ଜୟପୁର: ଶାନ୍ତିର ପ୍ରତୀକ କପୋତ ‘ପାରା’ ପ୍ରେମ ଓ ବନ୍ଧୁତ୍ୱର ସୁତ୍ରରେ ବାନ୍ଧି ହୋଇଯାଇଛନ୍ତି ଅବକାରୀ ବିଭାଗର ଅବସରପ୍ରାପ୍ତ ଡେପୁଟି କମିସନର ଦାଶରଥୀ ବୁରୁଦା। ଏଭଳି ନିଆରା ଚିତ୍ର କୋରାପୁଟ ଜିଲ୍ଲା ଜୟପୁର ସହର ଉପକଣ୍ଠରେ ଥିବା ତେଲିଗୁଡା ଗାଁ ନିକଟସ୍ଥ ଜଗନ୍ନାଥ ଫୁଏଲସରେ ଦେଖିବାକୁ ମିଳିଛି। ସକାଳ ଠାରୁ ସଂଧ୍ୟା ପର୍ଯ୍ୟନ୍ତ ଦିନ ତମାମ ସହରର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ପାରା ଖାଦ୍ୟ ପାଇଁ ତାଙ୍କ ପେଟ୍ରୋଲ ଟାଙ୍କି ନିକଟରେ ଜମା ବାନ୍ଧି ରହୁଛନ୍ତି। ଖାଦ୍ୟ ଦେବାରେ ବିଳମ୍ବ ହେବା ମାତ୍ରକେ ପାରା ଗୁଡିକ ତାଙ୍କ ଚାମ୍ବର ଭିତରକୁ ବି ପଶି ଆସୁଥିବା କହିଛନ୍ତି ଦାଶରଥୀ।
/sambad/media/post_attachments/wp-content/uploads/2020/11/JPR-PARA-1-1024x576.jpg)
ଖାଦ୍ୟ ଖାଇବା ପରେ ପାରା ଗୁଡିକ ସହରର ବିଭିନ୍ନ କୋଣ ଅନୁକୋଣକୁ ଉଡ଼ି ପଳାଇଥାନ୍ତି। ତା ପର ଦିନ ସକାଳୁ ପୁଣି ହାଜର ହୋଇଯାଆନ୍ତି। ଦାଶରଥୀ ବୁରୁଦା ଜଗନ୍ନାଥ ଫୁଏଲ୍ ପେଟ୍ରୋଲ ପମ୍ପର ମାଲିକାନା ନେବା ପରେ କିଛି ଚଢ଼େଇଙ୍କୁ ଖାଦ୍ୟ ଦେବା ପାଇଁ ମୁଠାଏ ଗହମ ଦାନା ବୁଣି ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଦିନକୁ ଦିନ ଏଠାରେ ପାରାମାନଙ୍କର ସଂଖ୍ୟା ବିଢ଼ିବାରେ ଲାଗିଥିଲା। ଏହା କ୍ରମଶଃ ବଢ଼ିବା ସହ ଦିନକୁ ଶହେରୁ ଉର୍ଦ୍ଧ୍ଵ କିଲୋ ଗହମ ଖାଇବାକୁ ଦିଆଯାଉଛି।
ବହୁ ସମୟରେ ଖାଦ୍ୟ ଅନେ୍ଵଷଣରେ ଆସିଥିବା ପାରା ଗାଡି, ବାଇକ ଚାପାରେ ମୃତ୍ୟୁବରଣ କରୁଛନ୍ତି। ସେଭଳି ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ବିଦ୍ୟୁତ ତାରରେ ବସି ବି ମରିଯାଉଥିବା କହିଛନ୍ତି ଦାଶରଥୀ।
ତେବେ କଥା ବୁଝୁନଥିବା ପାରାଙ୍କୁ ସେ କିଭଳି ବୁଝାଇବେ ଯେ ବିଦ୍ୟୁତ ତାର ଉପରେ ନ ବସିବା ପାଇଁ ଏବଂ ତାଙ୍କ ପାଇଁ କରାଯାଇଥିବା ସ୍ଥାନରୁ ବାହାରକୁ ବାହାରି ପେଟ୍ରୋଲ ପମ୍ପ ମଧ୍ୟକୁ ନ ଆସିବା ପାଇଁ। ପାରାଗୁଡ଼ିକ ମରିଯିବା ପରେ ଦୁଃଖ ଲାଗୁଛି। ପଶୁ ପକ୍ଷୀ, ଜୀବଜନ୍ତୁଙ୍କର ଜୀବନ ବି ଅଛି। ସମସ୍ତଙ୍କୁ ବଂଚିବା ପାଇଁ ଭଗବାନ ସୃଷ୍ଟି କରିଛନ୍ତି। ଯିଏ ଯେତେ ପାରିଲା ମଣିଷ ଜୀବନ ଥିବା ଯାଏଁ ପାଟି ନଥିବା ଜୀବଜନ୍ତୁଙ୍କୁ ସହଯୋଗ କରିବା, ଖାଦ୍ୟ, ପାନୀୟ ଆଦି ପ୍ରଦାନ କରିବା ଆବଶ୍ୟକ ବୋଲି କହିଛନ୍ତି ଦାଶରଥୀ। ତାଙ୍କ ଭଳି ଅନ୍ୟ କେହି ଯଦି ସହରରେ ଏଭଳି ଖାଦ୍ୟ ଦେଇ ଥିଲେ ଏତେ ସଂଖ୍ୟକ ପାରା ଏତେ ଦୁର ଉଡ଼ି ଉଡ଼ି ଆସିନଥାନ୍ତେ। ଛୋଟ ବଡ ଦୁର୍ଘଟଣାର ଶିକାର ହୋଇ ମରି ନଥାନ୍ତେ। ସୁନ୍ଦର ଏହି ପୃଥିବୀରେ ଜୀବଜନ୍ତୁ ଯେଭଳି ବଂଚିବେ ସେ ଦିଗରେ ସମସ୍ତଙ୍କୁ ପ୍ରୟାସ କରିବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/JPR-PARA-1.jpg)