ସୁନ୍ଦରଗଡ଼: ଲୋକେ ଫଳ ଦୋକାନକୁ ଗଲେ ତଟକା ଫଳ ଖୋଜିଥାନ୍ତି। ଆମ୍ବ ହେଉ କି କଦଳୀ ଅବା ସପୁରୀ, ଲିଚୁ, ଡାଳିମ୍ବ ଉପରକୁ ଚିକ୍କଣ ଓ ସତେଜ ଦିଶୁଥିଲେ ତାକୁ ବିନା ଦ୍ବିଧାରେ କିଣି ନିଅନ୍ତି। କିନ୍ତୁ ଉପରେ ଚିକ୍କଣ ଓ ସତେଜ ଦିଶୁଥିବା ଫଳ ଭିତରେ ଯେ ବିଷ ଭରି ରହିଥାଏ, ସେ କଥା କାହାକୁ ମାଲୁମ ନଥାଏ। ସୁନ୍ଦରଗଡ଼ ବଜାରକୁ ଆସିଥିବା ସପୁରି ଓ ଲିଚୁକୁ ନେଇ ଏହି ଅଭିଯୋଗ ଆସିଛି। ସୁପରୀ ଓ ଲିଚୁ ଶୀଘ୍ର ପାଚିବା ଏବଂ ଉପରକୁ ସତେଜ ଦେଖାଇବାକୁ ରାସାୟନିକ ଔଷଧ ପ୍ରୟୋଗ କରାଯାଉଛି। ସୁନ୍ଦରଗଡ଼ ବଜାରରୁ ଆଜି ଏପରି କିଛି ଚିତ୍ର ସାମ୍ନାକୁ ଆସିଥିଲା। ଝାଡ଼ଖଣ୍ଡରୁ ଆସିଥିବା ସପୁରୀକୁ ଏକ ବଡ଼ ହାଣ୍ଡିରେ ଥିବା ରାସାୟନିକ ଔଷଧ ମିଶା ପାଣି ବୁଡ଼ାଇ ଦୋକାନକୁ ପଠାଯାଉଥିବା ଦେଖିବାକୁ ମିଳିଥିଲା।
/sambad/media/post_attachments/wp-content/uploads/2022/05/ac325a39-b21a-4e50-9980-c0dd4ba37c0a-1024x558.jpg)
ସେହିପରି ଝାଡ଼ଖଣ୍ଡରୁ ଆସିଥିବା ଲିଚୁକୁ ଏଠାରେ ଲାଲ ରଙ୍ଗ ଦେଇ ବଜାରରେ ବିକୁଥିବା ଦେଖାଯାଇଛି। ଲୋକେ ଲାଲ୍ ଲିଚୁ ଦେଖି ପାଚିଥିବା ଭାବି କିଣି ନେଉଛନ୍ତି। କିନ୍ତୁ ଏସବୁ ବିଷାକ୍ତ ରାସାୟନିକ ତରଳ ଶରୀର ପାଇଁ କେତେ କ୍ଷତିକାରକ ତାହା କେହି ଜାଣିବାକୁ ଚେଷ୍ଟା କରୁ ନାହାନ୍ତି। ସବୁଠାରୁ ବଡ଼ କଥା ହେଲା, ଏ ସମ୍ପର୍କରେ ଖାଦ୍ୟ ସୁରକ୍ଷା ଅଧିକାରୀ ନିରବ। ଆଜି ଯାଏ ସୁନ୍ଦରଗଡ଼ ବଜାରରେ ବିକ୍ରି ହେଉଥିବା ଫଳ ଖାଦ୍ୟ ଉପଯୋଗୀ କି ନୁହେଁ, ରାସାୟନିକ ତରଳ ବ୍ୟବହାର କରାଯାଇଛି କି ନାହିଁ ତାର ଯାଞ୍ଚ କରିଥିବାର ଗୋଟିଏ ବି ନଜିର ନାହିଁ। ଯାହା ସୁଯୋଗ ନେଇ ଲୋକଙ୍କ ଜୀବନକୁ ପରବାଏ ନକରି ନିଜ ମୁନାଫା ପାଇଁ ବେପାରୀ ବା ଯୋଗାଣକାରୀ ଏପରି ରଙ୍ଗ ଦିଆ, ରାସାୟନିକ ଔଷଧ ଦିଆ ଫଳ ବଜାରକୁ ଛାଡ଼ୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/f03a8320-7294-454a-b5a1-f1f5f0d18740.jpg)
