ବଢ଼ି ଚାଲିଛି ଘୁଷୁରି ମଡ଼କ: ପ୍ରଶାସନ ନିରବ, ସଂଗ୍ରହ ହୋଇନି ନମୁନା 

ନେଳିଆ ବନ୍ଧହୁଡ଼ା ସାହିରେ ପୁଣି ୩ ମଲେ, ଜନବସତିକୁ ବ୍ୟାପିଲେ ଦାୟୀ କିଏ?

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବଢ଼ି ଚାଲିଛି ଘୁଷୁରି ମଡ଼କ। ଆଜି ପୁଣି ୩ଟି ଘୁଷୁରିର ମୃତଦେହ ଠାବ ହୋଇଛି। ୱାର୍ଡ଼ର ନମ୍ବର-୪ ଶ୍ରୀରାମନଗର ‌ନେଳିଆ ବନ୍ଧହୁଡ଼ା ସାହିରୁ ୩ଟି ମଲା ଘୁଷୁରି ମିଳିଛି। କ୍ରମାଗତ ଭାବେ ସହରରେ ଘୁଷୁରି ମଡ଼କ ଚାଲିଥିବା ବେଳେ ପ୍ରଶାସନ ସଂପୂର୍ଣ୍ଣ ନିରବ ପାଲଟିଯାଇଛି। କାହିଁକି ଘୁଷୁରି ମରୁଛନ୍ତି ଏବଂ ମରିବା ପଛର କାରଣ ଖୋଜିବା ଦିଗରେ ପ୍ରଶାସନିକ ଅଧିକାରୀ ଏବଂ ବିଶେଷ କରି ପ୍ରାଣୀ ଚିକିତ୍ସା ବିଭାଗ ଆଦୌ ତତ୍ପରତା ପ୍ରକାଶ କରୁନଥିବା ଯୋଗୁଁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଡ଼ମ୍ବନାର ବିଷୟ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ରୁ ଅଧିକ ଘୁଷୁରି ମରିଥିବା ବେଳେ ଏହାର କାରଣ ଖୋଜିବା ପାଇଁ ସାମାନ୍ୟ ଉଦ୍ୟମ ଆରମ୍ଭ ହୋଇ ନାହିଁ। ଏମିତିକି ଘୁଷୁରିର ଶବ ବ୍ୟବଚ୍ଛେଦ ହୋଇ ନାହିଁ କି ନମୁନା ମଧ୍ୟ ସଂଗ୍ରହ କରାଯାଉନାହିଁ। ସହରରେ କାହିଁକି ଘୁଷୁରି ମଡ଼କ ବ୍ୟାପିଛି ସେ ଦିଗରେ କେହି କିଛି ସ୍ପଷ୍ଟ କହି ପାରୁ ନାହାନ୍ତି। ଏକା ସାଙ୍ଗରେ ବିଭିନ୍ନ ଅଞ୍ଚଳରେ ଘୁଷୁରି ମରିବା ପଛରେ ନିଶ୍ଚିତ କିଛି ଅଜଣା ରୋଗ ଥିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏହି ରୋଗ ଜନବସତିକୁ ବ୍ୟାପିବା ପରେ ସାଧାରଣ ଲୋକେ ଅଜଣା ରୋଗରେ ଆକ୍ରାନ୍ତ ହେଲେ ଏଥିପାଇଁ କିଏ ଦାୟୀ ହେବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବ୍ରହ୍ମପୁର ସହରରେ ଗତ ପ୍ରାୟ  ଏକ ସପ୍ତାହ ହେଲା ବିଭିନ୍ନ ଅଞ୍ଚଳରେ ଘୁଷୁରି ମରିବା ଘଟଣା ନଜରକୁ ଆସୁଛି। ସୁସ୍ଥ ଜଣାପଡ଼ୁଥିବା ଘୁଷୁରି ବିଭିନ୍ନ ସ୍ଥାନରେ ଖାଦ୍ୟ ଅନୁସଂଧ୍ୟାନରେ ଘୁରି ବୁଲୁଛନ୍ତି। କିନ୍ତୁ ସକାଳୁ ଦେଖିବା ବେଳେ ବିଭିନ୍ନ ଅଳିଆ ଗଦା ନିକଟରେ ସେମାନଙ୍କ ମୃତଦେହ ପଡ଼ି ରହୁଛି। ସହରର ୱାର୍ଡ଼ ନମ୍ବର ୪, ୫, ୬, ୧୯, ୨୦, ୨୧ ଓ ୨୨ର ବିଭିନ୍ନ ଅଞ୍ଚଳରେ ଏଭଳି ଘଟଣା ନଜରକୁ ଆସୁଛି। ପ୍ରଥମେ ଆସିକା ରୋଡ଼ ଶ୍ରୀରାମନଗର, ପାଣିଗ୍ରାହୀପେଣ୍ଠ, ଗେଟ୍‌ ବଜାର ଅଞ୍ଚଳରେ ଏଭଳି ଘଟଣା ଲୋକଲୋଚନାକୁ ଆସିଥିଲା। ଏଥିନେଇ ସ୍ଥାନୀୟ ଲୋକେ ବିଏମ୍‌ସିକୁ ଖବର କରିଥିଲେ। ବିଏମ୍‌ସି କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ପ୍ରାଣୀ ଚିକିତ୍ସା ବିଭାଗକୁ ଜଣାଇଥିଲେ। କିନ୍ତୁ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏପରିକି ମଲା ଘୁଷୁରି ଠାବ କରାଯାଇ ନାହିଁ। ବାରମ୍ବାର ଘୁଷୁରି ମଡ଼କ ଘଟଣା ନଜରକୁ ଆସୁଥିବା ବେଳେ ପ୍ରାଣୀ ଚିକିତ୍ସା ବିଭାଗ ତତ୍କାଳ ପଦକ୍ଷେପ ଗ୍ରହଣ କରିବା କଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅତ୍ୟନ୍ତ ହାଲୁକା ଢ଼ଙ୍ଗରେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି କୁହାଯାଇଥିଲା। ବିଡ଼ମ୍ବନାର ବିଷୟ ଆଜି ସୁଦ୍ଧା ନମୁନା ସଂଗ୍ରହ ହୋଇ ନାହିଁ। ଫଳରେ ସହରବାସୀ ବର୍ତ୍ତମାନ ସୁଦ୍ଧା ଘୁଷୁରି ମଡ଼କ କାରଣକୁ ନେଇ ଅନ୍ଧାରରେ ରହିଛନ୍ତି। କାହିଁକି ଏଭଳି ଘୁଷୁରି ମରୁଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ରହସ୍ୟ ଘେରରେ ରହିଛି।

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଦେବରାଜ ବେହେରା ପ୍ରାଣୀ ଚିକିତ୍ସା ବିଭାଗର ଏକ ଟିମ୍‌ ଘୁଷୁରି ମଡ଼କ ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରି ଆସିଥିବା କହିବା ସହ ସେଠାରେ କୌଣସି ଘୁଷୁରିର ମୃତଦେହ ମିଳି ନଥିବା କହିଛନ୍ତି। ଯେଉଁ ଅଞ୍ଚଳରେ ଘୁଷୁରି ମଡ଼କ ଘଟଣା ନଜରକୁ ଆସୁଛି, ତୁରନ୍ତ ପ୍ରାଣୀ ଚିକିତ୍ସା ବିଭାଗର ଦୃଷ୍ଟି ଆକର୍ଷଣ କରିବାକୁ ଲୋକଙ୍କୁ କୁହାଯାଇଥିବା ଡା. ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର