ଆଳି: ଆଷାଢ ମାସରେ ଆଶାନୁରୂପ ବର୍ଷା ନାହିଁ। ଆକାଶରେ ନିତିଦିନ କଳା ହାଣ୍ଡିଆ ମେଘ ଥାଟପତ୍ର ଭାଙ୍ଗୁଛି। ହେଲେ ବର୍ଷା ହେଉନି। ଚାଷୀ ଆକାଶକୁ ଚାହିଁଚାହିଁ ନିରାଶ ହେଉଛନ୍ତି। ଚାଷଜମିରେ ପାଣି ନାହିଁ। ଫଳରେ ତଳି ଉପୁଡା, ରୁଆ, ବେଉଷଣ କାମ ହୋଇ ପାରୁନି। ଏମିତି ସମୟରେ ଖାଲୁଆ କିସମ ଜମିରେ ଯେଉଁଠି ବି ରୁଆ, ବେଉଷଣ କାମ ହେଉଛି ସେଠି ଜମିରେ ପକାଇବାକୁ ସାର ପାଉନାହାନ୍ତି ଚାଷୀ। ବ୍ଲକ କୃଷି ବିଭାଗର ରିପୋର୍ଟ ଅନୁସାରେଚଳିତ ଖରିଫ ଋତୁରେ ଆଳି ବ୍ଲକର ୩୪ ପଞ୍ଚାୟତର ମୋଟ ୯ ହଜାର ୩୦୦ ହେକ୍ଟର ଜମିରେ ଶାରଦ ଧାନଫସଲ ହେଉଛି। ସେଥିମଧ୍ୟରୁ ଏଯାବତ ୩ ହଜାର ହେକ୍ଟର ଜମିରେ ଧାନବୁଣା କାମ ସରିଛି। ଅବଶିଷ୍ଟ ଜମିରେ ରୁଆଧାନ ପାଇଁ ତଳି ପଡି ରହିଛି। ତଳିଧାନ, ବୁଣାଜମିରେ ସାର ପକାଇବା ପାଇଁ ଚାଷୀ ସାର ପାଉନଥିବା ଅଭିଯୋଗ ହେଉଛି। ଚଳିତ ବର୍ଷ ମାର୍କଫେଡ ପକ୍ଷରୁ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ସାର ଯୋଗାଣର ବ୍ୟବସ୍ଥା ହୋଇଛି ବୋଲି କୁହାଯାଉଛି। ତେବେ ବ୍ଲକର ୧୧ ଟି ସମବାୟ ସମିତି ମଧ୍ୟମରୁ ଅଦ୍ୟାବଧି ଅଧାରୁ ଅଧିକ ସମିତିରେ ସାର ପହଞ୍ଚି ପାରିନାହିଁ।

Advertisment

ଅନ୍ୟ ସମିତିଗୁଡିକରେ ଯାହା ବି ସାର ପହଞ୍ଚିଛି ତାହା ଚାଷୀର ଆବଶ୍ୟକତା ତୁଳନାରେ ସମୁଦ୍ରକୁ ଶଂଖେ ପ୍ରମାଣ। ଆଳି ବ୍ଲକର ବାଟିପଡା ସମିତିରେ ୪୯.୯୫ କୁଇଣ୍ଟାଲ ୟୁରିଆ, ୧୨ ବଟଲ୍ ନାନୋ ୟୁରିଆ, ପତ୍ରପୁର ସମିତିରେ ୫୦ କୁଇଣ୍ଟାଲ ଡିଏପି, ୪୯.୯୫ କୁଇଣ୍ଟାଲ ୟୁରିଆ,୧୨ ବୋତଲ ନାନୋ ୟୁରିଆ, ଦେମାଳ ସମିତିରେ ୯୯ କୁଇଣ୍ଟାଲ ୯୦ କିଲୋ, କଣ୍ଟିପୁର ସମିତିରେ ୯ କୁଇଣ୍ଟାଲ ୯୦ କିଲୋ କେବଳ ମାତ୍ର ୟୁରିଆ ପହଞ୍ଚି ଥିବା ବେଳେ ଆଳି ଧୋୟାଞ୍ଚଳର ଏକମାତ୍ର ଗୋବିନ୍ଦପୁର ସମିତିରେ ୨୯ କୁଇଣ୍ଟାଲ ଡିଏପି, ୫୮ କୁଇଣ୍ଟାଲ ୟୁରିଆ ଓ ୫୦ ବୋତଲ ନାନୋ ୟୁରିଆ ପହଞ୍ଚିଛି। ତେବେ ବ୍ଲକର ୫ଟି ସମିତିରେ ଆବଶ୍ୟକତାଠୁ କମ୍ ପରିମାଣର ସାର ପହଞ୍ଚିଥିବା ବେଳେ ଅନ୍ୟ ୬ ସମିତିରେ ଆଦୌ ସାର ପହଞ୍ଚିନଥିବା ବ୍ଲକ କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଗୋଟିଏ ପଟରେ  ଚାଷୀମାନେ ଜମି ହଳ, ବେଉଷଣ କରି ଧାନତଳି ରୁଆ ପାଇଁ ପ୍ରସ୍ତୁତ କରି ରଖିଥିବା ବେଳେ ବର୍ଷା ଅଭାବ ବାଧକ ସାଜିଛି। ସାରର ଅଭାବ ଚାଷୀ ମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି।

ସେମାନେ ଯାହା କୁହନ୍ତି-

ତେଲ ଦର ବୃଦ୍ଧି କାରଣରୁ ଟ୍ରାକ୍ଟରରେ ହଳ ଖର୍ଚ୍ଚ ଦୁଇଗୁଣା ପଡିଛି। ଧାରକରଜ କରି ୬/୭ ଏକର ଚାଷ କରିଛି। ଏମିତି ସମୟରେ ତଳି ରୋଇବା ପାଇଁ ଅପେକ୍ଷା ବେଳକୁ ବର୍ଷା ନାହିଁ। ଜମି ସଜାଡି ବର୍ଷାକୁ ଅନେଇ ବସିଛୁ। ହେଲେ ବର୍ଷା ନାହିଁ।ଏଇ ସପ୍ତାହରେ ଆବଶ୍ୟକୀୟ ବର୍ଷା ନହେଲେ ଚାଷ ଉଜୁଡି ଯିବ ଆମେ ସର୍ବସ୍ବାନ୍ତ ହୋଇଯିବୁ।
ରତ୍ନାକର ଜେନା, ଚାଷୀ, ମହୁ
ବାସ୍ତବରେ ଏ ବର୍ଷର ପାଣିପାଗ ଯୋଗୁଁ ଚାଷୀ ହତାଶ ହୋଇପଡିଛନ୍ତି। ବହୁ ଖର୍ଚ୍ଚାନ୍ତ ହୋଇ ଚାଷ କରିଛନ୍ତି। ବର୍ଷା ଅଭାବରୁ ଚାଷୀ ଆକାଶକୁ ଚାହିଁଚାହିଁ ନିରାଶ ହେଲେଣି। ଏଭଳି ସମୟରେ ଉଠାଜଳସେଚନ ବ୍ୟବସ୍ଥାକୁ ଉପଯୋଗ କରାଯାଇ ଜମିକୁ ଜଳ ଯୋଗାଣ କରାଗଲେ ଚାଷୀକୂଳ ଉପକୃତ ହୋଇ ପାରନ୍ତେ।
-ସୁବ୍ରତ ବେହୁରା, ସମବାୟ ସମିତି ସଭାପତି, ପତ୍ରପୁର
ଏ ବର୍ଷ ଚାଷରେ ସବୁଠୁ ଅଧିକ ଖର୍ଚ୍ଚାନ୍ତ ହୋଇଛୁ। ଚାଷ କାମ ପାଇଁ ତଳି, ଜମି ସଜାଡି ରହିଛୁ। ବର୍ଷା ହେଉନାହିଁ, ହଳ ବେଉଷଣ ହୋଇ ଜମି ଶୁଖୁଛି। ବୁଣାଧାନରେ ଦେବା ପାଇଁ ସାର ମିଳୁନାହିଁ। ଏମିତି ସମୟରେ ଆମେ କଣ କରିବୁ ଚିନ୍ତା କରି ପାରୁନାହୁଁ।
କହ୍ନେଇ ଖଣ୍ଡୁଆଳ, ଚାଷୀ, ସାହୁପଡା