ପଶ୍ଚିମବଙ୍ଗ ଅଭିମୁଖେ ଚୋରା ଚାଲାଣ ବେଳେ କେନ୍ଦୁପତ୍ର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୨ ଗିରଫ

ଦେବଗଡ଼: ଦେବଗଡ ଥାନା ଅନ୍ତର୍ଗତ କାଲକାଠ ଗ୍ରାମ ନିକଟରେ ବେଆଇନ କେନ୍ଦୁପତ୍ର ଚାଲାଣ ବେଳେ ସୋମବାର ବିଳମ୍ବିତ ରାତିରେ କେନ୍ଦୁପତ୍ର ବୋଝେଇ ପିକ ଭ୍ୟାନ ସହିତ ୨ଜଣଙ୍କୁ ଗିରଫ କରିଛି ବନବିଭାଗ। ଗିରଫ ଅଭିଯୁକ୍ତ ମାନେ ହେଲେ ରିଆମାଳ ବ୍ଲକର ତେଲିମୁଣ୍ଡା ଗ୍ରାମର ପ୍ରିୟବ୍ରତ ସାହୁ ଓ ଗାଡିର ଚାଳକ ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳର ଯୁଧିଷ୍ଟିର ମଣ୍ଡଳ। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବନବିଭାଗର କର୍ମଚାରୀ ମାନେ ବିଶେଷ ସୁତ୍ରରୁ ଖବର ପାଇଥିଲେ। ଡିଏଫଓ ମଗର ଧାନାଜୀ ରାଓସୋଙ୍କ ନିର୍ଦ୍ଦେଶକ୍ରମେ ଓ ଦେବଗଡ ରେଞ୍ଜର ଦେବଦତ୍ତ ନନ୍ଦଙ୍କ ନେତୃତ୍ବରେ ବନବିଭାଗର କର୍ମଚାରୀ ମାନେ ଚଢଉ କରିଥିଲେ।

ତେବେ ୪୯ନଂ ଜାତୀୟ ରାଜପଥର କାଲକାଠ ଗ୍ରାମ ନିକଟରେ ଏକ ପିକ୍‌ଅପ ଭ୍ୟାନ( ଡବ୍ଲୁବି ୨୯ ଏ୮୩୧୧) ରିଆମାଳ ଅଞ୍ଚଳରୁ ପଶ୍ଚିମବଙ୍ଗ ଅଭିମୁଖେ ଚୋରା ଚାଲାଣ ହେଉଥିବା ବେଳେ ବନବିଭାଗର କର୍ମଚାରୀ ମାନେ ଅତର୍କିତ ଚଢଉ କରିବା ସହିତ କେନ୍ଦୁପତ୍ର ଗାଡିକୁ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଥିଲେ। ଉକ୍ତ ଗାଡିରୁ ୨୨୫ ବଣ୍ଡଲ କେନ୍ଦୁପତ୍ର ଜବତ କରାଯାଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ସୁତ୍ରରୁ ପ୍ରକାଶ। ଉକ୍ତ ଚଢଉରେ ଦେବଗଡ ଫରେଷ୍ଟର ଭୀମସେନ ଶତପଥି, ଫରେଷ୍ଟଗାର୍ଡ ଅଶୋକ ପାନ୍ନା, ପୁଲିନ ପ୍ରଧାନ, ମନୋଜ ଦ୍ବିବେଦୀ, ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ବନବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର