ଚିଟଫଣ୍ଡ କମ୍ପାନୀର ଜବତ ଜମି ବିକ୍ରି ମସୁଧା, ସିବିଆଇ ତଦନ୍ତ ଦାବି

ଖୋର୍ଦ୍ଧା : ସୁପ୍ରିମକୋର୍ଟଙ୍କ ଦ୍ୱାରା ଜବତ ହୋଇଥିବା ଏକ ଚିଟଫଣ୍ଡ କମ୍ପାନୀର ଜମିକୁ କିଛି ଦଲାଲ ବିକ୍ରି କରିବାକୁ ମସୁଧା କରୁଥିବା ଓ ଏନେଇ ବିକ୍ରି କବଲା ଖୋର୍ଦ୍ଧା ସବ୍ରେଜିଷ୍ଟାର କାର୍ଯ୍ୟାଳୟରେ ପଂଜୀକୃତ ହୋଇଥିବା ଘଟଣାରେ ସିବିଆଇ ତଦନ୍ତ କରିବାକୁ କୁମାରବସ୍ତ, କାଂଜିଆମାର କେତେକ ବାସିନ୍ଦା ଦାବି କରିଛନ୍ତି ।
କୁମାରବସ୍ତ ଗାଁର ତ୍ରିଲୋଚନ ଜେନା କହିଛନ୍ତି ଯେ ପିଏସିଏଲ୍ ଲିଃ ମୂଳ କମ୍ପାନୀ ନିଜର ଶାଖା କମ୍ପାନୀ ଏମ୍ଇକେ ଲିଃ ଓ ପରର୍ଲସ୍ ଟୁରିଜମ୍ ଲିଃ ଦ୍ୱାରା ୨୦୦୯ରେ ଖୋର୍ଦ୍ଧାର କାଂଜିଆମା ଓ କୁମାରବସ୍ତ ଗାଁ ନିକଟରେ ୭୦ ଏକର ଜମି କିଣିଥିଲା । ଏହାପରେ କମ୍ପାନୀ ଚିଟଫଣ୍ଡ ଜାଲିଆତିରେ ସମ୍ପୃକ୍ତ ହୋଇଥିଲା । ୨୦୧୪ରେ ସିବିଆଇ ଏନେଇ ତଦନ୍ତ ଆରମ୍ଭ କରିଥିଲା । ୨୦୧୬ ଫେବ୍ରୁଆରୀ ୨ ତାରିଖ ସୁପ୍ରିମକୋର୍ଟ ଏହାର ସମସ୍ତ ସମ୍ପତ୍ତି ସିଜ୍ କରିବା ସହ ଲୋଧା କମିଶନ ଅଧୀନରେ ଏହାର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ ।

ଏହି ସମୟରେ କମ୍ପାନୀ କୌଣସି ସମୟରେ କୋର୍ଟଙ୍କ ବିନା ଅନୁମତିରେ ନିଜର ସମ୍ପତ୍ତି ବିକ୍ରି କରିପାରିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ ।
ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ୪ ଜୁନ୍ ୨୦୧୮ରେ ଜିଲ୍ଲାପାଳଙ୍କୁ ନିଜର ଚିଠି ନମ୍ବର ( ଆର୍ଡିଏମ୍ ଇ ଆର୍ଇଜି-୦୦୩/୨୦୧୭/୨୦୪୦୩) ରେ ଯେଭଳି ସିଲ୍ ହୋଇଥିବା ଜମି ଆଦି ବିକ୍ରି ହେବନାହିଁ ସେନେଇ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ୨୦୨୦ ଅଗଷ୍ଟ ୨୧ ତାରିଖରେ ଖୋର୍ଦ୍ଧା ଉପନିବନ୍ଧକ (ସବ୍ରେଜିଷ୍ଟାର୍)ଙ୍କ କାର୍ଯ୍ୟାଳୟରେ ଏନେଇ ବିକ୍ରି କବଲା (କବଲା ନମ୍ବର ୨୧୮୧)ପଂଜୀକୃତ ହୋଇଛି । କମ୍ପାନୀର ସିଲ୍ ହୋଇଥିବା ଜମିକୁ କେଶବ ଓ ଦୀପକ ନାମକ ଦୁଇଜଣ ବ୍ୟକ୍ତି ଭୁବନେଶ୍ୱର ଜଣେ ବ୍ୟକ୍ତିଙ୍କୁ ୫୦ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚୁକ୍ତି କରିଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି ।

ସେମାନେ କହିଛନ୍ତି ଯେ ବିକ୍ରି କବଲା ପଂଜୀକରଣ ନେଇ ସେମାନେ ଜାଣିନଥିଲେ । କିନ୍ତୁ ଗତ ଦୁଇ-ତିନିଦିନ ପୂର୍ବେ ସମ୍ପୃକ୍ତ ବ୍ୟକ୍ତି ସିଲ ହୋଇଥିବା ଜମିରେ ମାଟି ସମତଳ ଓ ଖୋଳିବା ଆରମ୍ଭ କରିବା ପରେ ଏନେଇ ଜାଣିବାକୁ ପାଇଥିଲେ । ସରକାରଙ୍କ ସ୍ପଷ୍ଟ ନିଦେ୍ର୍ଦଶ ଥିବା ସତ୍ୱେ କିଭଳି ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଏନେଇ ବିକ୍ରି କବଲା ପଂଜୀକୃତ ହେଲା, କିଏ ଏହାକୁ ଅନୁମତି ଦେଲା ସେନେଇ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି ବୋଲି ଗ୍ରାମବାସୀ କହିଛନ୍ତି ।

ସମ୍ବନ୍ଧିତ ଖବର