ରାୟଗଡ଼ା: ପ୍ରସୂତି ଅବକାଶରେ ସ୍ଥାୟୀ ଅଧିକାରୀ। କାର୍ଯ୍ୟବ୍ୟସ୍ତତାରୁ ନିୟମିତ ଅଫିସ୍ ଆସି ପାରୁନାହାନ୍ତି ଅତିରିକ୍ତ ଦାୟିତ୍ବରେ ଥିବା ଅଧିକାରୀ। ଫଳରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇ ପଡ଼ିବା ସହ ନିୟମିତ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି କର୍ମଚାରୀ। ମକର ସଂକ୍ରାନ୍ତି, ପୋଙ୍ଗଲରେ ବି କର୍ମଚାରୀଙ୍କୁ ଅଗ୍ରୀମ ଦରମା ମିଳିନଥିବା ବେଳେ ସମସ୍ତ ୱାର୍ଡରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ବିଲ୍ ଅଟକିଛି। ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦରେ ସୃଷ୍ଟି ହୋଇଛି ଏପରି ଅଚଳାବସ୍ଥା। ଗୁଣପୁର ପୌର ପରିଷଦର ସ୍ଥାୟୀ ପୌର ଅଧିକାରୀ ଭାବେ କାର୍ଯ୍ୟରତ ସତ୍ୟସମ୍ପୂର୍ଣ୍ଣା ରାଉତ ୨୦୨୨ ଡିସେମ୍ବର ୨୭ ତାରିଖରୁ ପ୍ରସୂତି ଅବକାଶରେ ଯାଇଛନ୍ତି। ୨୦୨୩ ଜୁନ୍ ୨୫ ପର୍ଯ୍ୟନ୍ତ ଶ୍ରୀମତି ରାଉତ ଛୁଟିରେ ରହିବାକୁ ଥିବାରୁ ତାଙ୍କ ସ୍ଥାନରେ ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବାକୁ ରାମନାଗୁଡା ବିଡ଼ିଓ ପ୍ରଭାତି ଝୋଡିଆଙ୍କୁ ରାୟଗଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂ ବିଭାଗୀୟ ଚିଠି ନଂ-୪୬୭୨/୨୦୨୨ ତା: ୨୩.୧୨.୨୦୨୨ ରେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମତି ରାଉତ ଛୁଟିର ଯିବାର ଦିନକ ପୂର୍ବରୁ ଶ୍ରୀମତି ଝୋଡିଆଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ। ଏହା ପରଠାରୁ ରାମନାଗୁଡା ବିଡ଼ିଓ ପ୍ରଭାତି ଝୋଡ଼ିଆ ଗୁଣପୁର ପୌର ପରିଷଦ ଦାୟିତ୍ବରେ ଥିବା ବେଳେ ଏଯାବତ୍ ପୌର ପରିଷଦ କାର୍ଯ୍ୟ ନିୟମିତ ଧାରାକୁ ଫେରି ପାରିନି। ଜାନୁଆରୀ ମାସର ଦରମା କର୍ମଚାରୀ ପାଇନଥିବା ବେଳେ ପୂଜା ଅଗ୍ରୀମ, ଏରିଅର୍, ବକେୟା ଦରମା, ପେନସନ୍ ମଧ୍ୟ ପାଇବାରୁ କର୍ମଚାରୀ ବଞ୍ଚିତ ହୋଇଛନ୍ତି।

Advertisment

publive-image

ଦାୟିତ୍ବରେ ଥିବା ଶ୍ରୀମତି ଝୋଡ଼ିଆଙ୍କ ଡିଜିଟାଲ୍ ସ୍ବାକ୍ଷର ଟ୍ରେଜେରିକୁ ଯାଇନଥିବାରୁ ପୌର ପରିଷଦ ଅଧ୍ୟକ୍ଷାଙ୍କ ଅନୁମୋଦନ ସତ୍ତ୍ବେ କର୍ମଚାରୀଙ୍କ ଦରମା, ସାନିଟେସନ୍ ବିଲ୍, ନିର୍ମାଣଧୀନ ପ୍ରକଳ୍ପର ବିଲ୍ ଭଳି ବହୁ ପ୍ରକଳ୍ପର ବିଲ୍ ପଡି ରହିଛି। ନୂତନ ପ୍ରକଳ୍ପ ବାବଦକୁ ଆସିଥିବା ଅନୁଦାନ, ଟେଣ୍ଡର ପ୍ରକ୍ରିୟା ମଧ୍ୟ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ପୌର ନିର୍ବାହୀ ଅଧିକାରୀଙ୍କ ଟେବୁଲରେ ଦିନ ଦିନ ଧରି ସମସ୍ତ ଫାଇଲ୍ ପଡିଥିଲେ ମଧ୍ୟ ଅନୁମୋଦନ ମିଳିବାରେ ଅହେତୁକ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି କାର୍ଯ୍ୟରେ ଯୋଗଦେବା ପରଠୁ ସହରର ବିକାଶ ମୂଳକ କାମକୁ ନେଇ ପୌର ଅଧ୍ୟକ୍ଷା କିମ୍ବା ପୌରାଧ୍ୟକ୍ଷଙ୍କ ସହ ଥରେଟିଏ ବି ନିର୍ବାହୀ ଅଧିକାରୀ ଆଲୋଚନା କରିନଥିବା ଅଧ୍ୟକ୍ଷା ମମତା ଗୌଡ଼ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବହୁ ଉନ୍ନୟନମୂଳକ କାମର ଫାଇଲ୍ ଉଦ୍ଦେଶ୍ୟମୂଳକ ଭାବେ ଅଧ୍ୟକ୍ଷାଙ୍କ ନଜରକୁ ଅଣାଯାଉନଥିବା ଅଭିଯୋଗ କରିଛନ୍ତି ପୌରାଧ୍ୟକ୍ଷା ଶ୍ରୀମତି ଗୌଡ଼। ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ପୌର ପରିଷଦର ବିକାଶମୂଳକ କାର୍ଯ୍ୟକୁ ତ୍ବରାନିତ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।