ଘରେ ପଶିଲା ପାଣି, ଉତ୍ତ୍ୟକ୍ତ ବାସିନ୍ଦାଙ୍କ ରାସ୍ତା ଅବରୋଧ

ବୁଝାସୁଝା ପରେ ହଟିଲା ଅବରୋଧ, ମୋଟର ଲଗାଇ ଘରୁ ପାଣି ନିଷ୍କାସନ

ବାରିପଦା: ଆଜି ବାରିପଦାରେ ମଧ୍ୟାହ୍ନରୁ ହିଁ ଆରମ୍ଭ ହୋଇଯାଇଥିଲା ମୁଷଳ ଧାରାରେ ବର୍ଷା। ମାତ୍ର ଦୁଇତିନି ଘଣ୍ଟା ପାଇଁ ବର୍ଷିଥିଲେ ମଧ୍ୟ ମାତ୍ରା ଥିଲା ଅତ୍ୟଧିକ। ଫଳରେ ବାରିପଦା ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ-୭ ମଧୂବନ ବଗିଚାସାହି ଏବଂ ୱାର୍ଡ ନଂ-୮ର କିଛି ଅଂଶରେ ଘରେ ପାଣି ପଶିଥିଲା। ଫଳରେ ସ୍ଥାନୀୟ ବାସିନ୍ଦା ନାହିଁନଥିବା ହଇରାଣ ହରକତ୍‌ ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ବାରିପଦା-ଉଦଳା ମୁଖ୍ୟରାସ୍ତା ଅବୋରାଧ କରିଥିଲେ। ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ବାରିପଦା ତହସିଲଦାର ଏବଂ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କ ସମେତ ପୌରପରିଷଦର ବରିଷ୍ଠ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରିରଖିବାକୁ ଆନ୍ଦୋଳନକାରୀ ଚେତାବନୀ ଦେଇଥିଲେ।

Sambad

ତେବେ ବହୁ ବୁଝାସୁଝା ପରେ ପୌରପାଳିକା ପକ୍ଷରୁ ଅଗ୍ନିଶମ ବାହିନୀ ଏବଂ ମୋଟର ସହାୟତାରେ ଘରେ ପଶିଥିବା ପାଣିକୁ ନିଷ୍କାସନ କରାଯାଇଥିଲା। ସୋମବାର ଦିନ ବାରିପଦା ଉପଜିଲ୍ଲାପାଳ ତଥା ପୌରପାଳିକ ନିର୍ବାହୀ ଅଧିକାରୀ ଘଟଣାସ୍ଥଳ ବୁଲି ଦେଖି ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଗତ କିଛିଦିନ ପୂର୍ବରୁ ମଧ୍ୟ ଏହିପରି ସମସ୍ୟା ସୃଷ୍ଟି ହୋଇଥିଲା। ଯାହାଫଳରେ ଲୋକେ ପୌରପାଳିକା ଯନ୍ତ୍ରୀଙ୍କୁ ଅଟକ ରଖିଥିଲେ।

ସମ୍ବନ୍ଧିତ ଖବର