ବାଲେଶ୍ବର: ବାତ୍ୟା ‘ୟାସ’ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ସବୁଠୁ ଅଧିକ କ୍ଷତି ଘଟାଇବ ବୋଲି ପାଣିପାଗ ବିଭାଗ ସତର୍କ କରାଇବା ପରେ ଚାନ୍ଦିପୁର ସ୍ଥିତ ଡିଆରଡିଓର ଆଇଟିଆର ଏବଂ ପିଏକ୍ସଇ ସହ ଧାମରା ଉପକୂଳରେ ଥିବା କଲାମ ଦ୍ବୀପର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଏନେଇ ଆଜି ଚାନ୍ଦିପୁରଠାରେ ପ୍ରତିରକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାତ୍ୟା ‘ୟାସ’କୁ ମୁକାବିଲା କରିବା ପାଇଁ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଥିଲା।
ଆଇଟିଆରର ଅତିରିକ୍ତ ନିର୍ଦେଶକ ନୀଳାଦ୍ରୀ ରୟଙ୍କ ସୂଚନା ଅନୁଯାୟୀ, ଧାମରା ଠାରୁ ୧୩ କିଲୋମିଟର ଜଳଭାଗ ଭିତରେ ଥିବା କଲାମ ଦ୍ବୀପରେ ପ୍ରାୟ ୧୫୦ ଜଣ କର୍ମଚାରୀ ରହୁଥିବା ବେଳେ ‘ୟାସ’ର ପ୍ରଭାବକୁ ଦୃଷ୍ଟିରେ ରଖି ସେଠାରୁ ଅଧା କର୍ମଚାରୀ ଆଜି ସ୍ଥାନାନ୍ତର କରାଯାଇଛି ଏବଂ ସେଠାରେ ରହୁଥିବା ବାକି କର୍ମଚାରୀଙ୍କୁ ସେଠାରେ ଥିବା ବିଲ୍ଡିଂର ଉପର ମହଲାରେ ରହିବାକୁ ପରାମର୍ଶ ଦିଆଯାଇଛି।
ଏହାବାଦ ସେଠାରେ ରହିଥିବା କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ସମସ୍ତ ଉପକରଣଗୁଡ଼ିକୁ ନିରାପଦ ସ୍ଥାନରେ ରଖାଯାଇଛି। ସେହିପରି ଚାନ୍ଦିପୁରଠାରେ ଆଇଟିଆରର ପ୍ରବେଶ ପଥରେ ୟାସ ପାଇଁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସମୁଦ୍ରପତ୍ତନ ଠାରୁ ୨ କିଲୋମିଟର ଉପରଭାଗରେ ଏହା ଅବସ୍ଥିତ ଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ପଦକ୍ଷେପ ନିଆଯିବାକୁ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଛି। କ୍ଷୟକ୍ଷତିର ମୁକାବିଲା ପାଇଁ ଆଇଟିଆର ଫାୟାର ଓ ୱାର୍କସ୍ ଟିମ୍, ପିଏକ୍ସଇର ଫାୟାର ଓ ୱାର୍କସ ଟିମ୍ ଏବଂ ଅଫିସର୍ସ-କର୍ମଚାରୀମାନେ ରହୁଥିବା କଲୋନି ଇଷ୍ଟେଟ୍ ମ୍ୟାନେଜମେଣ୍ଟ୍ର ଗୋଟିଏ ଲେଖାଏଁ ଟିମ୍କୁ ଆଲର୍ଟ କରାଯାଇଥିବା ଶ୍ରୀ ରୟ ସୂଚନା ମିଳିଛି।