ତହସିଲଦାରଙ୍କ ଗାଡି ଧକ୍କାରେ ଫାର୍ମାସିଷ୍ଟ ଛାତ୍ର ଗୁରୁତର, ଗାଡି ଧରି ବୁଲୁଛି ଡ୍ରାଇଭର୍‌

ଡ୍ରାଇଭର୍‌ ଫେରାର, ବେପରୁଆ ଗାଡି ଚାଳନା ଅଭିଯୋଗ

ବାରିପଦା: ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ୍‌ଙ୍କ ଗାଡି ଧକ୍କାରେ ଜଣେ ଫାର୍ମାସିଷ୍ଟ୍‌ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୁରୁତର ଆହତ ଛାତ୍ରଙ୍କୁ ପିଆରଏମ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛ।

ସୂଚନା ଅନୁସାରେ ଆଜି ବାରିପଦା ସଦର ଥାନା ଅନ୍ତର୍ଗତ ଶାଗୁଣାବସାସ୍ଥିତ ମଇଳା ଖାଦାନ ନିକଟ ରାସ୍ତାରେ ବାରିପଦା ତହସିଲଦାରଙ୍କ ଗାଡି ଫାର୍ମାସିଷ୍ଟ ଛାତ୍ର ତଥା ବାରିପଦା ପୌରପରିଷଦର ବଡ଼ବଜାର ଅଞ୍ଚଳର ଉତ୍ତମ କୁମାର ନାୟକଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଏଥିରେ ସ୍କୁଟି ଚାଳକ ଉତ୍ତମ ତଳେ ପଡ଼ି ଗୁରୁତ୍ତର ଭାବେ ଆହତ ହୋଇ ହୋଇଥିଲେ । ଦୁର୍ଘଟଣା ଘଟାଇବା ପରେ ଗାଡ଼ି ଚାଳକ ରାସ୍ତା ଉପରେ ତହସିଲଦାରଙ୍କ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା ।

ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବାରିପଦା ସଦର ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଉତ୍ତମଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡ଼ିକାଲକୁ ପଠାଇ ଦେଇଥିଲେ ଏବଂ ତହସିଲଦାରଙ୍କ ସ୍କର୍ପିଓ ଗାଡି ସହ ସ୍କୁଟିକୁ ଥାନାକୁ ନେଇଥିଲେ । ତେବେ ବାରିପଦା ତହସିଲଦାରଙ୍କ ଚାଳକ ବେପରୁଆ ଗାଡ଼ି ଚଳାଇ ଯାଉଥିବା ବେଳେ ରାସ୍ତାରେ ସ୍କୁଟି ଚାଳକକୁ ଧକ୍କା ଦେଇଥିବାର ସ୍ଥାନୀୟ ଲୋକ କହିଛନ୍ତି । ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ ସ୍କୁଟି ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଏନେଇ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗାଡ଼ି ଦୁର୍ଘଟଣା ଘଟାଇ ଥିବାର ଖବର ପାଇଛନ୍ତି ।

ତେବେ ଦିନ ୧୧ରୁ ଅଫିସ କାର୍ଯ୍ୟ କରୁଥିବା ସମୟରେ ଡ୍ରାଇଭର ଗାଡ଼ି ଧରି କୁଆଡ଼େ ଯାଇଥିଲା ସେ ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି କହିଥିଲେ । ତହସିଲ କାର୍ଯ୍ୟାଳୟରୁ ଡ୍ରାଇଭର ଗାଡ଼ି ଧରି କୁଆଡ଼େ ଯାଇଥିଲା ସେ ସମ୍ପର୍କରେ ତହସିଲଦାରଙ୍କୁ ସୂଚନା ନ ଥିବା ବିଷୟକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏଣୁ ଏହାକୁ ତଦନ୍ତ ପରିସରଭୂକ୍ତ କରାଯିବା ନିମନ୍ତେ ଜନସାଧାରଣରେ ଦାବି ହୋଇଛି । ସେହିପରି ବାରିପଦା ସଦର ଥାନା ଆଇଆଇସି ପ୍ରେମଦା ନାୟକଙ୍କ ସହିତ ଯୋଗାଯୋଗ କରିବାରୁ ଆହତ ଛାତ୍ରର ପରିବାର ପକ୍ଷରୁ ଏଫଆଇଆର ଲେଖା ଚାଲିଛି । ହସ୍ତଗତ ହେବା ପରେ ମାମଲା ରୁଜୁ କରାଯିବ । ରାସ୍ତାରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଡ୍ରାଇଭକୁ ଖୋଜା ଚାଲିଛି ବୋଲି ଆଇଆଇସି କହିଛନ୍ତି।

ସମ୍ବନ୍ଧିତ ଖବର