୧୫ ବର୍ଷ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିବାଦୀୟ ପ୍ରାଚୀର ନିର୍ମାଣ ହେଲା

ଦୋକାନକୁ ରାସ୍ତା ନଥିବାରୁ ବ୍ୟବସାୟୀଙ୍କ ବିରୋଧ

ଖୋର୍ଦ୍ଧା: ପ୍ରାଚୀର ବିହୀନ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରାଚୀର ନିର୍ମାଣ କାର୍ଯ୍ୟ ୧୫ ବର୍ଷ ପରେ ଶେଷ ହୋଇଛି। ଏନେଇ ଦୀର୍ଘ ବର୍ଷ ଧରି ବିବାଦ, କୋର୍ଟରେ ମାମଲା ଆଦି ଚାଲିଥିଲା, ଆଜି ଆପାତତଃ ପ୍ରାଚୀର ନିର୍ମାଣ ଶେଷ ହୋଇଛି। ଆାଜି ସକାଳେ ୧ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଏସ୍ଡିପିଓ ସୁଶୀଲ ମିଶ୍ର, ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକ, ପୂର୍ତ ବିଭାଗ ଯନ୍ତ୍ରୀ ପ୍ରମୁଖ ପହଂଚିଥିଲେ। ସେଠାରେ ଥିବା ଔଷଧ ଓ ଅନ୍ୟ ଦୋକାନୀଙ୍କ ବିରୋଧ ସତ୍ୱେ କାନ୍ଥ ନିର୍ମାଣ କାର୍ଯ୍ୟ ଶେଷ କରାଯାଇଥିଲା। ଦୋକାନୀ ମାନଙ୍କ ଅଭିଯୋଗ ହେଲା, ସେମାନେ ଏଠାରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରୁଛନ୍ତି। ଯେତେବେଳେ ହସ୍ପିଟାଲ୍ କର୍ତୃପକ୍ଷ, ବିଧାୟକ ଓ ଅନ୍ୟ ଜିଲ୍ଲାଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ସେମାନଙ୍କ ଦୋକାନ ପାଇଁ ରାସ୍ତା ଛଡ଼ାଯିବ। କିନ୍ତୁ ଆଜି ନିିର୍ମାଣ ବେଳେ ସମସ୍ତ ରାସ୍ତା ବନ୍ଦ କରିଦେଇଛନ୍ତି।

ଏଭଳି ନିର୍ମାଣ ଅମାନବୀୟ ଓ ସଂଗତପୂର୍ଣ୍ଣ ନୁହେଁ, ଏଣୁ ସେମାନେ ଏହାର ପ୍ରତିବାଦ କରିବେ। ସୂଚନାଯୋଗ୍ୟ, ଚିକିତ୍ସାଳୟର ପ୍ରାଚୀର ନଥିବାରୁ ଅନେକ ସମୟରେ ଜବରଦଖଲ ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲା। ଏହାକୁ ନେଇ ଖୋର୍ଦ୍ଧାର ବିଭିନ୍ନ ନାଗରିକ ସଂଗଠନ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ପ୍ରାଚୀର ନିର୍ମାଣ ପାଇଁ ଦାବି ହେଉଥିଲା। ପ୍ରାଚୀର ପାଇଁ ଅନେକ ଥର ଜମି ଚିହ୍ନଟ କରାଯାଇଥିଲେ ମଧ୍ୟ ବିଭିନ୍ନ କାରଣରୁ ନିର୍ମାଣ ହୋଇପାରୁନଥିଲା। ଶେଷରେ ପ୍ରାଚୀର ନିର୍ମାଣ ପାଇଁ ୩୬ଲକ୍ଷ ଟଙ୍କା ଅନୁମୋଦିତ ହେବା ସହ ଚଳିତବର୍ଷ ମାର୍ଚ୍ଚ ମାସରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର