ତପ୍ତପାଣି ଘାଟିରେ ପୁଣି ଓଲଟିଲା ପିକନିକ୍‌ ବସ୍‌, ରେଭେନ୍ସା ବିଶ୍ୱବିଦ୍ୟାଳୟର ୩୦ ଛାତ୍ରଛାତ୍ରୀ ଆହତ

ବ୍ରହ୍ମପୁର: ତପ୍ତପାଣି ଘାଟିରେ ସୋମବାର ସନ୍ଧ୍ୟାରେ ପୁଣି ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ୩୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ହସ୍‌ପିିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରବିବାର ରାତି ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗଣ୍ଡାହାତୀକୁ ପିକନିକ୍‌ କରିବାକୁ ନେହା ନିକିତା ନାମରେ ଏକ ବସ୍‌(ଓଆର ୦୨ ଏଚ୍‌ଡବ୍ଲ୍ୟୁ ୩୬୬୩) ରେ ଯାଇଥିଲେ। ପିକନିକ୍‌ ପାର୍ଟିରେ ମୋଟ୍‌ ୫୯ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନେ ପିକନିକ୍‌ ସାରି ସନ୍ଧ୍ୟାରେ କଟକ ଅଭିମୁଖେ ବାହାରି ଥିଲେ। ଫେରିବା ବାଟରେ ବସ୍‌ର ଚାଳକ ମୋହନା ଘାଟିର ହନୁମାନ ମନ୍ଦିର ନିକଟରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ପରେ ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି। ଗାଡ଼ିର ଚାଳକ ଫେରାର ଥିବା ଜଣାଯାଇଛି। ସୂଚନାଯୋଗ୍ୟ ଗତ ୧୫ ତାରିଖରେ ମଧ୍ୟ ତପ୍ତପାଣି ଘାଟିରେ ଏକ ପିକନିକ୍‌ ଗାଡ଼ି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର