ମାଲକାନଗିରିରେ ସେଞ୍ଚୁରି ମାରିବ ପେଟ୍ରୋଲ ଦର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଓଡିଶାର ସର୍ବୋଚ୍ଚ ପେଟ୍ରୋଲ ଦର ରହିଛି। ଜିଲ୍ଲାରେ ପେଟ୍ରୋଲ ଦର ୯୫ ଛୁଇଁଥିବା ବେଳେ ଆଉ ମାତ୍ର ୫ ଟଙ୍କା ବଢିବା ପରେ ଏହା ସେଞ୍ଚୁରି ମାରିବ ବୋଲି ଆଲୋଚନା ଜୋର ଧରିଛି। ଅର୍ଥାତ ଲିଟର ପିଛା ତେଲ ଦର ଶହେ ଟଙ୍କାରେ ପହଞ୍ଚିବ ବୋଲି କୁହାଯାଇଛି। ସେହିପରି ଡିଜେଲ ଦର ମଧ୍ୟ ୯୨ ଟଙ୍କା ଛୁଇଁବାକୁ ବସିଲାଣି। ପେଟ୍ରୋଲ ଓ ଡିଜେଲ ପ୍ରକୃତ ଦର ବର୍ତ୍ତମାନ ୯୫.୩୦ ପଇସା ପେଟ୍ରୋଲ ଦର ରହିଥିବା ବେଳେ ୯୧.୩୦ ପଇସା ଡିଜେଲ ଦର ରହିଛି।

ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢୁଥିବାରୁ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଯେଉଁମାନେ ଚାରିରୁ ପାଞ୍ଚ ଲିଟର ପକାଉଥିଲେ ସେମାନେ ଏବେ ଗୋଟିଏ ଲିଟର ପକାଇବା ଆରମ୍ଭ କଲେଣି। ସେହିପରି ବହୁ ସରକାରୀ ଏବଂ ବେସରକାରୀ ଅଧିକାରୀମାନେ ମଟର ସାଇକେଲ ବଦଳରେ ସାଇକେଲ ଚଳାଉଥିବା ଦେଖିବାକୁ ମିଳିଛି।

ଡିଜେଲ ଓ ପେଟ୍ରୋଲ ଦର ବଢୁଥିବାରୁ ଦୈନନ୍ଦିନ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡିଛି। ଯାହାଫଳରେ ଅତ୍ୟାବଶକୀୟ ଜିନିଷର ଦରଦାମ ମଧ୍ୟ ହୁ ହୁ ହୋଇ ବଢିଚାଲିଛି। ଯାହାକୁ ନେଇ ଲୋକ ଅସନ୍ତୋଷ ବଢିବାରେ ଲାଗିଛି। ଲୋକେ ମଟର ସାଇକେଲ ଏବଂ କାରକୁ ଘରେ ରଖିବାକୁ ବାଧ୍ୟ ହୋଇଛନ୍ତି।

ଏତେ ଟଙ୍କାରେ ଗାଡି ଚଲାଇବା କଷ୍ଟକର ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ଆଗକୁ ତେଲ ଦର କମିଲେ ହୁଏତ ଗାଡିଗୁଡିକ ବାହାରକୁ କାଢିବୁ ବୋଲି ମଧ୍ୟ କହିଥିଲେ।

ତେବେ ଜିଲ୍ଲାରେ ସର୍ବୋଚ୍ଚ ତେଲ ଦର ରହିଥିବାରୁ ବିଭିନ୍ନ ରାଜନୈତିକ ଦଳଗୁଡିକ ମଧ୍ୟ ଏନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରୁଛନ୍ତି। କିନ୍ତୁ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଛି। ପ୍ରତିଦିନ ତେଲ ଦର ୨୫ ପଇସାରୁ ଉର୍ଦ୍ଧ୍ବ ପଇସା ବଢିବାରୁ ଲାଗିଛି। ଲୋକଙ୍କ ନିୟନ୍ତ୍ରଣ ରେଖାରୁ ବାହାରେ ହୋଇଯାଇଛି ତେଲ ଦର। ତେଣୁ ତୁରନ୍ତ ତେଲ ଦର କମାଇବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର