ଖୁଣ୍ଟିଗୋରା: ନୂତନ ଜଙ୍ଗଲ ସୃଷ୍ଟିର ପରିକଳ୍ପନା କରାଯାଇ ବନ ବିଭାଗ ପକ୍ଷରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାରା ସୃଷ୍ଟି କରାଯାଇଥିଲା। ବନୀକରଣ କରିବା ତ ଦୂରର କଥା ବର୍ଷା ଦିନରେ ବୃକ୍ଷରୋପଣ ପାଇଁ ଲୋକଙ୍କୁ ଚାରା ମଧ୍ୟ ଦିଆଗଲା ନାହିଁ। ଘଣ୍ଟାପଡ଼ା ବନ ବିଭାଗର ଖାମଖିଆଲି ନୀତି ଯୋଗୁଁ ବୃକ୍ଷରୋପଣ ପାଇଁ ଲଗାଯାଇଥିବା ଚାରା ସବୁ ମରିଗଲାଣି। ରକ୍ଷଣା ବେକ୍ଷଣ ଓ ପାଣି ଅଭାବ ଯୋଗୁଁ ଏପରି ଘଟିଥିବା ଅଭିଯୋଗ କରି ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ଘଣ୍ଟାପଡ଼ା ସେକ୍ସନର ଗୁଞ୍ଜେରମାଳ ବିଟ୍‌ ଅଧୀନ ମୁଚେଲପଦର ଗ୍ରାମରେ ୨୦୨୦-୨୧ ବର୍ଷରେ ମନରେଗା ଯୋଜନାରେ ଅସ୍ଥାୟୀ ଚାରା ପ୍ରସ୍ତୁତି କେନ୍ଦ୍ର ନିର୍ମାଣ କରାଯାଇଥିଲା। ୨୦ ହଜାର ଚାରା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖି ୧ ଲକ୍ଷ ୯୪ ହଜାର ୨୦୦ ଟଙ୍କା ବ୍ୟୟରେ ୨୨.୭.୨୦୨୦ରେ କାର୍ଯ୍ୟାରମ୍ଭ ହୋଇଥିଲା। ଶିଶୁ, ଅର୍ଜୁନ, ଗମ୍ଭାରୀ, ନିମ୍ବ, ଖଇର, ବାହାଡା, ବଉଳ, ପଣସ, ବମୁର ଆଦି ଚାରା ପ୍ରସ୍ତୁତ କରାଯାଇ ସେମିତି ହିଁ ଛାଡ଼ି ଦିଆଯାଇଛି। ଫଳରେ ଚାରାଗୁଡ଼ିକ ବର୍ତ୍ତମାନ ଶୁଖି ମରିଗଲାଣି। ୬ଟି ଭିନ୍ନ ଭିନ୍ନ ତାରିଖରେ ୧୬ଜଣ ଶ୍ରମିକଙ୍କ ନାମରେ ୬୨,୧୦୦ ଟଙ୍କା ଉଠାଣ ହୋଇଛି କିନ୍ତୁ କିଛି ଶ୍ରମିକ ନିଜର ପାରିଶ୍ରମିକ ପାଇ ନଥିବା ଜଣାଇବା ସହ କିଛି ଶିଶୁ ଶ୍ରମିକ ନିୟୋଜନ କରାଯାଇଥିବା ଗ୍ରାମବାସୀ କହିଛନ୍ତି।

ସଚେତନତା ଅଭାବରୁ ସୂଚାରୁ ରୂପେ ବଣ୍ଟନ କରାଯାଇ ନଥିବା ଏବଂ ପାଣି ଦିଆନଯିବା ଫଳରେ ନଷ୍ଟ ହୋଇଗଲା ଚାରା। ଏହା ବନ ବିଭାଗର ଦାୟିତ୍ବହୀନତା ଏବଂ ଅବହେଳାକୁ ସୂଚୀତ କରୁନାହିଁ ବରଂ ପ୍ରଦୂଷଣମୁକ୍ତ ସବୁଜ ସୁନ୍ଦର କଣ୍ଟାମାଳ ଅଭିଯାନର ଚାରା ନଷ୍ଟ ହୋଇଥିବା ଏଚିତ୍ର ବୟାନ କରୁଛି। ଏନେଇ ଘଣ୍ଟାପଡ଼ା ବନପାଳ ରଞ୍ଜନ ସେଠୀଙ୍କୁ ପଚରାଯିବାରୁ, ସେସମୟରେ ଦାୟିତ୍ବରେ ଥିବା ବନପାଳ ଓ ବନରକ୍ଷୀଙ୍କ ଅନ୍ୟତ୍ର ବଦଳି ପରେ ମୁଁ ଯୋଗଦେଲି। କିଛି ଚାରା ଲାଗିଛି ଓ କିଛି ନଷ୍ଟ ହୋଇଥିବା ଜାଣିଛି। ଚଳିତ ବର୍ଷ ମରିଯାଇଥିବା ଚାରା ସ୍ଥାନରେ ବିକଳ୍ପ ବ୍ୟବସ୍ଥା କରାଯାଇ ସେହି ଚାରା ରୋପଣ କରାଯିବ ବୋଲି କହିଥିଲେ।