ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାରେ ଥିବା ପିଲାସାଲୁଙ୍କି ଡ୍ୟାମ୍ରେ ଏବେ ପିକ୍ନିକ ଆସର ଖୁବ୍ ଜମୁଛି। ଗତ କିଛି ମାସ ଧରି କୋଭିଡ୍ କଟକଣାରେ ରହିଥିବା କନ୍ଧମାଳବାସୀ ଏବେ ଟିକେ ଫୁର୍ସତ ଚାହୁଁଛନ୍ତି। କୋଭିଡ୍ ଲକଡାଉନ, ସଟ୍ଡାଉନ ଯୋଗୁଁ ଲୋକେ ଘରଭିତରେ ରହି ଏକପ୍ରକାର ଅଣନିଶ୍ବାସୀ ହୋଇପଡ଼ିଥିଲେ। ଏଣୁ ଅବସର ବିନୋଦନ ପାଇଁ ସେମାନେ ପିଲାସାଲୁଙ୍କି ଡ୍ୟାମକୁ ବୁଲିବାକୁ ପସନ୍ଦ କରୁଛନ୍ତି। ସେହିଭଳି ସରକାରୀ ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ ଛୁଟିଦିନମାନଙ୍କରେ ମନ ଫୂର୍ତ୍ତି କରିବା ପାଇଁ ପିଲାସାଲୁଙ୍କି ଡ୍ୟାମ୍କୁ ସେମାନଙ୍କର ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିନେଇଛନ୍ତି।
ପିଲାସାଲୁଙ୍କି ଡ୍ୟାମ ସ୍ଥଳର ବଣଭୋଜିର ମଜା ନିଆରା ବୋଲି ରାଇଖୋଲ ଗ୍ରାମର ହେମନ୍ତ ଜାନି, ରୋହିତ କୁମାର ଜାନି, ସୂର୍ଯ୍ୟକାନ୍ତ ଜାନି କହନ୍ତି। ବିଶେଷକରି ଫୁଲବାଣୀ ସହରରୁ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଏଠାକୁ ଛୁଟିଦିନମାନଙ୍କରେ ବେଶି ସଂଖ୍ୟାରେ ଆସିଥାନ୍ତି ବୋଲି ଏଠାକାର ସ୍ଥାନୀୟ ବାସିନ୍ଦା କହନ୍ତି। ଫୁଲବାଣୀ ସହରବାସିନ୍ଦାଙ୍କ ଅବସର ବିନୋଦନ ପାଇଁ ପିଲାସାଲୁଙ୍କି ଡ୍ୟାମ୍ ଏକ ଉତ୍କୃଷ୍ଟ ପିକ୍ନିକ ସ୍ଥଳ ପାଲଟିଛି। ଏଣୁ ପ୍ରତି ଛୁଟିଦିନ ମାନଙ୍କରେ ଏଠାରେ ପିକ୍ନିକ ଭିଡ଼ ଜମୁଛି।
ଫୁଲବାଣୀ ସହରଠାରୁ ଏହି ଜଳଭଣ୍ଡାରର ଦୂରତା ମାତ୍ର ୧୭ କିଲୋମିଟର। ଜଳଭଣ୍ଡାରର ଜଳରେ ଆଖପାଖର ପ୍ରାୟ ୯୦ ବର୍ଗକିଲୋମିଟର ଜମିକୁ ଜଳସେଚନ କରାଯାଇଥାଏ। ଏହାର ମାଟିବନ୍ଧର ଦୈର୍ଘ୍ୟ ୪୪୧ ମିଟର ହୋଇଥିବାବେଳେ ଉଚ୍ଚତା ୨୭ ମିଟର। ଏହି ମାଟିବନ୍ଧର ବାମ ପାର୍ଶ୍ବରେ ଏକ ସ୍ପିଲ୍ୱେ ନିର୍ମାଣ କରାଯାଇଛି ଏବଂ ଦକ୍ଷିଣ ଓ ବାମ କେନାଲ ମାଧ୍ୟମରେ ଜମିକୁ ଜଳସେଚନ କରାଯାଇପାରୁଛି। ପିଲାସାଲୁଙ୍କି ଡ୍ୟାମ ଯୋଗୁଁ ସ୍ଥାନୀୟ ଅଞ୍ଚଳ ଆଜି ଶସ୍ୟଶ୍ୟାମଳା ହୋଇପାରିଛି। ଏସବୁ ଅଞ୍ଚଳର ଆଦିବାସୀ ଚାଷୀମାନେ ଏହି ଜଳଭଣ୍ଡାରର ପାଣିକୁ ବିନିଯୋଗ କରି ଭଲ ପନିପରିବା ଚାଷ କରିପାରୁଛନ୍ତି।