ପେଟ୍ରୋଲ୍‌ ଦର ୯୦ ପାର୍; ମହଙ୍ଗା ମାଡ଼ରେ ଅତିଷ୍ଠ ସହରବାସୀ, ତେଜୁଛି ଅସନ୍ତୋଷ 

ବ୍ରହ୍ମପୁର: ବ୍ରହ୍ମପୁରରେ ଚଳିତ ମାସରେ ପେଟ୍ରୋଲ୍ ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଆଜି ଲିଟର୍‌ ପିଛା ଦର ୯୦ଟଙ୍କା ୩୬ପଇସାରେ ପହଞ୍ଚିଛି। ଯାହାକି ସର୍ବକାଳୀନ ରେକର୍ଡ଼ ଭାଂଗିଛି ବୋଲି ସହରରେ ଚର୍ଚ୍ଚା ହେଉଛି। ଏପରିକି ସ୍ବାଧୀନତା ପରଠୁ ମଧ୍ୟ କେବେ ‌ପେଟ୍ରୋଲ୍‌ ଦର ୯୦ଟଙ୍କା ଛୁଇଁ ନଥିଲା ବୋଲି  କିଛି ବଜାର ବି‌ଶେଷଜ୍ଞ ପ୍ରକାଶ କରିଛନ୍ତି। ଗତ ଦୁଇଦିନ ହେଲା ପେଟ୍ରୋଲ୍ ଦର ୯୦ଟଙ୍କା ପାର୍‌ ହୋଇ ସାରିଥିବା ବେଳେ ଆଗକୁ ଆହୁରି ବଢ଼ିବା ସମ୍ଭାବନା ରହିଛି।  ଡିଜେଲ୍ ଦର ମଧ୍ୟ ସମାନ ଢଙ୍ଗରେ ବୃଦ୍ଧି ପାଇ  ଲିଟର ପିଛା ୮୬ଟଙ୍କା ୯୮ପଇସା ହେଲାଣି। ତଥ୍ୟ ମୁତାବକ ଚଳିତମାସ ପହିଲାରେ ବ୍ରହ୍ମପୁରରେ ପେଟ୍ରୋଲ୍ ଦର ୮୮ଟଙ୍କା ୩୧ପଇସା ଥିଲା। ୪ ତାରିଖରେ ୨୪ପଇସା ବୃଦ୍ଧି ପାଇ ଟ୮୮.୫୫ ହୋଇଥିଲା। ୫ତାରିଖରେ ପୁଣି ୩୦ପଇସା ବୃଦ୍ଧି ପାଇ ଟ୮୮.୮୫ରେ ପହଁଚିଥିଲା। ପୁଣି ୯ତାରିଖରୁ କ୍ରମାଗତ ଦର ବୃଦ୍ଧି ଘଟିବାରେ ଲାଗିଛି। ସେହିଦିନ ପେଟ୍ରୋଲ୍ ଦର ୮୮ଟଙ୍କା ୮୫ପଇସା ହୋଇଥିବା ବେଳେ ୯ତାରିଖରେ ଟ୮୯.୨୧, ୧୦ରେ ଟ୮୯.୫୧, ୧୧ରେ ଟ୮୯.୭୬, ୧୨ରେ ଟ୯୦.୦୬ପଇସା ହୋଇଥିଲା।

ସେହିପରି ଚଳିତମାସ ପହିଲାରେ ବ୍ରହ୍ମପୁରରେ ଡ‌ିଜେଲ୍ ଦର (ଲିଟର୍‌ ପ୍ରତି)୮୪ଟଙ୍କା ୬୨ପଇସା ଥିବା ବେଳେ ତିନି ଦିନ ପରେ ଏହା ଟ୮୪.୮୮ ପଇସା ହୋଇଥିଲା। ୫ରେ ୪୩ପଇସା ବୃଦ୍ଧି ପାଇ ଟ୮୫.୨୧ ହୋଇଥିଲା। ପୁଣି ୪ଦିନ ପରେ ୩୯ପଇସା ବୃଦ୍ଧି ଘଟି ଟ୮୫.୬୦ ହୋଇଥିଲା। ୧୦ରେ ଟ୮୫.୮୯, ୧୧ରେ ଟ୮୬.୨୦, ୧୨ରେ ଟ୮୬. ୫୮ ଏବଂ  ଆଜି ୮୬ଟଙ୍କା ୯୮ପଇସାରେ ପହଁଚିଥିଲା।

ପ୍ରତିଦିନ ପେଟ୍ରୋଲ୍‌ ଓ ଡିଜେଲ୍‌ର ଦର ବୃଦ୍ଧି ଘଟି ଚାଲୁଥିବା ବେଳେ ଏହାର ପ୍ରଭାବ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ପଢ଼ୁଛି। ପେଟ୍ରୋଲ ଓ ଡ଼ିଜେଲ୍ ବୃଦ୍ଧିକୁ ନେଇ ଏବେ ସହରରେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବି ହୁହୁ ହୋଇ ବଢ଼ିଚାଲିଛି। ‘କରୋନା’ର କ୍ରୁର ପ୍ରଭାବ ଯୋଗୁଁ ଅଧିକାଂଶ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ଏବେ ବସ୍‌ ଭଡ଼ା ଠାରୁ ଆରମ୍ଭ କରି ବଜାରର ମହଙ୍ଗାମାଡ଼ ସହରବାସୀଙ୍କୁ ଅତିଷ୍ଠ କରୁଛି।

ଅନ୍ୟପକ୍ଷେ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରି ବିଭିନ୍ନ ଅନୁଷ୍ଠାନ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେଣି। ଗତମାସ ୩୦ତାରିଖରେ ଖଲ୍ଲିକୋଟ କଲେଜ ଖେଳପଡ଼ିଆରେ ରାଜ୍ୟ କଂଗ୍ରେସ୍‌ ପକ୍ଷରୁ ଆୟୋଜିତ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ ଅବସରରେ ପିସିସି ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକ ‌ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ୧୫ଦିନ ମଧ୍ୟରେ ଦର ନିୟନ୍ତ୍ରଣ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଚେତବାନୀ ଦେଇଥିଲେ। ନଚେତ୍ ଆସନ୍ତା ୧୫ରେ ଓଡ଼ିଶା ବନ୍ଦ କରାଯିବ ବୋଲି କହିଥିଲେ। କେବଳ କଂଗ୍ରେସ ନୁହଁ ବରଂ ଅନ୍ୟାନ୍ୟ ସଂଗଠନ ଗୁଡିକ ବି ଏଭଳି ଦରବୃଦ୍ଧି ଅତିଷ୍ଠ ହେବା ସହ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର