ମହିଳା ଡାକ କର୍ମଚାରୀଙ୍କ ମୋବାଇଲ ଫୋନ ଝାମ୍ପିନେଲା ଦୁର୍ବୃତ୍ତ

ବାଲିଅନ୍ତା: ବାଳକାଟି – ଝିଣ୍ଡିଶାସନ ଗ୍ରାମ ଉନ୍ନୟନ ମୁଖ୍ୟରାସ୍ତାର ପୂରଣପଧାନ ପଞ୍ଚାୟତ ଅଧୀନ ବାୟାଁପଦା ଗ୍ରାମ ନିକଟରେ ସାଇକେଲରେ ଯାଉଥିବା ରଶ୍ମିତା ସ୍ବାଇଁ ନାମକ ଜଣେ ମହିଳା ଡାକ କର୍ମଚାରୀଙ୍କ ହାତରୁ ଜଣେ ଦୁର୍ବୃତ୍ତ ତାଙ୍କ ମୋବାଇଲ ଫୋନ ଝାମ୍ପି ନେଇଛି। ଏସଂପର୍କରେ ସଂପୃକ୍ତ ଡାକ କର୍ମଚାରୀ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲା। ହେଲେ ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ଲୁଟେରାର ପତ୍ତା ପାଇ ନାହିଁ। ସୂଚନାନୁଯାୟୀ ରଶ୍ମିତା ଝିଣ୍ଟିଶାସନ ଅଞ୍ଚଳରେ ଥିବା ଡାକ କାର୍ଯ୍ୟାଳୟରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରତ। ଆଜି ସେ ସବୁଦିନ ଭଳି ସାଇକେଲ ଚଳାଇ ପୂର୍ବାହ୍ନ ୧୦ଟା ସମୟରେ କାର୍ଯ୍ୟାଳୟ ଅଭିମୁଖେ ଯାଉଥିଲେ।

ତାଙ୍କ ମୋବାଇଲ ଫୋନକୁ ଏକ କଲ ଆସିବାରୁ ସେ ଗୋଟିଏ ହାତରେ ସାଇକେଲ ଚଳାଇ ଆଉ ଗୋଟିଏ ହାତରେ ମୋବାଇଲ ଫୋନରେ କଥା ହୋଇ ଯାଉଥିଲେ। ଏହାର ସୁଯୋଗ ନେଇ ବାୟାଁପଦା ନିଛାଟିଆ ରାସ୍ତାରେ ଧଳା ରଙ୍ଗର ସ୍କୁଟିରେ ଜଣେ ଦୁର୍ବୃତ୍ତ ତାଙ୍କ ହାତରୁ ଫୋନ ଝାମ୍ପି ନେଇ ଝିଣ୍ଟିଶାସନ ଅଭିମୁଖେ ପଳାଇଥିଲା। ରଶ୍ମିତା ଚୋର ଚୋର ବୋଲି ଚିତ୍କାର କରିବାରୁ ସ୍ଥାନୀୟ ଲୋକ ତାଙ୍କୁ ପିଛା କରିଥିଲେ। ହେଲେ ଲୁଟେରାକୁ କାବୁ କରିବାରେ ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର