ବଲାଙ୍ଗୀରରେ ପ୍ରତିଷ୍ଠା ହେବ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌, ଖର୍ଚ୍ଚ ହେବ ସାଢ଼େ ୨୧ କୋଟି ଟଙ୍କା

ଭୁବନେଶ୍ୱର: ବଲାଙ୍ଗୀରରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌ ପ୍ରତିଷ୍ଠା ହେବ। ଆସନ୍ତା ୩୦ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି। ବଲାଙ୍ଗୀର ପୌରାଞ୍ଚଳ ଅନ୍ତର୍ଗତ ତଲପାଲି ମୌଜାର ସୂର୍ଯ୍ୟନଗର ଠାରେ ଏହି ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌ କାର୍ଯ୍ୟ ହେବ।

ପ୍ରାୟ ଦଶ ଏକରରୁ ଊର୍ଦ୍ଧ୍ବ ପରିମିତ ଅଞ୍ଚଳରେ ନିର୍ମିତ ହେବାକୁ ଥିବା ଏହି ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌ ନିମନ୍ତେ ୨୧.୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ହେବାକୁ ଥିବା ଏହି କେନ୍ଦ୍ର ପରିସରରେ ଏକ ପାର୍କରେ ବିଜ୍ଞାନ ସମ୍ବଳିତ ବିଭିନ୍ନ ନମୁନା ଓ ପ୍ରଦର୍ଶନ ସାମଗ୍ରୀ ରହିବ। ପିଲାମାନଙ୍କ ନିମନ୍ତେ ବିଜ୍ଞାନ କୌତୁକ ପ୍ରସଙ୍ଗ ସମେତ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ପ୍ରାଣୀ ବିଜ୍ଞାନ ବିଷୟ ସଂପର୍କିତ ମତ ବିନିମୟ ନିମନ୍ତେ ବ୍ୟବସ୍ଥା କରାଯିବ। ଅନୁରୂପ ଭାବରେ ପ୍ଲାନେଟାରିୟମ୍‌ରେ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ପାଇଁ ମହାକାଶ ଅଭିଯାନ, ବିଶ୍ୱବ୍ରହ୍ମାଣ୍ଡ ଏବଂ ବିବର୍ତ୍ତନ ଇତ୍ୟାଦି ନେଇ ବିଭିନ୍ନ ପ୍ରଦର୍ଶନ ବ୍ୟବସ୍ଥା ରହିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି।

ଆଜି ମନ୍ତ୍ରୀ ନିର୍ମାଣସ୍ଥଳି ପରିଦର୍ଶନ କରିବାସହ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବିଶଦ ଆଲୋଚନା କରିଛନ୍ତି। ବିଜ୍ଞାନ ଓ କାରିଗରୀ ବିଭାଗର ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଣ୍ଡା ୮ ଜଣ ଭିନ୍ନକ୍ଷମ ଦଂପତିଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ବିବାହ ପ୍ରୋତ୍ସାହନ ସହାୟତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରଶ୍ମିରଂଜନ ସାହୁଙ୍କ ସମେତ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର