ରାଉରକେଲା: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ସୁନ୍ଦରଗଡ଼ର ହାତଗଣତି କେତୋଟି ପର୍ଯ୍ୟଟନସ୍ଥଳକୁ ବାଦ୍ ଦେଲେ ଅନ୍ୟଗୁଡ଼ିକରେ ବିକାଶ ପାଦ ଚିହ୍ନ ପଡ଼ିନି। ଜିଲ୍ଲାରେ ଖଣ୍ଡାଧାର ପରେ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ପିତାମହଲ ଡ୍ୟାମ୍ର ସୌନ୍ଦର୍ଯ୍ୟୀକରଣ ପାଇଁ ନିକଟରେ ୪ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି। ବିକାଶମୂଳକ କାମର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ଶେଷ ହୋଇଛି। ହେଲେ ଏଯାଏଁ କାମ ଆରମ୍ଭ ହୋଇନି। କୁହାଯାଉଥିଲା ହକି ବିଶ୍ବକପ୍ ପରେ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହେବ। ପର୍ଯ୍ୟଟନ ଋତୁ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ସୁଦ୍ଧା କାମ ସରିବାକୁ ଲକ୍ଷ୍ୟ ରହିଥିଲା। ହେଲେ ଇତି ମଧ୍ୟରେ ୧୦ ମାସ ବିତିଗଲାଣି କାମରେ ନାଁ ଗନ୍ଧ ନାହିଁ। କେବେ ଆରମ୍ଭ ହେବ ଓ ସରିବ, ବିଭାଗୀୟ ଅଧିକାରୀଙ୍କ ପାଖରେ ସଠିକ୍ ଉତ୍ତର ନାହିଁ। ପୂର୍ବରୁ ପିତାମହଲ ଡ୍ୟାମ୍ରେ ଇକୋ ଟୁରିଜିମ୍ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଶିଶୁ ଉଦ୍ୟାନ ସହ ପର୍ଯ୍ୟଟକମାନେ ଡ୍ୟାମର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଚତୁଃପାର୍ଶ୍ବରେ ସିଟିଂ ଚେୟାରଗୁଡ଼ିକ ନିର୍ମାଣ କରାଯାଇଥିଲା। କରୋନା କଟକଣାରୁ କୋଟି କୋଟି ଟଙ୍କା ବ୍ୟୟରେ ଯେଉଁସବୁ ବିକାଶମୂଳକ କାମ କରାଯାଇଥିଲା, ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳୁଛି। ଏବେ ଡ୍ୟାମର ଆକର୍ଷଣ ବୃଦ୍ଧି କରିବାକୁ ସରକାର ପୁଣି ୪ କୋଟି ଟଙ୍କା ମଞ୍ଜୁରି କରିଛନ୍ତି। ଖର୍ଚ୍ଚ ହେବାକୁ ଯାଉଥିବା ଅର୍ଥର ସଠିକ୍ ବିନିଯୋଗ ହେଲେ ପିତାମହଲ ଡ୍ୟାମର ଆକର୍ଷଣ ନିଶ୍ଚିତ ବଢ଼ିବ। କାରଣ ସୁନ୍ଦରଗଡ଼ର ଜିଲ୍ଲା ବଣାଇଁ ବ୍ଲକ୍ର ଖଣ୍ଡାଧାର ଜଳପ୍ରପାତ, ଲେଫ୍ରିପଡ଼ାର ସରଫଗଡ଼, ବେଦବ୍ୟାସ ଶୈବପୀଠ ପରେ ପିତାମହଲ ଡ୍ୟାମ୍ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ କେନ୍ଦ୍ର ହୋଇଥାନ୍ତା। ଗତବର୍ଷ ଠାରୁ ଏ ବର୍ଷ ଦୁଇଗଣା ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତେ। କେବଳ ଏତିକି ନୁହେଁ ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟଟନସ୍ଥଳଗୁଡ଼ିକୁ ବୁଲିବାକୁ ଦେଶର ବିଭିନ୍ନ ରାଜ୍ୟରୁ ଯେତିକି ଦର୍ଶକ ଆସିଥାନ୍ତି, ତା’ର ପ୍ରାୟ ଏକ ତୃତୀୟାଂଶ ପର୍ଯ୍ୟଟକ ପିତାମହଲ ଡ୍ୟାମ୍କୁ ହିଁ ଯାଇଥାନ୍ତି। ସୌନ୍ଦର୍ଯ୍ୟୀକରଣ ହୋଇ ନଥିବାରୁ ପର୍ଯ୍ୟଟନ ଋତୁ ଆରମ୍ଭରୁ ପର୍ଯ୍ୟଟକ ମୁହଁ ଫେରାଇଲେଣି। ବିଶେଷ ନଭେମ୍ବରରୁ ଫେବ୍ରୁଆରି ଦ୍ବିତୀୟ ସପ୍ତାହ ଯାଏ ପିତାମହଲ ଡ୍ୟାମ୍ରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥାଏ। ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୧୪ ପର୍ଯ୍ୟଟନସ୍ଥଳ ରହିଛି। ଖଣ୍ଡାଧାର ଜଳପ୍ରପାତ, ବେଦବ୍ୟାସ, ଲାଠିକଟାର ଦର୍ଜି, ପତିମହଲ ଡ୍ୟାମ୍, ରାଜଗାଙ୍ଗପୁର ବ୍ଲକର କାଂଶବାହାଲ ଡ୍ୟାମ୍, ମନ୍ଦିରା ଡ୍ୟାମ, ଘୋଘର ଧାମ, କୁଆରମୁଣ୍ଡାର ଆମ୍କୋ ସିମ୍କୋ, ଲେଫ୍ରିପଡାର ସରଫଗଡ, ଉଷାକୋଠୀ, ହନୁମାନବାଟିକା ଆଦି ପର୍ଯ୍ୟଟନସ୍ଥଳ ରହିଛି। କେବଳ ଖଣ୍ଡାଧାର ଜଳପ୍ରପାତ, ପିତାମହଲ ଡ୍ୟାମ୍, ସରଫଗଡ଼, ଆମ୍କୋସିମ୍କୋ ଏମିତି ହାତଗଣତି କେତୋଟି ପର୍ଯ୍ୟଟନସ୍ଥଳକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକରେ ଆଜି ପର୍ଯ୍ୟନ୍ତ ବିକାଶ ହୋଇନି। କେବଳ ସରକାର ପର୍ଯ୍ୟଟନସ୍ଥଳର ମାନ୍ୟତା ଦେଇକାମ ସାରି ଦେଇଛନ୍ତି। ଅନ୍ୟପଟେ ଖଣ୍ଡାଧାରା ଜଳପ୍ରପାତରେ ଦର୍ଶକଙ୍କୁ ଆକୃଷ୍ଣ କରିବାକୁ ସମ୍ବଲପୁର ହୀରାକୁଦ ପରି ରୋପୱେ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଥିଲେ। ପ୍ରକୃତି ନିବାସ, ଅତ୍ୟାଧୁନିକ କ୍ୟାଣ୍ଟିନ୍ ସହ ଅନ୍ୟାନ୍ୟ କାର୍ଯ୍ୟ ହେଲା, କିନ୍ତୁ ରୋପୱେକୁ ପ୍ରକଳ୍ପରୁ ବାଦ୍ ଦିଆଗଲା। ଯାହା ପର୍ଯ୍ୟଟକମାନଙ୍କୁ ନିରାଶ କରିଛି।
ଅଟକିଛି ପିତାମହଲ ଡ୍ୟାମ ସୌନ୍ଦର୍ଯ୍ୟୀକରଣ: ସରିଛି ଡିପିଆର୍, ମଞ୍ଜୁର ହୋଇଛି ୪ କୋଟି
/sambad/media/post_attachments/wp-content/uploads/2023/11/787b3d16-3762-46bb-9fce-18a711a5aca5.jpg)