ଭୁବନେଶ୍ୱର: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥା ଅସମାହିତ ଜଟିଳ ମାମଲାର ସମାଧାନ କରିବା ସହିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଫରେନସିକ୍ ମେଡିସିନ୍ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଏମ୍‌ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି। ଏମ୍‌ସର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗ ଦ୍ୱାରା “ଫରେନସିକ୍ ମେଡିସିନ୍ ଡେ” ପାଳନ କରିବା ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡଃ. ମହାନ୍ତି ଏପରି ମତବ୍ୟକ୍ତ କରିଥିଲେ। ଏଥିସହିତ ଏହି ବିଭାଗ ସହିତ ଜଡ଼ିତ ପୁଲିସ୍ ସର୍ଜନମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ। ଉଲ୍ଲେଖଯୋଗ୍ୟ ଯେ ଡଃ. ମହାନ୍ତି ଏହି ବିଭାଗରେ ଜଣେ ବିଶେଷଜ୍ଞ ହେବା ସହିତ ବେଶ ଅଭିଜ୍ଞତା ରଖନ୍ତି। ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗର ମୁଖ୍ୟ ଡକ୍ଟର ମନୋଜ କୁମାର ମହାନ୍ତି ପୋଷ୍ଟ ଗ୍ରାଜୁଏଟ୍ କୁଇଜ୍ ପ୍ରତିଯୋଗିତା, ପୋଷ୍ଟ ଗ୍ରାଜୁଏଟ୍ ସେମିନାର୍ ଉପସ୍ଥାପନା ଭଳି ଏକାଡେମିକ୍ କାର୍ଯ୍ୟକଳାପରେ ଅଧ୍ୟକ୍ଷତା କରିଥିଲେ।

Advertisment

ଏହି ଅବସରରେ ଡକ୍ଟର ଏମ୍‌କେ ମହାନ୍ତି ତାଲିମପ୍ରାପ୍ତ ଛାତ୍ରମାନଙ୍କୁ ଫରେନସିକ୍ ମେଡିସିନ୍ କ୍ଷେତ୍ରରେ ଆଗ୍ରହ ପାଇଁ ଅଭିନନ୍ଦନ ଜଣାଇବା ସହ ଯୁବ ପ୍ରତିଭାଧାରୀଙ୍କୁ ସଚ୍ଚୋଟତା, ସତ୍ୟ ଏବଂ ଅଖଣ୍ଡତା ଯାହା ଫରେନସିକ୍ କ୍ଷେତ୍ରର ପ୍ରାଥମିକତା ବୋଲି ମତପ୍ରକାଶ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗର ଅତିରିକ୍ତ ପ୍ରଫେସର ଡଃ. ସୁଦୀପ୍ତ ରଞ୍ଜନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ୧୨ ମେ, ୧୯୭୨ ରେ, “ଇଣ୍ଡିଆନ୍ ଏକାଡେମୀ ଅଫ୍ ଫରେନସିକ୍ ମେଡିସିନ୍” ବିଷୟର ଏକ ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା ପାଇଁ ଏକ ଦର୍ଶନ ସହିତ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ଆଇଏଏଫଏମ ହେଉଛି ଭାରତର ଏହି କ୍ଷେତ୍ରରେ ବିଶେଷଜ୍ଞ ମାନଙ୍କ ସର୍ବ ବୃହତ ସଂଗଠନ।