ନିଆରା ବ୍ୟକ୍ତିତ୍ୱ: ଦଶ ହଜାରରୁ ଉର୍ଦ୍ଧ୍ୱ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି ଫାର୍ମାସିଷ୍ଟ ଅନୀଲ ମହାନ୍ତ

ବାଙ୍ଗିରିପୋଷି (ପ୍ରଭାତ କୁମାର ହୋତା): ଜଙ୍ଗଲ ପାହାଡ଼ ଘେରା ନିପଟ ଆଦିବାସୀ ଅଂଚଳରେ ଜଣେ ଆମ୍ବୁଲାନ୍‌ସ କର୍ମଚାରୀ ଅନିଲ ମାହାନ୍ତ ତାଙ୍କ ଜୀବନରେ ୧୦ ହଜାରରୁ ଉର୍ଦ୍ଧ୍ୱ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ସେ ନିଜର ଜୀବନ କାଳରେ ୩୦୦ରୁ ଅଧିକ ଆମ୍ବୁଲାନ୍‌ସରେ ପ୍ରସବ କରାଇଛନ୍ତି। ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ରୋଗୀଙ୍କ ପାଇଁ ସମର୍ପିତ ଅନିଲଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ବୁଢ଼ିଖମାରୀ ଫଚାୟତ ଅନ୍ତର୍ଗତ ଯୋକା ଗ୍ରାମରେ ଅବସ୍ଥିତ।

ବାଙ୍ଗିରିପୋଷ ୧୦୮ ଆମ୍ବୁଲାନ୍‌ସର କର୍ମଚାରୀ ଶ୍ରୀ ମହାନ୍ତ ନିଜ କାର୍ଯ୍ୟକଳାପକକୁ ନେଇ ସଦାସର୍ବଦା ଚର୍ଚ୍ଚାରେ ଥାଆନ୍ତି। ଆମ୍ବୁଲାନ୍‌ସରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରନ୍ତି। ୨୦୧୨ ମସିହା ଟ୍ରେନିଂ ପରେ ୨୦୧୩ ମାର୍ଚ୍ଚ ମାସରୁ କୋରାପୁଟ ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣ ପାଟଣାରେ ପ୍ରଥମେ ଫାର୍ମାସିଷ୍ଟ ଭାବେ ଆମ୍ବୁଲାନ୍‌ସରେ ଚାକିରି ଜୀବନ ଆରମ୍ଭ କରିଥିଲେ। ସ୍ପଳ୍ପ ଦରମା ୫୨୦୦ ଟଙ୍କାରୁ ଏବେ ୯ ହଜାର ଟଙ୍କା ହୋଇଥିଲେ ମଧ୍ୟ ଦିନେ କର୍ତ୍ତବ୍ୟରେ ଅବହେଳା କରି ନାହାନ୍ତି। ଦୁର୍ଘଟଣା, ପ୍ରସବ ବେଦନା ପାଉଥିବା ମହିଳା ସହିତ ବଡ ରୋଗ ହେଲେ ନିଶ୍ଚିତ ଖୋଜା ପଡନ୍ତି ଅନିଲ ମାହାନ୍ତ। ସେ ଚାକିରି ଜୀବନ ସାତ ବର୍ଷ ମଧ୍ୟରେ ରୋଗୀ ସେବାକୁ ଗୁରୁତ୍ୱ ଦେଇଛନ୍ତି।

ଅନୀଲଙ୍କ ଜୀବନରେ ସବୁଠାରୁ ବଡ଼ ଉପଲବ୍ଧି ହେଉଛି ସେ ତାଙ୍କ ଜୀବନରେ ୩୦୦ରୁ ଉର୍ଦ୍ଧ୍ଵ ମହିଳାଙ୍କୁ  ନିଜ ହାତରେ ଆମ୍ବୁଲାନ୍‌ସରେ ପ୍ରସବ କରାଇ ମା’ ଓ ଶିଶୁର ଜୀବନ ବଂଚାଇ ପାରିଛନ୍ତି। ଦୁର୍ଗମ ରାସ୍ତାରେ ଆମ୍ବୁଲାନ୍‌ସ ଯାଇ ନ ପାରିଲେ ନିଜେ ଏକ କିଲୋମିଟରରୁ ଉର୍ଦ୍ଧ ରାସ୍ତା ଷ୍ଟ୍ରୋଚରରେ ରୋଗୀ ବୋହିଛନ୍ତି। ରୋଗୀଙ୍କୁ ଅତ୍ୟାବଶ୍ୟକ ବେଳେ ରକ୍ତ ଦେଇ ଜୀବନ ବଂଚାଇଛନ୍ତି। ତାଙ୍କୁ ଫୋନ୍‌ କଲେ (ମୋବାଇଲ ନମ୍ବର ୯୪୪୭୫୭୭୩୧୪) ନିଶ୍ଚିତ ସାହାଯ୍ୟର ହାତ ବଢ଼ିବ ବୋଲି କହିଛନ୍ତି ଶ୍ରୀ ମହାନ୍ତ।

ତେବେ ବାଙ୍ଗିରିପୋଷିର ଆଖପାଖ ଅଂଚଳର ଅଧିବାସୀ ଅଧିକ ସୁବିଧା ପାଇ ପାରିବେ। କାରଣ ସେ ବାଙ୍ଗିରିପୋଷି ଆମ୍ବୁଲାନ୍‌ସରେ କାମକରନ୍ତି। ଆମ୍ବୁଲାନ୍‌ସଟି ସେବା ଯୋଗାଇ ଦେବା ପାଇଁ ବ୍ଲକ ପରିସରରେ ରହିଥାଏ। ଫୋନ ପାଇଲେ ତୁରନ୍ତ ସେବା ଯୋଗାଉ ଥିବାରୁ ଚର୍ଚ୍ଚାରେ ଥାଏ।

ସମ୍ବନ୍ଧିତ ଖବର