ଶିଳ୍ପ ବିରୋଧୀଙ୍କୁ ବଡ଼ ଝଟକା, କଂସାରିଗୁଡ଼ାରେ କମ୍ପାନି ପ୍ରତିଷ୍ଠାକୁ ସମର୍ଥନ କଲେ ହେଭିୱେଟ୍

ରାୟଗଡ଼ା: କାଶୀପୁରରେ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିବା ବିରୋଧୀଙ୍କୁ ବଡ଼ ଝଟକା ଲାଗିଛି। ଗତ ୮ ତାରିଖରେ ଶିଳ୍ପ ବିରୋଧୀ ଗୋଷ୍ଠୀଙ୍କ ପକ୍ଷରୁ କାଶୀପୁର ବ୍ଲକରେ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଆଜି ଏହାର କାଉଣ୍ଟର ସ୍ବରୂପ ସର୍ବଦଳୀୟ ନେତା ଓ କାଶୀପୁର ଅଞ୍ଚଳବାସୀ ଏକାଠି ହୋଇ କଂସାରିଗୁଡ଼ା କମ୍ପାନି ପ୍ରତିଷ୍ଠାକୁ ସମର୍ଥନ କରିଛନ୍ତି। ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ତୁରନ୍ତ କମ୍ପାନି ପ୍ରତିଷ୍ଠା କରି କାଶୀପୁରର ବିକାଶକୁ ତ୍ବରାନିତ କରିବା ପାଇଁ ଦାବି କରାଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, କାଶୀପୁର ବ୍ଲକ୍ ଅଧ୍ୟକ୍ଷ କଣ୍ଠ ମାଝୀ କମ୍ପାନି ସମର୍ଥନରେ ବାହାରିବା ପରେ ବିରୋଧୀଙ୍କ ଉଦ୍ୟମ ଫସର ଫାଟିବା ନେଇ ଚର୍ଚ୍ଚା ହୋଇଛି। କାଶୀପୁର ବ୍ଲକ ଟିକିରିରେ ପ୍ରତିଷ୍ଠା ହୋଇଥିବା କମ୍ପାନି ଦ୍ବାରା ସ୍ଥାନୀୟ ଅଞ୍ଚଳର ଯୁବକ, ଯୁବତୀଙ୍କୁ ନିଯୁକ୍ତି ସୁଯୋଗ କିମ୍ବା ଆଦିବାସୀଙ୍କ ବିକାଶ ହୋଇ ପାରୁନଥିବା ଅଭିଯୋଗ ହୋଇଥିଲା। ଏଣୁ କଂସାରିଗୁଡ଼ା ପ୍ରକଳ୍ପ ସମେତ ଟିକିରିରେ ପ୍ରତିଷ୍ଠା ହେବାକୁ ଥିବା ଅନ୍ୟ କମ୍ପାନିକୁ ପ୍ରତ୍ୟାହାର କରିନେବା ପାଇଁ ବିରୋଧୀ ଦାବି କରିଥିଲେ।

ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ୍ ଅଧ୍ୟକ୍ଷ ସମେତ ଶତାଧିକ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି କମ୍ପାନି ସପକ୍ଷରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ କହିଛନ୍ତି, କମ୍ପାନି ପ୍ରତିଷ୍ଠା ହେଲେ କାଶୀପୁରର ବିକାଶ ହେବ। ବହୁ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷରେ କମ୍ପାନି ଦ୍ବାରା ଲାଭାବାନ୍ ହେବେ। ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବ। କିନ୍ତୁ କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀର ଲୋକ ନିଜ ଉଦ୍ଦେଶ୍ୟ ପୂରଣ ନ ହେବା ପରେ କମ୍ପାନି ପ୍ରତିଷ୍ଠାକୁ ବିରୋଧ କରୁଛନ୍ତି।

ସମ୍ବନ୍ଧିତ ଖବର