ବାରିପଦା: ଜନୈକା ଯୁବତୀଙ୍କ ଫଟୋକୁ ନିଜ ଫେସବୁକରେ ସେୟାର୍ କରି ବନ୍ଧା ହୋଇଛନ୍ତି ଦୁଇ ଯୁବକ। ଯୁବତୀଙ୍କ ବିନା ଅନୁମତିରେ ତାଙ୍କ ବିବାହ ଭାଙ୍ଗିବା ଉଦ୍ଦେଶ୍ୟରେ ଏପରି କରାଯାଇଥିବା ଯୁବତୀ ଜଣଙ୍କ ବାରିପଦା ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଗିରଫ ଦୁଇ ଜଣ ହେଉଛନ୍ତି ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଅଞ୍ଚଳର ଭୋଜରାଜ ମାଝୀ(୪୮) ଏବଂ ରାସଗୋବିନ୍ଦପୁର ଥାନା ମୁଷାମାରି ଅଞ୍ଚଳର ନିରଞ୍ଜନ ମୁର୍ମୁ(୨୭)।
ତେବେ ଏହି ଘଟଣା ମାଷ୍ଟରମାଇଣ୍ଡ୍ କୁହାଯାଉଥିବା ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ନୂହାପଦା ଅଞ୍ଚଳର ସୂର୍ଯ୍ୟ ନାରାୟଣ ମୁର୍ମୁ କିନ୍ତୁ ଫେରାର୍ ଥିବା ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ସୂର୍ଯ୍ୟ ହିଁ ଯୁବତୀଙ୍କ ଫଟୋ ଉଠାଇ ଗିରଫ ଦୁଇ ଜଣଙ୍କୁ ଦେଇଥିବା ଜଣାପଡ଼ିଛି। ଯୁବତୀଙ୍କୁ ଅନ୍ୟତ୍ର ବିବାହ କରାଇ ନଦେବାକୁ ସୂର୍ଯ୍ୟ ଏପରି ଚକ୍ରାନ୍ତ କରିଥିବା ଥାନାରେ ଅଭିଯୋଗ ହୋଇଛି।
ଏପରିକି ସୂର୍ଯ୍ୟ ଯୁବତୀଙ୍କର ଆହୁରି ଏକାଧିକ ଆପତ୍ତିଜନକ ଫଟୋ ପାଖରେ ରଖିଥିବା କହି ବଦନାମ୍ କରିବାକୁ ଧମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି। ଏହି ଫଟୋ ଭାଇରାଲ୍ ଫଳରେ ଯୁବତୀଙ୍କର ଏକାଧିକ ବିବାହ ପ୍ରସ୍ତାବ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଜଣଙ୍କ ବିନା ଅନୁମତିରେ ସାମାଜିକ ଗଣମାଧ୍ୟମରେ ତାଙ୍କ ଫଟୋ ଭାଇରାଲ୍ କରି ଅପମାନିତ କରିବା ଆଇନଗତ ଭାବେ ଅପରାଧ ବୋଲି ଆଇନ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/viral-video.jpg)