ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଓଲଟିଲା ପିକ୍‌ ଅପ୍‌ ଭ୍ୟାନ: ୧ ମୃତ, ୨୫ ଆହତ

କେନ୍ଦ୍ରାପଡ଼ା: ଆଜି ସକାଳେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ପିକ୍‌ ଅପ୍‌ ଭ୍ୟାନ୍‌ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ଭାରସାମ୍ୟ ହରାଇ ନାଳବନ୍ଧରୁ ୨୦ ଫୁଟ  ତଳକୁ ଖସି ଯାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଊର୍ଧ୍ୱ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ଘାଟ ନିକଟସ୍ଥ ପ୍ରଭାକରପୁର ଗାଁର ୨୫ରୁ ଊର୍ଧ୍ୱ ଶ୍ରମିକ ଏକ ଢ଼ଳେଇ କାର୍ଯ୍ୟ ପାଇଁ ପିକ୍‌ଭ୍ୟାନରେ ପଟ୍ଟାମୁଣ୍ଡାଇକୁ ଯାଉଥିବା ବେଳେ ମାର୍ଶାଘାଇ ଥାନା ଅନ୍ତର୍ଗତ ମଙ୍ଗଳପୁର ନଳବନ୍ଧରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଏଥିରେ ଥିବା ଡ୍ରାଇଭର ସହିତ ସମସ୍ତ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି କନ୍ଦ୍ରାପଡ଼ା ଡାକ୍ତରାଖାନାକୁ ଆଣିଥିଲେ। ତେବେ ଡାକ୍ତରଖାନାରେ ପହଞ୍ଚିବା ବେଳେକୁ ଜଣଙ୍କର ମୃତ୍ୟୁ ଘଟି ସାରିଥିବା ବେଳେ ଆଉ ପ୍ରାୟ ୨୫ ଜଣଙ୍କର ଡାକ୍ତରଖାନରାରେ ଚିକିତ୍ସାଚାଳିଛି।

ସମ୍ବନ୍ଧିତ ଖବର