ଚୋରି ପିକ୍‌ଅପ ଭ୍ୟାନ ଜବତ, ଚାଳକ ଗିରଫ

ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ଆଜି ଗାଡ଼ି ଚୋରି ମାମଲାରେ ଜଣେ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନ ସୁନାଖଳା ଗ୍ରାମର ବିପିନ ଓରଫ ପ୍ରଶାନ୍ତ ପରିମାଣିକ (୩୦)। ପୁଲିସ ବିପିନ ଠାରୁ ଉକ୍ତ ଚୋରି ପିକ୍‌ଅପ ଭ୍ୟାନ (ନଂ ଓଡି ୦୭ ସି ୫୬୯୩)କୁ ମଧ୍ୟ ଉଦ୍ଧାର କରିଛି। ଗତମାସ ୨୦ ତାରିଖରେ ବିପିନ ପିକ୍‌ଅପ ଭ୍ୟାନ ଚୋରିକରି ନେଇଥିବା ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଥିଲା। କଟକ ସଦର ଥାନା ଅଧୀନ ସାଇଁସୋ ଗ୍ରାମର ଗାଡ଼ି ମାଲିକ ସୟଦ ହାଇଦର ଅଲ୍ଲି ଏନେଇ ପାହାଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ମୁତାବକ ବିପିନ ସବୁଦିନ ଭଳି ଗାଡ଼ି ଧରି ପାହାଳ ଫାଣ୍ଡି ଅଧୀନ ରୁଦ୍ରପୁର ଅଞ୍ଚଳରୁ ଆଲୁମିନିୟମ ସାମଗ୍ରୀ ନେଇ ଝାରପଡ଼ା କେନାଲ ରୋଡ଼ ଅଞ୍ଚଳକୁ ଯାଇଥିଲା।

ସେଠାରେ ଜିନିଷ ଲଗାଇ ଜଣେ ମାଲିକଙ୍କ ଠାରୁ ୫୨ ହଜାର ଟଙ୍କା ଆଣିଥିଲା। ଆଉ ସେଠାରୁ ଗାଡ଼ି ନେଇ ଫେରାର ହୋଇଯାଇଥିଲା। ଗାଡ଼ି ମାଲିକ ହାଇଦର ଏନେଇ ବିପିନଙ୍କୁ ବାରମ୍ବାର ଫୋନରେ ଯୋଗାଯୋଗ କରିଥିଲେ ହେଲେ ସେ ଫୋନ ସୁଇଚ୍‌ ଅଫ କରି ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଶେ‌ଷରେ ହାଇଦର ଏନେଇ ପାହାଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ହାଇଦରଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଗତକାଲି ଗ୍ରାମରେ ଚଢ଼ାଉ କରି ବିପିନକୁ ଗିରଫ କରିଥିଲା। ହେଲେ ଚୋରି ୫୨ ହଜାର ଟଙ୍କା କିନ୍ତୁ ତା’ ନିକଟରୁ ଉଦ୍ଧାର କରିପାରି ନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର