ଶାଳପତ୍ର ଦନା ଓ ଥାଳିର ଚାହିଦା କମୁଛି, ପେଟ ଚିନ୍ତାରେ ତଅଁଳାସାହିର ଶତାଧିକ ପରିବାର

ନରସିଂହପୁର: ଦିନକୁ ଦିନ ଶାଳପତ୍ରରେ ତିଆରି ଦନା ଓ ଥାଳିର ଚାହିଦା କମିବାରେ ଲାଗିଛି। ଏହା ପରିବର୍ତ୍ତେ ସୋଲ, କାଗଜ ଓ ପଲିଥିନ୍‌ରେ ତିଆରି ସାମଗ୍ରୀ ବ୍ୟବହାର କରିବାକୁ ଲୋକମାନେ ପସନ୍ଦ କରୁଛନ୍ତି। ଏହାର ପ୍ରଭାବ ପଡ଼ିଛି ନରସିଂହପୁର ବ୍ଲକ୍‌ ପାଇକପଡ଼ାପାଟଣା ତଅଁଳାସାହିରେ। ସାହିରେ ବସବାସ କରୁଛନ୍ତି ୧୦୦ରୁ ଅଧିକ ପରିବାର। ଅଧିକାଂଶ ଲୋକଙ୍କ ଚାଷଜମି ନାହିଁ। ପରିବାର ମୂଲ ମଜୁରୀ ଲାଗିବା ସହ ଶାଳପତ୍ରରେ ଦନା ଓ ଥାଳି ତିଆରି କରି ଜୀବିକାନିର୍ବାହ କରନ୍ତି। ମହିଳାମାନେ ପ୍ରତିଦିନ ଗାଁ ପାଖ ଜଙ୍ଗଲକୁ ଯାଇ ଶାଳପତ୍ର ସଂଗ୍ରହ କରନ୍ତି। ପତ୍ର ଆଣିଲା ପରେ ପରିବାରର ସମସ୍ତ ସଦସ୍ୟ ମିଳିମିଶି ଦନା ଓ ଥାଳି ତିଆରି କରନ୍ତି। ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ୧୦୦ରୁ ୨୦୦ ଦନା କିମ୍ବା ଥାଳି ତିଆରି କରି ପାରନ୍ତି। ଏହାକୁ ନେଇ ଗାଁ କିମ୍ବା ନିକଟସ୍ଥ ବଜାରରେ ବୁଲି ବିକ୍ରି କରାଯାଏ। ୧୦୦ ଥାଳି ପାଇଁ ୪୦ରୁ ୫୦ଟଙ୍କା ଓ ୧୦୦ ଦନା ପାଇଁ ୨୦ରୁ ୩୦ ଟଙ୍କା ମିଳେ। ଏହି ଅର୍ଥରେ ପାଞ୍ଚପ୍ରାଣୀ କୁଟୁମ୍ବ ଚଳାଇବା କାଠିକର ପାଠ ହୋଇପଡ଼େ।

ପିଲାଛୁଆଙ୍କ ପାଠପଢ଼ା ସାଙ୍ଗକୁ ବିବାହ, ବ୍ରତ, ଯାନିଯାତ୍ରା ଆସିଲେ ପରିବାରର ଦୁଃଖ ଦୁଇଗୁଣ ହୋଇଯାଏ। ଏଭଳି ସ୍ଥିତି ଲାଗି ରହିଥିଲା ବେଳେ ବର୍ତ୍ତମାନ ଖଲିପତ୍ରର ଚାହିଦା କମିଯିବାରୁ ପରିବାରର ପେଟ ପୋଷିବା କଷ୍ଟକର ହୋଇପଡ଼ିଛି ବୋଲି କୁହନ୍ତି ପାଇକପଡ଼ାପାଟଣା ତଅଁଳାସାହିର ବନବାସୀ ବେହେରା, ଗୋଲାପ ବେହେରା, ନଳିନୀ ବେହେରା, ସଜନୀ ବେହେରା, ରସ ବେହେରା, ଫୁଲ ବେହେରା, ନିଆସି ବେହେରା, ଲତା ବେହେରା, ବାଉରୀ ବେହେରା, ଲିଲି ବେହେରା, କୁନି ବେହେରା, ମାମି ବେହେରା, ସବିତା ବେହେରାଙ୍କ ସମେତ ସାହିବାସୀ। ସରକାର ଖଲିପତ୍ରର ଚାହିଦା ବଢ଼ାଇବା ପାଇଁ ପଦକ୍ଷେପ ନେବା ସହ ବଜାର ବ୍ୟବସ୍ଥା ଓ ଆର୍ଥିକ ସହାୟତା ପ୍ରଦାନ କଲେ ପରିବାରର ପେଟ ଚିନ୍ତା ଦୂର ହେବ ଏବଂ ସୁରୁଖୁରୁରେ ଚଳିପାରିବୁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର