୪ ବର୍ଷରେ ମଧ୍ୟ ଶେଷ ହୋଇପାରିଲାନି ପ୍ରଧାନମନ୍ତ୍ରୀ ରାସ୍ତା କାମ

ରାସ୍ତା ଅବରୋଧ କରି ଆନ୍ଦୋଳନ କଲେ ୩ ପଞ୍ଚାୟତବାସୀ, ପ୍ରଶାସନର ହସ୍ତକ୍ଷେପ ପରେ ହଟିଲେ ଲୋକେ

ମାଲକାନଗିରି: ମାଲକାନଗିରିର ବ୍ଲକ ଅନ୍ତର୍ଗତ ଗଙ୍ଗଲା ଠାରେ ଆଜି ତିନୋଟି ପଞ୍ଚାୟତର ଶତାଧିକ ଲୋକେ ଏକତ୍ରୀତ ହୋଇ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଚାଲୁଥିବା ଧିମା କାମକୁ ନେଇ ଉଗ୍ର ହେବା ସହ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ଚାରି ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା କୋତାମେଟା ଠାରୁ ଗୁମ୍ମା ପର୍ଯ୍ୟନ୍ତ ପ୍ରାୟ ୧୮ କିଲୋମିଟର ରାସ୍ତା କାମ ଚାଲୁ ରହିଛି। ଏହି ରାସ୍ତା କାମ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଆରମ୍ଭ କରାଯାଇଛି। ତେବେ ରାସ୍ତା କାମକୁ ଅଧାରେ ରଖି ଠାକାଦାର ଆଉ କା କରୁନାହିଁ। ଏହି ରାସ୍ତା ଦେଇ ଗଙ୍ଗଲା ପଞ୍ଚାୟତ, ପେଦାଵାଡା ପଞ୍ଚାୟତ, ଗୁମକା ପଞ୍ଚାୟ ଏବଂ ଗୁମ୍ମା ପଞ୍ଚାୟତ ଯାଉଛି। ରା୍ସ୍ତା କାମ ଅଧପନ୍ତରିଆ ହୋଇଥିବାରୁ ପ୍ରତିଦିନ ଧୂଳ ଉଡି ଅଞ୍ଚଳବାସୀଙ୍କୁ ହନ୍ତସନ୍ତ କରିସାରିଲାଣି। ଏନେଇ ବାରମ୍ବାର ବିଭଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ବାଧ୍ୟ ହୋଇ ତିନୋଟି ପଞ୍ଚାୟତର ଶତାଧିକ ଲୋକେ ଏକତ୍ରିତ ହୋଇ ଆନ୍ଦୋଳନ କରିଥିଲେ। କୋତାମେଟା ଏବଂ ଗୁମ୍ମାର ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହ ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ। ପ୍ରଶାସନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝି କରିଥିଲା। ମାଲକାନଗିରି ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲା।

Sambad

କିନ୍ତୁ ଲୋକେ ରାସ୍ତା କେବେ ସରିବ ଲିଖିତ ପ୍ରତିଶ୍ରୁତି ନଦେଲେ ହଟିବେ ନାହିଁ ବୋଲି ଜିଦ ଧରିଥିଲେ। ଏତେ ଦିନ ଧରି ରାସ୍ତା କାମକୁ ସମାପ୍ତ କରାଯାଉନଥିବାରୁ ରାସ୍ତାର ଧୂଳି ଯୋଗୁଁ ଲୋକେ ନାନା ରୋଗର ଶିକାର ହେଉଥିବା ଅଭିଯୋଗ କରିଥିଲେ। ରାସ୍ତାକୁ ଲାଗି ରହିଥିବା ଆଖପାଖ ଗାଁର ଲୋକେ ଏବଂ ଶିଶୁମାନେ ବିଭିନ୍ନ ରୋଗର ଶିକାର ହେଉଥିବା କହିଥିଲେ। ଏନେଇ ବିଭାଗ ଚୁପ ବସିଥିବା ବେଳେ ସଂପୃକ୍ତ ଠିକାଦାର ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଥିଲା। ମାଲକାନଗିରି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ତେବେ ତୁରନ୍ତ ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଲୋକେ ରାସ୍ତାରୁ ହଟିଥିବା ଜଣାପଡିଛି। ଯଦି ତୁରନ୍ତ ରାସ୍ତା ନିର୍ମାଣ କରାନଯାଏ ତେବେ ଆଗାମୀ ଦିନରେ ଜିଲ୍ଲାସ୍ତରରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଜିର ଏହି ଆନ୍ଦୋଳନରେ ପୂର୍ବତନ ସରପଞ୍ଚ ଗୌର ଚନ୍ଦ୍ର ବରଜା, ପଦଲାମ ବରଜା, ଭାସ୍କର ପାତ୍ର, ରାମ ଚନ୍ଦ୍ର ମାଡକାମୀ, ନରସିଂହ ପୁଟିଆ, ଗୋପିନାଥ ବରଜା, ବସନ୍ତ ପୋଟଲା, ପୁଷ୍ପରାଜୁ ଗୋପାଲ, ଖେମା ଆଜମେରା, ବିଶ୍ବନାଥ କୋଡେ, ସୁନାଧର କୁରାମି, ଲଲିତ ନାରାୟଣ ମାଡକାମୀ, ଦାଶରଥୀ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର