୍ ପୋର୍ଟାଲ୍ରେ ଅପଲୋଡ଼୍ କରାଯାଉଛି। ୬୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବ˚ ଗର୍ଭବତୀଙ୍କୁ କୋଭିଡ଼୍ ଟିକା ଦିଆଯିବାକୁ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଆସିବା ପରେ ଏହାର ସର୍ଭେ କରି ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ଜିଲ୍ଲା ଟାସ୍କ୍ଫୋର୍ସ କମିଟି ବୈଠକରେ ସ୍ଥିର ହୋଇଛି।
/sambad/media/post_attachments/wp-content/uploads/2020/11/f184a0b1-4ccb-4c4e-89c8-1d4ffe0cc6a2.jpg)
ନଭେମ୍ବର ୧ ତାରିଖରୁ ପିପୁଲସ୍ ପ୍ଲାନ୍ କ୍ୟାମ୍ପେନ୍ ସମଗ୍ର ଦେଶରେ ଆରମ୍ଭ ହୋଇଛି। ଫେବ୍ରୁଆରି ୨୦୨୧ ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲାରେ ଏହାର ସଫଳ ରୂପାୟନ ଲାଗି ବୁଧବାର ଗଞ୍ଜାମ ଜିଲ୍ଲା ଟାସ୍କ୍ଫୋର୍ସ କମିଟି ବୈଠକ ବସିଛି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିପୁଲସ୍ ପ୍ଲାନ୍ କ୍ୟାମ୍ପେନ୍ର ମୁଖ୍ୟ ୫ଟି ଲକ୍ଷ୍ୟ ଉପରେ ଆଲୋଚନା ହୋଇଛି।
କରୋନା ଲାଗି ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଓପିଡ଼ି ଓ ଆଇପିଡ଼ି ବନ୍ଦ ରହିଥିଲା। ଅଧିକା˚ଶ ଲୋକ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ଥିଲେ। ତେଣୁ ରୋଗୀଙ୍କୁ ଉପଯୁକ୍ତ ଓପିଡ଼ି ଏବ˚ ଆଇପିଡ଼ି ସେବା ଯେଭଳି ମିଳିପାରିବ ଆଲୋଚନା ହୋଇଛି। ଶିଶୁକୁ ୧ବର୍ଷ ମଧ୍ୟରେ ୧୧ଟି ପ୍ରତିଷେଧକ ଟିକା ଦେବା ବ୍ୟବସ୍ଥା ରହିଛି। କୋଭିଡ଼୍ ଯୋଗୁ କେତେକ ଶିଶୁ ଏହି ଟିକା ନେବାରୁ ବଞ୍ଚିତ ହୋଇଛନ୍ତି। ଜିଲ୍ଲାର ୬ଟି ବ୍ଲକ ଛତ୍ରପୁର, ରଙ୍ଗେଇଲୁଣ୍ତା, ଚିକିଟି, ପାତ୍ରପୁର, କୁକୁଡ଼ାଖଣ୍ତି, ଶେରଗଡ଼ ବ୍ଲକ ଇଲାକରେ ଏହି ଟିକାକରଣ କାର୍ଯ୍ୟକ୍ରମ ୮୫ ପ୍ରତିଶତ ତଳକୁ ଅର୍ଥାତ ନୈରାଶଜନକ ରହିଛି। ଏହି ୬ଟି ବ୍ଲକ୍ର ୬୮ଟି ସବ୍ ସେଣ୍ଟରରେ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ କରିବା ଲାଗି ଯୋଜନା ରହିଛି।
ଏହି କାର୍ଯ୍ୟକ୍ରମ ଲାଗି ଆସନ୍ତା ୨୦ତାରିଖ ସୁଦ୍ଧା ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ କୌଣସି ଯକ୍ଷ୍ମାରୋଗୀ ଯେଭଳି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଜିଲ୍ଲାରେ ୨୭୭୮ଟି ଗାଁ କଲ୍ୟାଣ ସମିତି ଓ ୫୦୩ ପଞ୍ଚାୟତ ସ୍ତରରେ ବାର୍ଷିକ ସ୍ବାସ୍ଥ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଉଛି। ଜିଲ୍ଲା କୋଭିଡ଼୍ ପରିଚାଳନାରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ତେଣୁ ଜିଲ୍ଲାର କାର୍ଯ୍ୟରତ ଆଶାକର୍ମୀଙ୍କ ଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଡାଇବେଟିସ୍, କ୍ୟାନସର୍ ଭଳି ରୋଗରେ ପୀଡ଼ିତ ଅଛନ୍ତି କି ନାହିଁ ତାହାର ଯାଞ୍ଚ୍ ହେବ। ଜିଲ୍ଲାର ସମୁଦାୟ ୧୨୯୯୫ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଲାଗି ସ୍ଥିର ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସମସ୍ତ ଉପଜିଲ୍ଲାପାଳ, ବିଡିଓ, ଲାଇନ୍ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Vijay-Amruta.jpg)