ଭବାନୀପାଟଣାରେ ଭାଲୁ ଆତଙ୍କ ଘଟଣା: ବନ ବିଭାଗ ଅପରେସନ ଫେଲ, କାବୁକରି ପାରିଲେନି

୪ ସହରବାସୀଙ୍କୁ ଗୋଟିଏ ପଟେ କରୋନା ଓ ଅନ୍ୟ ପଟେ ଜଙ୍ଗଲୀଭାଲୁ ଆତଙ୍କ ଖେଳାଉଛି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଗତ ଗୁରୁବାର ବିଳମ୍ବିତ ରାତି ପର ଠାରୁ ଶନିବାର ପର୍ଯ୍ୟନ୍ତ ଜଙ୍ଗଲୀ ଭାଲୁ ଆତଙ୍କ ଖେଳାଇଛି। ବନ ବିଭାଗର ଅପରେସନ ଫେଲ ହେବା ଯୋଗୁଁ ସହରବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ବିଭାଗ କର୍ତ୍ତୃପକ୍ଷଙ୍କ ଅଭିଜ୍ଞତା ଅଭାବ ଯୋଗୁଁ ଲୋକଙ୍କ ମଧ୍ୟରେ ଛନକା ପଶିଛି। ଭାଲୁ ଆକ୍ରମଣରେ ଏପର୍ଯ୍ୟନ୍ତ ୭ ଜଣ ଆହତ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ଅପରେସନ ଫେଲ ମାରିଛି। ଗତକାଲି ବିଳମ୍ବିତ ରାତିରେ ବନ କର୍ମଚାରୀଙ୍କୁ ଚଖମା ଦେଖାଇ ଭାଲୁ ଚମ୍ପଟ ମାରିଛି। ଭବାନୀପାଟଣା ସହରଠାରୁ ୨ କିଲୋମିଟର ଦୂର କୁସାଡୁଙ୍ଗରି ଠାରେ ଲୋକେ ଭାଲୁକୁ ଦେଖି ଭୟଭୀତ ହୋଇଥିଲେ। ଏନେଇ ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଂଚି ଟ୍ରାଙ୍କୁଲାଇଜ କରିବା ପାଇଁ ଉଦ୍ୟମ କରୁଛନ୍ତ। କିନ୍ତୁ ଟ୍ରାଙ୍କୁଲାଇଜ ମଧ୍ୟ ଫେଲ ମାରିଛି।

ଏନେଇ ସାଧାରଣରେ ଭୃକୁଞ୍ଚନ ଦେଖା ଦେଇଛି। ବନ ବିଭାଗ ପକ୍ଷରୁ ୪ ଟି ମୋବାଇଲ ଗାଡି ସହିତ ୩୦ ଜଣ ବନ କର୍ମଚାରୀ ନିୟୋଜିତ ହୋଇ ପେଟ୍ରୋଲିଂ କରୁଛନ୍ତି ଗତକାଲି ବନ ବିଭାଗ ଫରେଷ୍ଟର ଯୋଗେନ୍ଦ୍ର ମାଝୀଙ୍କୁ ଭାଲୁ ଆକ୍ରମଣ କରି କ୍ଷତାକ୍ତ କରିଥିଲା। ଅନ୍ୟ ପକ୍ଷରେ ଭାଲୁକୁ ଦେଖି ବର୍ତ୍ତିବା ପାଇଁ ଧାଉଁ ଥିବା ବେଳେ କର୍ଲାପାଟ ରେଞ୍ଜ ଅଫିସର ଗଜେନ୍ଦ୍ର ମାଥୁର ପଡିଯାଇ ଆହତ ହୋଇଥିଲେ ।

ବନ ବିଭାଗ କହିବା ଅନୁଯାୟୀ ଗତକାଲି ରାତି ସାଢ଼େ ୧୨ଟା ପରେ ଭାଲୁ ସହର ଛାଡି ବାହାରକୁ ଚାଲି ଯାଇଥିଲା। ଆହତ ହୋଇଥିବା ଗୁଲିସ ପଣ୍ଡା ଭାଲୁ ଆକ୍ରମଣରେ ଆହତ ହୋଇ ଗୁରୁତର ହେବା ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛ। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଅନ୍ୟ ଆହତ ଥିବା ଜଗଦୀଶ ପ୍ରସାଦ ଦାଶ, ମନୋହରଲାଲ ଅଗ୍ରୱାଲ, ସୌରଭ ବେହେରା, ଗଙ୍ଗାଧର ମାଝୀ, ଫରେଷ୍ଟର ଯୋଗେନ୍ଦ୍ର ମାଝୀ ଓ ଜଣେ ମହିଳା ଭବାନୀପାଟଣା ଠାରେ ଚିକିତ୍ସାଧୀନ ଅଛନ୍ତି। ଏପର୍ଯ୍ୟନ୍ତ ୭ ଜଣ ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି ।

ବାରମ୍ବାର ଟ୍ରାଙ୍କୁଲାଇଜ କରାଯିବା ପରେ ଭାଲୁ କାବୁ ହୋଇ ପାରୁନ ଥିବା ବେଳେ ବିଭାଗୀୟ ରଣକୌଶଳ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଉତ୍ତର ବନ ଖଣ୍ଡ ଡିଏଫଓ ନୀତିଶ କୁମାରଙ୍କୁ ପଚାରିବାରୁ ଗତକାଲି ରାତି ସାଢେ ୧୨ଟା ପରେ ଭାଲୁ ସହର ଛାଡି ନିକଟସ୍ଥ କୁସାଡଙ୍ଗରି ଅଞ୍ଚଳରେ ଆଛି। ୩୦ ଜଣିଆ ଟିମ ପେଟ୍ରୋଲିଂ କରୁଛନ୍ତି। ବାରମ୍ବାର ଟ୍ରାଙ୍କୁଲାଇଜ ଦେବା ପରେ ମଧ୍ୟ ଭାଲୁ କାବୁ ନହେବା ଯୋଗୁଁ ହାଇଡୋଜ ବଢା ଯାଉଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର