ଦୁଃଖଦ ଘଟଣା: ଶୋଇଥିବା ବେଳେ ଆସିଲା ମୃତ୍ୟୁ, ଚାଲିଗଲା ଦୁଇ ଶିଶୁଙ୍କ ଜୀବନ

ଢେଙ୍କାନାଳ: ଢ଼େଙ୍କାନାଳ ସହର ବାଜିଚୌକ୍ ଓଭର ବ୍ରିଜ ତଳେ ବ୍ୟବସାୟ ଉଦ୍ଦେଶ୍ୟରେ ବିହାରରୁ ସନ୍ତୋଷ ସବର ଆସି କିଛିଦିନ ହେବ ପରିବାର ସହ ରହୁଥିଲେ। ଆଜି ଅପରାହ୍ନ ୨ଟା ବେଳେ ତାଙ୍କର ଦୁଇଜଣ ଶିଶୁ ବ୍ରିଜ ତଳେ ଶୋଇଥିବା ବେଳେ ହଠାତ୍ ଏକ ପିକ-ଅପ୍ ଭ୍ୟାନ ସେମାନଙ୍କ ଉପରେ ଚଢି ଯାଇଥିଲା। ଏହି ଧକ୍କାରେ ସେଠାରେ ବସି ଖାଉଥିବା ବେଳେ ଅନ୍ୟ ଜଣେ ଶିଶୁ ବି କିଛି ଦୂରକୁ ଛିଟିକି ପଡ଼ିଥିଲା।

ପିକଅପ ଭ୍ୟାନ ଧକ୍କାରେ ଶୋଇଥିବା ଅବସ୍ଥାରେ ଦୁଇଦୁଇଟି କୋମଳମତି ଶିଶୁଙ୍କ ଜୀବନ ଚାଲି ଯାଇଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକ ଦୁଇ ଭଉଣୀ ହେଲେ ସାଇନା ସବର୍ ଓ ସୁହାନ ସବର୍ । ଆହତ ପମି ସବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ଘଟଣାର ତନାଘନା କରୁଛି । ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର