ରାଉରକେଲା: ରାଉରକେଲା ଓ ଏହାର ଆଖପାଖରୁ ରାଞ୍ଚି ଚାଲାଣ ହେଉଥିବା ୧୦ ଗୋରୁ ବୋଝେଇ ପିକ୍‌ଅପ୍‌କୁ ସିମ୍‌ଡ଼େଗା ପୁଲିସ ଆଜି ଜବତ କରିଛି। ଗୁପ୍ତ ସୂଚନା ଆଧାରରେ କୋଲାବିରା ପୁଲିସ ଗାଙ୍ଗୁଟୋଲି ରୋଡ଼ସ୍ଥ ସ୍କୁଲ ନିକଟରେ ୧୦ ପିକ୍‌ଅପ୍‌କୁ ଜବତ କରିଥିଲା। ଘଟଣାସ୍ଥଳରୁ ୩ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ୭ ଡ୍ରାଇଭରକୁ ପୁଲିସ ଗିରଫ କରିଥିଲା। ଗିରଫ ଡ୍ରାଇଭରମାନେ ହେଲେ ସୁରଜ ଯାଦବ, ଶିଶୁ କୁମାର, ଆଦିତ୍ୟ ମିଶ୍ରା, ମୁକେଶ ଚୌଧୁରୀ, ବିକାଶ ସିଂହ, ସୋନାଚର ଯାଦବ, ଦେବେନ୍ଦ୍ର ଯାଦବ। ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ରାଉରକେଲାରୁ ରାଞ୍ଚି ଚାଲାଣ ହେଉଥିଲା
୭ ଡ୍ରାଇଭରଙ୍କୁ ବାନ୍ଧିଲା ପୁଲିସ, ୩ ଫେରାର

Advertisment

ଜବତ ପିକ୍‌ଅପ୍‌ରୁ ପୁଲିସ ୪୬ ଗୋରୁ ଉଦ୍ଧାର କରି ସ୍ଥାନୀୟ ଗୋଶାଳା‌ରେ ଛାଡିଛି। ଚାଲାଣ ଗୋରୁ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଓ କୁତ୍ରା ଖତକୁରବାହାଲରୁ ରାଞ୍ଚି ଚାଲାଣ ହେଉଥିବା ଡ୍ରାଇଭରମାନେ ପୁଲିସ ଆଗରେ ସ୍ବୀକାର କରିଛନ୍ତି। ଗିରଫ ଗାଡ଼ିଚାଳକ ଦେବେନ୍ଦ୍ର ଯାଦବ, ସୋନାଚର ଯାଦବ, ଆଦିତ୍ୟ ମିଶ୍ରା କହିବାନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା କୁତ୍ରାର ତିନିରୁ ଅଧିକ ବେପାରୀ ପ୍ରତ୍ୟେକ ଗାଡ଼ିକୁ ୧୨ ହଜାର ଟଙ୍କା ଭଡ଼ା ଦେଇ ଗୋରୁ ବୋଝେଇ କରିଥିଲା। ରାଞ୍ଚିରେ ପହଞ୍ଚାଇବାକୁ କୁହାଯାଇଥିଲା। ଗୋରୁ ପଠାଇଥିବା ତିନିରୁ ଅଧିକ ବେପାରୀଙ୍କ ନାଁରେ ମଧ୍ୟ ସିମ୍‌ଡ଼େଗା ପୁଲିସ ମାମଲା ରୁଜୁ କରିଛି। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଖତକୁରବାହାଲ ଓ ଅନ୍ୟାନ୍ୟ ସ୍ଥାନରୁ ଶହ ଶହ ଗୋରୁ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଚାଲାଣ ହେଉଛି। ସ୍ଥାନୀୟ ପୁଲିସ ଏମାନଙ୍କୁ ରୋକିବାକୁ ସେତେଟା ଧ୍ୟାନ ଦେଉ ନଥିବାରୁ ସୁନ୍ଦରଗଡ଼ରୁ ବେଆଇନ ଗୋରୁ ଚାଲାଣ ଦିନକୁ ଦିନ ବଢ଼ିଚାଲିଛି। ଅପରାଧିକ କାର୍ଯ୍ୟକଳାପ ବଢ଼ୁଛି। ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।