ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଛଟପଟ ହୋଇ ପ୍ରାଣ ହରାଇବା ଘଟଣା: ବିଦା ହେଲେ ଫାର୍ମାସିଷ୍ଟ

ଡାକ୍ତରଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ଛଟପଟ ହୋଇ ପ୍ରାଣ ହରାଇବାର ହୃଦୟ ବିଦାୟକ ଦୃଶ୍ୟ ସମଗ୍ର ଜିଲ୍ଲା ସମେତ ରାଜ୍ୟକୁ ବ୍ୟଥିତ କରିଛି । ଏହି ଘଟଣାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଘଟଣା ଦିନ କାର୍ଯ୍ୟରତ ଥିବା ଫର୍ମାସିଷ୍ଟଙ୍କୁ କାର୍ଯ୍ୟରୁ ବିଦା କରାଯାଇଛି । ସେହିପରି ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଅନୁଗୁଳ ଆରଡବ୍ଲୁଏସ୍ଏସରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଓଡାପଡା ବ୍ଲକ ନାଧେରା ଗ୍ରାମର ସୁଶାନ୍ତ ପୃଷ୍ଟି(୫୨) ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ଗତ୧୪ ତାରିଖ ସକାଳେ ନିଜ ସ୍ତ୍ରୀ ଅନୁପମାଙ୍କ ସହ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିିଥିଲେ । ସେହିଦିନ ସକାଳେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ପାଇଁ ସେ ଚିକିତ୍ସାଳୟ ବାରଣ୍ଡାରେ ଅପେକ୍ଷା କରି ରହିଥିବା ବେଳେ ତାଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା । ସେ କରୋନା ଆକ୍ରାନ୍ତ ଥିବା ଶୁଣି ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ବାରଣ୍ଡାରେ ଖସିପଡି ଛଟପଟ ହୋଇଥିଲେ । ସାଙ୍ଗରେ ଆସିଥିବା ତାଙ୍କ ପତ୍ନୀ ସ୍ୱାମୀଙ୍କ ଛାତିକୁ ବାରମ୍ବାର ଚାପିବା ସହ ଡାକ୍ତର ଏବଂ ନର୍ସଙ୍କୁ ଚିକିତ୍ସା ପାଇଁ କାନ୍ଦିବୋବାଇ ବୁକୁଫଟା ଚିତ୍କାର କରି ନେହୁରା ହୋଉଥିଲେ । ମାତ୍ର ସୁଶାନ୍ତ କରୋନା ଆକ୍ରାନ୍ତ ଥିବା ଜାଣି ଡାକ୍ତର କିମ୍ବା ନର୍ସ ତାଙ୍କ ପାଖ ମାଡିନଥିଲେ ।

ସୁଶାନ୍ତ ତଳେ ପଡି ପ୍ରାଣବିକଳରେ ଛଟପଟ ହେଉଥିବା ବେଳେ ସେଠାରେ ଉପସ୍ଥିତ ସମସ୍ତେ ସେହି ଦୃଶ୍ୟକୁ ଦେଖୁଥିଲେ । ଅନ୍ୟ କେତେକ ମୋବାଇଲରେ ଭିଡିଓ କରୁଥିଲେ ମଧ୍ୟ ସହଯୋଗ ପାଇଁ କେହି ହାତ ବଢାଇନଥିଲେ । ଶେଷରେ ଶ୍ରୀ ପୃଷ୍ଟିଙ୍କର ଛଟପଟ ଅବସ୍ଥାରେ ପ୍ରାଣବାୟୁ ଉଡିଯାଇଥିଲା । ଚାହୁଁ ଚାହୁଁ ସ୍ତ୍ରୀ ଆଗରେ ସ୍ୱାମୀର ଜୀବନ ଚାଲିଯାଇଥିଲା । ପ୍ରଥମେ ଚିକିତ୍ସା ପାଇଁ ନେହୁରା ହେଉଥିବାର ଦୃଶ୍ୟ ଏବଂ ସୁଶାନ୍ତଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କର ବୁକୁପଟା କ୍ରନ୍ଦନର ଦୃହୃଦୟ ବିଦାରକ ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଘଟଣା ପଦାକୁ ଆସିଥିଲା ।

ଏ ସଂପର୍କରେ ଜିଲ୍ଲାପାଳ ଭୂମେଶଚନ୍ଦ୍ର ବେହେରା କୁହନ୍ତି ଯେ, ଘଟଣା ଦିନ ଡିୟୁଟିରେ ଥିବା ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଲିଖିତ ଭାବେ ଜଣାଯାଇଛି । କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଯାଇଛି ।

ସମ୍ବନ୍ଧିତ ଖବର