ଦାରିଦ୍ର୍ୟର ତାଡ଼ନା: ଦୁଇବେଳା ଖାଦ୍ୟ ଯୋଗାଡ କରିନପାରିଲେ ନାହିଁ, ୬ ବର୍ଷର ଝିଅକୁ ଛାଡି ଆତ୍ମହତ୍ୟା କଲେ ଯୁବକ

ମାଲକାନଗିରି: ଦାରିଦ୍ର୍ୟର ତାଡନା।ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଂଚଳରେ ଦେଖିବାକୁ ମିଳିଛି। ଏହି ଅଂଚଳରେ ଜଣେ ଯୁବକ ଦାରିଦ୍ର୍ୟତା ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି। ନିକଟସ୍ଥ ନଦୀରେ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି ମନ୍ଦ ପାଙ୍ଗି।

ସ୍ବାଭିମାନ ଅଂଚଳର ପଣସପୁଟ ପଞ୍ଚାୟତର ସିଙ୍ଗଇ ଗ୍ରାମର ମନ୍ଦ ପାଙ୍ଗି। ମନ୍ଦ ପାଙ୍ଗିଙ୍କର ଏକ ସୁଖି ପରିବାର ଥିଲା। କିନ୍ତୁ ଝିଅ ଜନ୍ମ ଦେଇ ଆରପାରିକୁ ଚାଲିଯାଇଥିଲା ମା’।କୁନି ଝିଅକୁ ନେଇ ମନ୍ଦ ପାଙ୍ଗି ବହୁ କଷ୍ଟରେ ଚଳୁଥିଲେ। ଏବେ ଝିଅ ମିଲିର ବୟସ ୬ ବର୍ଷ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତକାଲି ଝିଅକୁ ନଦୀକୁ ନେଇ କୂଳରେ ଝିଅକୁ ବସାଇ ଦେଇ ନଦୀକୁ ଡେଇଁ ପଡିଥିଲା ମନ୍ଦ। ପରେ ଗ୍ରାମବାସୀ ଜାଣିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗର କର୍ମଚାରୀ ଦିନରାତି ଏକାକରରି ଖୋଜିବା ପରେ ଆଜି ସଂଧ୍ୟାରେ ମନ୍ଦଙ୍କର ଶବ ମିଳିଥିଲା।

ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଝିଅ ମିଲିକୁ ପୋଷିପାକୁ ତାଂକୁ ବହୁ କଷ୍ଟ କରିବାକୁ ପଡୁଥିଲା। ଝିଅକୁ ଏକାକୀ ଛାଡି କାମକୁ ମଧ୍ୟ ଯାଇପାରୁନଥିଲା। କୌଣସି କାମ କରିପାରୁନଥିବା ବେଳେ ଟଂକା ପାଖରେ ନଥିଲା। ଦିନ ଦିନ ଧରି ଉପବାସ ରହିବାକୁ ପଡୁଥିଲା। ଏନେଇ ସବୁବେଳେ ମନ୍ଦ ଚିନ୍ତାରେ ରହୁଥିଲା। ମିଲି ପ୍ରଥମେ ମାଆ ଛେଉଁଣ୍ଡ ହୋଇଥିବା ବେଳେ ଏବେ ବାପାଙ୍କୁ ମଧ୍ୟ ହରାଇଲା। ୬ ବର୍ଷର ମିଲି ତା ଉପରେ କଣ ବିତୁଛି କିଛି ଜାଣିପାରୁନାହିଁ। ବାପା ମାଆଙ୍କୁ ହରାଇ ସେ ଏବେ ଦୁଃଖରେ। ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସମସ୍ତେ ମନ୍ଦଙ୍କର ଏଭଳି ନିଷ୍ପତ୍ତିକୁ ନିନ୍ଦା କରୁଛନ୍ତି। କିନ୍ତୁ ମନ୍ଦଙ୍କୁ ସେହି ସହଯୋଗର ହାତ ବଢାଇନଥିବାରୁ ସେ ବାଧ୍ୟ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି। ଏନେଇ ଚିତ୍ରକୋଣ୍ଡା ତହସିଲଦାର ମଧ୍ୟ ଜାଣିଥିବା ସ୍ବୀକାର କରିଛନ୍ତି।

ତେବେ ରେଡକ୍ରସ ତରଫରୁ ତାଂକୁ କିଛି ସାହାଯ୍ୟ କରିବା ନେଇ ଲେଖିବେ ବୋଲି କହିଛନ୍ତି। ଏଥିସହ ସ୍କୁଲ ଖୋଲିବା ପରେ ଝିଅ ମିଲିକୁ ମଧ୍ୟ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠେ ସରକାରଙ୍କର ମାଳ ମାଳ ଯୋଜନା। କିନ୍ତୁ ମନ୍ଦ ପାଇଁ ସେସବୁ ପାଣିର ଗାର ସଦଶ୍ୟ। ଝିଅ ମିଲି ପାଇଁସେ ଦୀର୍ଘ ବର୍ଷ ଧରି କଷ୍ଟ ସହି ଆସୁଥିଲା। କିନ୍ତୁ ଆଉ ପାରିଲା ନାହିଁ। ବହୁ ଲୋକଙ୍କ ନିକଟରେ କାକୁତି ମିନତି ମଧ୍ୟ ହୋଇଛି। କିନ୍ତୁ ସବୁଥିରେ ସେ ଫେଲ ମାରିବା ପରେ ଏଭଳି ନିଷ୍ପତ୍ତି ନେଇଥିବା ସ୍ଥାନୀୟ ଲୋକେ କହନ୍ତି। ତେବେ ଝିଅ ମିଲିକୁ ତୁରନ୍ତ ଶିଶୁ ଗୃହରେ ଥଇଥାନ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର