ପରମିଟ ରାଉରକେଲା; ଯାଉଥିଲା ଗୟା, ସିମଡେଗାରେ ଧରାପଡ଼ିଲା କୁନାଲ ବସ୍

ସୁନ୍ଦରଗଡ଼: ପରମିଟ ଅଛି ସୁନ୍ଦରଗଡ଼ରୁ ରାଉରକେଲା। କିନ୍ତୁ ଯାଉଥିଲା ପଡ଼ୋଶୀ ରାଜ୍ୟ ଝାରଖଣ୍ଡର ସିମଡେଗା ରାଞ୍ଚି ଦେଇ ଗୟା। ପରମିଟ ନଥାଇ ଅନ୍ତଃରାଜ୍ୟ ରାସ୍ତାରେ ଚଳାଚଳ କରୁଥିବା ସୁନ୍ଦରଗଡ଼ର କୁନାଲ ବସ ବୁଧବାର ସିମଡେଗା ଠାରେ ସେଠାକାର ଆଞ୍ଚଳିକ ପରିବହନ ବିଭାଗ ହାତରେ ଧରାପଡ଼ିଛି। ତେବେ ଗତ ଅଗଷ୍ଟ ୧ରୁ ପରମିଟ ନଥିବା ରାସ୍ତାରେ ଯାତାୟତ କରୁଥିବା ଏହି ବସ୍ ଉପରେ ଦେଢ଼ ମାସ ପରେ ବି ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗ କି ଝାରଖଣ୍ଡ ରାଜ୍ୟ ପରିବହନ ବିଭାଗର ନଜରରେ ନପଡ଼ିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରୋଚକ କଥା ହେଲା, କୁନାଲ ବସ୍ ର ବିନା ପରମିଟ୍ ଯାତ୍ରା ସମ୍ପର୍କରେ ଓଡ଼ିଶା ରାଜ୍ୟ ପରିବହନ କମିଶନର ଅରୁଣ ବୋଥ୍ରା ସୂଚନା ପାଇବା ପରେ ତୁରନ୍ତ ଝାରଖଣ୍ଡ କମିଶନରଙ୍କୁ ସୂଚୀତ କରି ବସକୁ ଜବତ କରିବାକୁ କହିଥିଲେ। ପ୍ରକାରାନ୍ତରେ ସେ ସ୍ଥାନୀୟ ବିଭାଗକୁ ବିଶ୍ବାସକୁ ନେଇ ନଥିବା ଚର୍ଚ୍ଚା ହେଉଛି। ୨୦୨୧ ଜୁଲାଇ ୩୧ରୁ ୨୦୨୬ ଜୁଲାଇ ୩୦ ଯାଏ ସୁନ୍ଦରଗଡ଼- ରାଉରକେଲା (ବେକ୍) ପାଇଁ ପରମିଟ ପାଇଥିବା କୁନାଲ୍ ବସ୍ ସମସ୍ତଙ୍କ ସାମ୍ନାରେ ବେଆଇନ ଭାବେ ଦେଢ଼ ମାସରୁ ଉର୍ଦ୍ଧ୍ବ ସମୟ ଧରି ସିମଡେଗା, ରାଞ୍ଚି ଦେଇ ଗୟା ଯାତାୟତ କରିବା ଓ ଶେଷରେ ରାଜ୍ୟସ୍ତରର ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶରେ ଧରାପଡ଼ିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ଆଜି ବେନିୟମ ଭାବେ ଝାରସୁଗୁଡ଼ାରୁ ସୁନ୍ଦରଗଡ଼ ଯାତାୟତ କରୁଥିବା ଏକ ଘରୋଇ ବସ୍ ରାଜାରାଣୀକୁ ଆଞ୍ଚଳିକ ପରିବହନ ଅଧିକାରୀ ୧୦ ହଜାର ଟଙ୍କା ଜରିମାନା କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର