ପେଟ୍ରୋଲ-ଡିଜେଲ ପରେ ଏବେ ବଢିଛି କିରୋସିନି ଦାମ, ମାର୍ଚ୍ଚରେ ଥିଲା ୬୩, ଏପ୍ରିଲରେ ୭୮ ଟଙ୍କାରେ ପହଞ୍ଚିଛି

ହିତାଧିକାରୀଙ୍କ ଅସନ୍ତୋଷ ବଢୁଛି

ମାଲକାନଗିରି: ଏବେ ସାରା ଭାରତରେ ପେଟ୍ରୋଲ ଓ ଡିଜେଲର ଦର ଆକାଶ ଛୁଆଁ ହୋଇଥିବା ବେଳେ ମାଲକାନଗିରିରେ କିନ୍ତୁ ଏହି ଦର ରାଜ୍ୟର ସର୍ବାଧିକ ଦର ରେକର୍ଡ କରିସାରିଛି। ପେଟ୍ରୋଲ, ଜିଡେଲ ଦର ପରେ ଏବେ କିରୋସିନିର ପାଳି ପଡିଛି। ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଲୋକେ ଅତି ଗରିବ ଶ୍ରେଣୀର। ଏହି ଅଞ୍ଚଳର ଲୋକେ ପ୍ରାୟତଃ ଦିନ ମଜୁରିଆ, ଚାଷୀ ଏବଂ ଗରିବ ରେଖା ତଳେ ରହିଛନ୍ତି। ଜିଲ୍ଲାରେ ପ୍ରାୟତଃ ବିଦ୍ୟୁତ ସରବାରହ ଦୁର୍ଗମ ଅଞ୍ଚଳରେ ଏବେ ବି ପହଞ୍ଚିନଥିବା ବେଳେ ଲୋକେ କିରୋସିନି ଉପରେ ନିର୍ଭର କରିଥାନ୍ତି। ତେବେ ଗତ ଏକ ମାସ ମଧ୍ୟରେ ଏହା ୧୫ ଟଙ୍କା ବଢିଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାରେ ୧୨ଟି ଡିପୋ ରହିଛି। ଏହି ୧୨ଟି ଡିପୋରୁ ଜିଲ୍ଲାର ୧୧୧ଟି ପଞ୍ଚାୟତକୁ କିରୋସିନି ବଣ୍ଟନ କରାଯାଇଥାଏ। ଗତ ତିନିମାସ ପରେ ଏବେ ପୁଣି ତିନିମାସର କିରୋସିନି ଆସିଥିବା ଜଣାପଡିଛି।

ତେବେ ଗତ ମାର୍ଚ୍ଚ ମାସରେ ଜିଲ୍ଲାର ମାଲକାନଗିରିରେ ୬୩.୨୨ ଟଙ୍କା ରହିଥିବା ବେଳେ ପଦ୍ମଗିରିରେ ୬୩.୪୨ ଟଙ୍କା, କୋରକୋଣ୍ଡାରେ ୬୩.୪୨ ଟଙ୍କା, ମାଥିଲିରେ ୬୩.୫୬ ଟଙ୍କା, କିଆଙ୍ଗରେ ୬୩.୬୯ ଟଙ୍କା, ଚିତ୍ରକୋଣ୍ଡାରେ ୬୩.୬୩ ଟଙ୍କା, ଖଇରପୁଟରେ ୬୩.୬୫ ଟଙ୍କା, କୁଡୁମୁଲୁଗୁମ୍ମାରେ ୬୩.୫୯ ଟଙ୍କା, କାଲିମେଳାରେ ୬୩.୫୧ ଟଙ୍କା, ପଡିଆରେ ୬୨.୬୭ ଟଙ୍କା, ଏମଭି-୧୬ରେ ୬୩.୪୨ ଟଙ୍କା ଏବଂ ଏମଭି-୮୮ରେ ୬୩.୭୨ ଟଙ୍କା ରହିଥିଲା। ତେବେ ଏହା ଚଳିତ ଏପ୍ରିଲରେ ୧୫ ଟଙ୍କା ବର୍ଦ୍ଧିତ ହୋଇ ୭୮ରେ ପହଞ୍ଚଥିଲା। ତେବେ ଜିଲ୍ଲାର ଏହି ୧୨ଟି ଡିପୋ ମଧ୍ୟରୁ ମାଲକାନଗିରି ଡିପୋରେ ୭୮.୩୧ ଟଙ୍କା ରହିଥିବା ବେଳେ ପଦ୍ମଗିରିରେ ୭୮.୫୧ ଟଙ୍କା, କୋରକୋଣ୍ଡାରେ ୭୮.୫୧ ଟଙ୍କା, ମାଥିଲିରେ ୭୮.୬୫ ଟଙ୍କା, କିଆଙ୍ଗରେ ୭୮.୬୯ ଟଙ୍କା, ଚିତ୍ରକୋଣ୍ଡାରେ ୭୮.୭୩ ଟଙ୍କା, ଖଇରପୁଟରେ ୭୮.୭୫ ଟଙ୍କା, କୁଡୁମୁଲୁଗୁମ୍ମାରେ ୭୮.୬୯ ଟଙ୍କା, କାଲିମେଳାରେ ୭୮.୬୧ ଟଙ୍କା, ପଡିଆରେ ୭୮.୭୬ ଟଙ୍କା, ଏମଭି-୧୬ରେ ୭୮.୫୧ ଟଙ୍କା ଏବଂ ଏମଭି-୮୮ ଡିପୋରେ ୭୮.୮୨ ଟଙ୍କା ରହିଛି।

Sambad

ତେବେ ଏକ ମାସ ମଧ୍ୟରେ ଏକା ସଙ୍ଗେ ୧୫ ଟଙ୍କା ବଢିଥିବାରୁ ବିଶେଷକରି ଚାଷୀ ବହୁ ହଇରାଣ ହେଉଛନ୍ତି। ଚାଷ ପାଇଁ କିରୋସିନିର ଆବଶ୍ୟକତା ବେଶୀ ରହୁଥିବାରୁ ଚାଷୀ କିରୋସିନି ଖରିଦ କରି ଏବେ ଚାଷ କରିବା ମୁସକିଲ ହେଉଥିବା କହିଥିଲେ। ଅନ୍ୟ ଦିଗରେ ଡିଜେରର ଦର ୧୧୮ ଟଙ୍କାରେ ପହଞ୍ଚିଥିବା ବେଳେ କିରୋସିନି ମଧ୍ୟ ଏହି ଦର ପର୍ଯ୍ୟନ୍ତ ଖୁବ ଶୀଘ୍ର ପହଞ୍ଚିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ସେହିପରି ଦୁର୍ଗମ ଅଞ୍ଚଳର ଲୋକେ ଏବେ ବି ଡିବିରି କୁ ହିଁ ଭରସା କହି ରହୁଥିବାରୁ ସେମାନଙ୍କୁ କିରୋସିନି ନିତ୍ୟାନ୍ତ ଆବଶ୍ୟକ ପଡୁଛି। ଗରିବ ଲୋକେ ଏତେ ଟଙ୍କାରେ କିପରି କିରୋସିନି ଖରିଦ କରିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ଲୋକେ।

ତେବେ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟରେ ୧,୪୮,୭୬୧ ଜଣ ପରିବାରକୁ କିରୋସିନି ପ୍ରଦାନ କରାଯାଉଥିବା ବେଳେ ସଦସ୍ୟ ସଂଖ୍ୟା ୫,୧୪,୮୪୩ ବ୍ୟବହାର କରୁଛନ୍ତି। ଏମାନଙ୍କୁ ୧,୫୦,୮୪୩ ଲିଟୋର କିରୋସିନି ପ୍ରତି ମାସରେ ପ୍ରଦାନ କରାଯାଉଥିବା ବିଭାଗ କହିଛି। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫୧୧୯ଟି ପରିବାର ୧୭,୭୪୦ ଜଣ ସଦସ୍ୟ ପାଇଁ ପ୍ରତିମା ସରେ ୫୧୯୦ ଲିଟର କିରୋସିନି ପ୍ରଦାନ କରାଯାଉଥିବା ବିଭାଗ କହିଛି। କିରୋସିନିର ବର୍ଦ୍ଧିତ ଦରକୁ ନେଇ ଏବେ ଜିଲ୍ଲାରେ ଆନ୍ଦୋଳନର ଦାନା ବାନ୍ଧୁଛି। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କୁ ପଚରାଯିବାରୁ ସେ ବର୍ଦ୍ଧିତ କିରୋସିନି ଦରକୁ ସ୍ବୀକାର କରିବା ସହ ଆଗକୁ ହୁଏତ କମିପାରେ ବୋଲି କହିଥିଲେ। ତେବେ ଜିଲ୍ଲାର ଗରିବ ସାଧାରଣ ଲୋକ କିପରି ଏହି ଦରକୁ ସାମ୍ନା କରିବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର