ଜୟପୁର: ଗତ ୩ମାସ ହେବ ଭୁବନେଶ୍ବର-ଜୟପୁର ଚାଲୁଥିବା ଇଣ୍ଡିଆ ୱାନ ଏୟାରର ବିମାନ ଚଳାଚଳ ସବୁ ଦିନ ହେଉନି। ସପ୍ତାହକରେ ୩ଦିନ ଚାଲିଲେ ତିନି ଦିନ ବନ୍ଦ ରହୁଛି। ନୂଆ ରୁଟରେ ବିମାନ ଚଳାଇ ପୁରୁଣା ରୁଟକୁ ବିଡର ଇଣ୍ଡିଆ ୱାନ ଏୟାର ଭୁଲିଯାଉଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଯଦି କଂପାନୀ ନୂଆ ନୂଆ ରୁଟ ପାଉଛି ତେବେ ସେ ଅନୁଯାୟୀ ନୂଆ ବିମାନ ଆଣି ଚଳାଇବା କଥା। ତେବେ କମ୍ପାନୀ ସମାନ ବିମାନକୁ ହିଁ ଗୋଟିଏ ରୁଟରେ ବନ୍ଦ କରି ଅନ୍ୟ ରୁଟରେ ଚଳାଉଛି। ଯନ୍ତ୍ରାଂଶ ସଜାଡ଼ିବା ,ପାଗ ଖରାପ ଏଭଳି ବାହାନା ମଧ୍ୟରେ ବହୁ ଦିନ ବିମାନ ଚଳାଚଳ ବାତିଲ୍ ରହୁଛି। ସାଧାରଣରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଲୋକେ ଆଉ ଏହି ବିମାନକୁ ଭରସା ତୁଟାଇ ଦେଇଛନ୍ତି। ରାଜ୍ୟ ପରିବହନ ବିଭାଗ ଟୁଇଟ୍ କରି ଆଉ ଗୋଟିଏ ବିମାନ ଚଳାଇବ ବୋଲି ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ବି ପାଣିରେ ମିଳେଇ ଗଲାଣି। ଗତ ଜୁଲାଇ ମାସର ଶେଷ ସପ୍ତାହରେ ଦିନକ ପାଇଁ ଆସିଥିବା ବେଳେ ଅଗଷ୍ଟ ମାସରେ ୨,୩,୪,୫,୬,୯,୧୦, ୧୩ ପର୍ଯ୍ୟନ୍ତ ବିମାନ ଚଳାଚଳ କରିଥିଲା। ପୁଣି ୧୬,୧୭, ୨୦, ୨୩,୨୪,୨୭,୩୦ ଓ ୩୧ତାରିଖରେ ଟିକେଟ ସଂରକ୍ଷଣ ପାଇଁ ସାଇଟ୍ ଖୋଲା ରହିଛି। ପୂର୍ବରୁ ୬ଦିନ ଚାଲୁଥିବା ବିମାନ ପରବର୍ତ୍ତୀ କିଛି ଦିନ ପରେ ରବିବାର ଚାଲିବା ଆରମ୍ଭ ହୋଇଥିଲା। ତେବେ ଗତ ୩ମାସ ହେବ କେଉଁ ଦିନ ବିମାନ ଆସିବ ତାହା କହିବା ବି ମୁସ୍କିଲ ହୋଇପଡ଼ିଛି। ଏହି ସ୍ଥିତିରେ ଟିକେଟ କରି ପରବର୍ତ୍ତୀ ସମୟରେ ଟିକେଟ ବାତିଲର ଶିକାର ହୋଇ ହଇରାଣ ହରକତ ହୋଇଥିବା ଯାତ୍ରୀମାନେ ସଂପ୍ରତି ଏହି ବିମାନ ଚଳାଚଳକୁ ନେଇ ସାମାଜିକ ଗଣମାଧ୍ୟମ ଗୁଡିକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଆସନ୍ତାକାଲି ଠାରୁ ଆଉ ୯ଦିନର ବୁକିଂ ପାଇଁ ସାଇଟରେ ପ୍ରଦର୍ଶନ ହେଉନାହିଁ।

Advertisment

publive-image

ଜୟପୁର ବିମାନବନ୍ଦରରେ ଥିବା ଇଣ୍ଡିଆ ୱାନଏୟାରର ଟିକେଟ ବୁକିଂ କେନ୍ଦ୍ରକୁ ଯୋଗାଯୋଗ କରିବାରେ ଆସନ୍ତାକାଲି ସକାଳୁ ହିଁ ତାହା ସ୍ପଷ୍ଟ ହେବ ବୋଲି କହିଥିଲେ। ତେବେ ବିମାନରେ ଯାତ୍ରା କରିବା ପାଇଁ ଲୋକେ ପୂର୍ବ ପ୍ରସ୍ତୁତି କରୁଥିବା ବେଳେ ବିମାନରେ ଆସିବା ପାଇଁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ପୁରୁଣା ରୁଟରେ ଠିକରେ ନ ଚଳାଇ ନୂଆ ରୁଟକୁ ଯିବାକୁ ପ୍ରୟାସ କରିବା ପଛରେ କିଛି ବଡ଼ଧରଣର ରହସ୍ୟ ରହିଛି କି ବୋଲି ବହୁ ଯାତ୍ରୀ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ଉଡାନ ଯୋଜନାରେ ଯାତ୍ରୀଙ୍କ ଟିକେଟ ଭଡ଼ା ଓ ଅନ୍ୟାନ୍ୟ ବାବଦକୁ ସହାୟତା ଦେଇ ଆସୁଛନ୍ତି। ବିଡରଙ୍କର ଏହି ସ୍ଥିତିରେ କ୍ଷତି ହେବାର ସମ୍ଭାବନା ନାହିଁ। ସେଭଳି ଯାତ୍ରୀ ବି ସବୁ ଦିନ ଯିବା ଆସିବା କରୁଛନ୍ତି। ପ୍ରକାଶଯୋଗ୍ୟ, ଇଣ୍ଡିଆ ୱାନ୍ ଏୟାର ଆଣିଥିବା ଆଉ ୨ଟି ବିମାନ ସହ ଏହି ବିମାନ ୩ଟି କୁ ନେଇ ଜାମସେଦପୁର, କଲିକତା ସହ ଜୟପୁର- ଭୁବନେଶ୍ବର, ଜୟପୁର –ବିଶାଖାପାଟଣା ଆଦି ଚଳାଉଛି। ପ୍ରଥମଟି ହିଁ ଝୁଣ୍ଟି ଝୁଣ୍ଟି ଚଳାଚଳ କରୁଥିବା ବେଳେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ସଚିବ ଉଷା ପାଢ଼ୀ ଦ୍ବିତୀୟ ବିମାନ ଚଳାଚଳ କରିବ ବୋଲି କହୁଛନ୍ତି ତାହା କେତେ ଦୂର କାର୍ଯ୍ୟକାରୀ ହେବ ତାହା ସମୟ କହିବ। ପ୍ରଥମଟି ଯେଭଳି ନିୟମିତ ସବୁ ଦିନ ଉଡ଼ାଣ ଭରିବ ସେ ଦିଗରେ ରାଜ୍ୟସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।