ବିରଳ ରୋଗରେ ଆକ୍ରାନ୍ତ ରଞ୍ଜିତା, ସହାୟତା ପାଇଁ ନିବେଦନ

ସହାୟତା ପାଇଁ ଆଗେଇ ଆସିଲେ ସରପଞ୍ଚ

ଭଞ୍ଜନଗର: ପିଲାଟି ଦିନରୁ ଭଲ ପାଠ ପଢୁଥିଲେ। ସାଙ୍ଗ ସାଥିରେ ଖେଳି ବୁଲି ହସ ମଜାଜରେ କଟୁଥିଲା ଦିନ। ବାପା ହୋଟେଲ୍ରେ କାମ କରି ଯାହା ରୋଜଗାର କରି ଆଣୁଥିଲେ ତାକୁ ନେଇ ଯେନତେନ ଚାଲିଥିଲା ସଂସାର। ହେଲେ ହଠାତ୍ ଜୀବନରେ ଘୋଟି ଆସିଲା ଅଜଣା ଅନ୍ଧକାର। ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏକ ପ୍ରକାର ପଙ୍ଗୁ ପାଲଟିଗଲେ। ଶରୀରର ସବୁ ଅଙ୍ଗ ବଙ୍କା ହୋଇଯିବା ସହ ଶରୀରର ମାଂସ ପେଶୀ ଶୁଖି ପତଳା ହେବାରେ ଲାଗିଲା। କେହିଁ କିଛି ବୁଝିବା ଆଗରୁ ଶୁଖି କଳାକାଠ ପଡିଗଲା ପୁରା ଶରୀର। ଆଉ ପରିବାର ଯିଏ ଅଳି ଅଳି ଥିଲେ ସେ ଏବେ ପରିବାର ଉପରେ ବୋଝ ସଦୃଶ ପାଲଟିଛନ୍ତି। ଏଭଳି ବିରଳ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ ଜାରି ରଖିଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ କୋକଳବା ପଞ୍ଚାୟତର ମଶାବାଡ଼ି ଗ୍ରାମର ରଞ୍ଜିତା ନାୟକ(୨୪)। ପରିବାର ଲୋକ ତାଙ୍କୁ ଭଲ କରିବା ପାଇଁ ଦୀର୍ଘ ୬ ବର୍ଷ ହେଲା ସଂଗ୍ରାମ ଜାରି ରଖିଥିବା ବେ୍ଳେ ରଞ୍ଜିତାଙ୍କ ଅବସ୍ଥା ଆହୁରି ଶୋଚନୀୟ ହେବାରେ ଲାଗିଛି।

ରଞ୍ଜିତାଙ୍କ ବାପା ଶିବ ନାୟକ ବ୍ରହ୍ମପୁରର ଏକ ହୋଟେଲ୍‌ରେ କାମ କରୁଥିବା ବେଳେ ସେ ମାଆ ସୁକାନ୍ତି ଓ ୩ ଭାଇ ଭଉଣୀ ସହ ଗାଁ ରେ ରୁହନ୍ତି। ପରିବାରର ବଡ଼ ଝିଅ ହୋଇଥିବାରୁ ସାନ ଭାଇ ଭଉଣୀଙ୍କର ମଧ୍ୟ ସେ ଦେଖାଶୁଣା କରୁଥିଲେ। କିନ୍ତୁ ହଠାତ୍ ୬ ବର୍ଷ ପୂର୍ବେ ତାଙ୍କ ଶରୀରର ମାଂସପେଶୀ ଗୁଡ଼ିକ ପତଳା ହେବାରେ ଲାଗିଲା।

ଶରୀର ପତଳା ହେବା ସହ ଚମଡା ଶୁଖି କଳାପଡିବାରେ ଲାଗିଲା। କିଛି ସ୍ଥାନରେ ଧଳା ଦାଗ ମଧ୍ୟ ହେବାରେ ଆରମ୍ଭ ହେଲା। ପରିବାର ଲୋକ ଚିନ୍ତାରେ ପଡି ରଞ୍ଜିତାକୁ ପ୍ରଥମେ ଭଞ୍ଜନଗର ମେଡିକାଲ୍ରେ ଦେଖାଇଥିଲେ। ସେଠାରେ କୌଣସି ସୁଧାର ନଆସିବାରୁ ତାକୁ କିଛି ଦିନ ପରେ ବ୍ରହ୍ମପୁର ନେଇଥିଲେ। ସେଠାରେ ମଧ୍ୟ ଡାକ୍ତର ମାନେ ରୋଗ ସଂର୍ପକରେ କିଛି ଜାଣିପାରିନଥିବା ରଞ୍ଜିତାଙ୍କ ମାଆ ପ୍ରକାଶ କରିଛନ୍ତି। ଦିନକୁ ଦିନ ରଞ୍ଜିତାଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିବା ସହ ହାତଗୋଡ଼ ବଙ୍କା ହେବାରେ ଲାଗିଲା। ଏହାପରେ ଜଣେ ସଂର୍ପକୀୟଙ୍କ ପରାମର୍ଶ କ୍ରମେଥ ଗତ ୪ ବର୍ଷ ତଳେ ପରିବାର ଲୋକ ରଞ୍ଜିତାକୁ ଭୂବନେଶ୍ବର ଏମ୍‌ସକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା ପରେ ରଞ୍ଜିତା ‘ସିଷ୍ଟମିକ୍ ସ୍କେଲ୍ରୋସିସ୍’ ରୋଗରେ ଆକ୍ରାନ୍ତ ହୋଇଛି ବୋଲି କହିଥିଲେ। ଏହା ବିଶ୍ବରେ ଏକ ଲକ୍ଷ ଲୋକ ଭିତରୁ ଜଣଙ୍କୁ ହୋଇଥାଏ ବୋଲି ଡାକ୍ତର କହିଥିବା ତାଙ୍କ ପରିବାର ଲୋକ ପ୍ରକାଶ କରିଥାନ୍ତି। ଏହାପରେ ତାଙ୍କର ସେଠାରେ ଚିକିତ୍ସା ଚାଲିଥିଲା। ସେଠାରେ କିଛି ଦିନ ରହିବା ପରେ ଔଷଧ ନେଇ ଘରକୁ ଆସିଥିଲେ। ନିୟମିତ ମାସକୁ ୫୦୦୦ ଟଙ୍କାର ଔଷଧ ଖାଉଥିବା ବେଳେ ଧିରେ ଧିରେ ତାଙ୍କ ସ୍ବାସ୍ଥ ଅବସ୍ଥାରେ ଉନ୍ନତି ଘଟିଥିଲା। ଅର୍ଥ ଅଭାବରୁ ତାକୁ ମଧ୍ୟ ଆଣିବା ପରିବାର ଅସମ୍ଭବ ହୋଇପଡିଥିଲା। ଦୀର୍ଘ ଦେଢ ବର୍ଷ ହେଲା ସେଠାରୁ ଔଷଧ ଆଣିବା ବନ୍ଦ କରିଦେଇଥିବା ମାଆ ସୁକାନ୍ତି ପ୍ରକାଶ କରିଛନ୍ତି।

ସ୍ଥାନୀୟ ଜାଡଧାର ନିକଟରୁ ଜଣେ ଆର୍ୟ୍ୟୁବେଦଙ୍କ ଠାରୁ ଔଷଧ ଆଣି ଦେଉଛନ୍ତି। ରଞ୍ଜିତାଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇବା ପାଇଁ ପରିବାର ଲୋକ ସ୍ଥାନୀୟ ସରପଞ୍ଚ ନିର୍ମଳ ନାୟକଙ୍କୁ ନିବେଦନ କରିଥିଲେ। ସରପଞ୍ଚଙ୍କ ସହାୟତାରେ ପରିବାର ଲୋକେ ଉପଜିଲ୍ଲାପାଳଙ୍କୁ ଭେଟି ରଞ୍ଜିତା ସଂର୍ପକରେ ଅବଗତ କରିଥିଲେ। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ରେଡ଼କ୍ରସ ଫଣ୍ଡରୁ ୧୦ ହଜାର ଟଙ୍କା ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଅଗାମୀ ଦିନରେ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଣ୍ଠିରୁ ରଞ୍ଜିତା ଚିକିତ୍ସା ବ୍ୟବସ୍ଥା କରିବା ପାଇଁ କହିଥିଲେ। ଆବଶ୍ୟକ ଚିକିତ୍ସା ମିଳିପାରିଲେ ରଞ୍ଜିତାଙ୍କ ପୂର୍ବ ଅବସ୍ଥା ଫେରି ପାଇବେ ବୋଲି ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର