ଜୟପୁର: କୋରାପୁଟ ଜିଲ୍ଲା ଜୟପୁରର ସିରିଡି ସାଇ ମନ୍ଦିର ସମ୍ମୁଖରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲରେ ଅପମିଶ୍ରଣ ଓ ପାଣି ବାହାରୁଥିବା ଅଭିଯୋଗ କରି ବହୁ ଗ୍ରାହକ ପେଟ୍ରୋଲ ଟାଙ୍କିରେ ପାଟିତୁଣ୍ଡ କରିଥିଲେ। ଏପରିକି ଟାଉନଥାନା ପୁଲିସ ବୁଝାସୁଝା କରିଥିଲେ ହେଁ କେହି ଶୁଣିନଥିଲେ। ସେମାନଙ୍କ କ୍ଷତିପୂରଣ କିଏ ଦେବ ବୋଲି ପ୍ରଶ୍ନ କରିବା ସହ କାହିଁକି ପ୍ରଶାସନ ପକ୍ଷରୁ ଦାୟିତ୍ବ ନେଇ ଠିକରେ ଯାଂଚ କରାଯାଉନି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଧିରେ ଧିରେ ଏହି ଅପମିଶ୍ରଣ ଓ ପାଣି ମିଶ୍ରିତ ତେଲ ଅଭିଯୋଗ ନେଇ ଗ୍ରାହକ ସଂଖ୍ୟା ବଢ଼ିବାରେ ଲାଗିଥିଲା। ଧିରେ ଧିରେ ଉତ୍ତେଜନା ବି ଦେଖାଦେବା ସହ ସବୁ ଟାଉନଥାନାରେ ଏନେଇ ଏତଲା ଦେବାକୁ ଆସିଥିଲେ। ଗ୍ରାହକମାନେ ପାଟିତୁଣ୍ଡ କରିବା ଦେଖି କର୍ମଚାରୀ ପେଟ୍ରୋଲ ଟାଙ୍କିରେ ତାଲା ପକାଇ ସେଠାରୁ ଗାଏବ ହୋଇଯାଇଥିଲେ।

Advertisment

ପ୍ରବୀର କୁମାର ମହାନ୍ତି ନାମକ ଯୁବକ ଜଣକ ନିଜର ବାଇକକୁ ସର୍ଭିସିଂ କରିବା ପରେ ଏହି ପେଟ୍ରୋଲ ଟାଙ୍କିରେ ୫୦୦ଟଙ୍କାର ତେଲ ପକାଇଥିଲେ। ତେବେ ଅଳ୍ପ ଦୁର ଯିବା ପରେ ଗାଡ଼ି ବନ୍ଦ ହୋଇଯାଇଥିଲା। ପୁଣି ସେ ସୋରୁମକୁ ଯାଇ ଗାଡ଼ି ମରାମତି କରିବା ପରେ ଗାଡ଼ି ଚାଲିଥିବା କହିଛନ୍ତି ପ୍ରବୀର। ସେଭଳି ଦୁର୍ଯ୍ୟୋଧନ ବିଷୋଇ ବି ସମାନୁରୁପ ସମସ୍ୟାରେ ପଡିଛନ୍ତି। ଏଭଳି ୧୦ଜଣ ଗ୍ରାହକ ଥାନାକୁ ଆସି ଅଭିଯୋଗ କରିଥିବା କହିଛନ୍ତି ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର। ଯେଉଁ ମେସିନରୁ ପାଣି ବାହାରୁଛି ସେହି ମେସିନକୁ ସମ୍ପୂର୍ଣ୍ଣ ଯାଂଚ ନ କରିବା ପର୍ଯ୍ୟନ୍ତ ସେଥିରୁ ତେଲ ନ ଦେବା ପାଇଁ ପେଟ୍ରୋଲ ଟାଙ୍କିର ମାଲିକକୁ କୁହାଯାଇଛି ବୋଲି କହିଛନ୍ତି ଥାନା ଅଧିକାରୀ। ସେଭଳି ଏହି ପେଟ୍ରୋଲ ଟାଙ୍କିର ଯାଂଚ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପୁଲିସ ପକ୍ଷରୁ ଚିଠି କରାଯାଉଛି ବୋଲି କହିଛନ୍ତି ଟାଉନଥାନା ଅଧିକାରୀ।