ରାଉରକେଲା: ‘ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ପାଇଁ ଏବେ ଜନସଚେତନତା ଆରମ୍ଭ ହେଲାଣି। ଲୋକେ ପରିବେଶ ସୁରକ୍ଷାର ମହତ୍ତ୍ବ ଓ ଗୁରୁତ୍ବକୁ ବୁଝିବା ଆରମ୍ଭ କଲେଣି। ତେବେ ଏହାର ମାତ୍ରା ଆହୁରି ଅଧିକ ହେବାର ଆବଶ୍ୟକତା ରହିଛି। ଖୋଦ୍‌ ବ୍ୟାପକ ସଚେତନତା ସୃଷ୍ଟି ସହ ଅନ୍ୟ ଅନୁଷ୍ଠାନକୁ ପ୍ରେରିତ କରୁଥିବା ‘ସମ୍ବାଦ-ସାହିତ୍ୟ ଘର’ର ପ୍ରୟାସ ଉଲ୍ଲେଖନୀୟ ଓ ଅନୁକରଣୀୟ। ସେହିଭଳି ସ୍ବେଚ୍ଛାସେବୀ ମହିଳାଙ୍କୁ ନେଇ ଗଠିତ ସଂଗଠନ ଏଭଳି ଏକ ପ୍ରୟାସରେ ଯୋଡ଼ିହେବା‌ ପ୍ରେରଣାଦାୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
Advertisment
‘ସମ୍ବାଦ ସାହିତ୍ୟ ଘର’ ଓ ‘ସ୍ମାର୍ଟ‌୍ ଲେଡିଜ୍‌ କ୍ଲବ୍‌(ସେକ୍ଟର-୪)’ର ମିଳିତ ଆନୁକୁଲ୍ୟରେ ବାଜି ରାଉତ ଶିକ୍ଷାନିକେତନ ପରିସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅଧିକ୍ଷଣ ଯନ୍ତ୍ରୀ (ଆର୍‌ ଆଣ୍ଡ୍‌ ବି) ମନୋଜ ମହାନନ୍ଦ, ସ୍କୁଲ ପରିଚାଳନା କମିଟି ସମ୍ପାଦକ ଅକ୍ଷୟ ଜେନା, ଅନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲି ପ୍ରମୁଖ ଯୋଗଦେଇ କହିଲେ, ପରିବେଶ ସୁରକ୍ଷା ହିଁ ବର୍ତ୍ତମାନର ଆବଶ୍ୟକତା। ବ୍ୟାପକମାତ୍ରାରେ ଚାରାରୋପଣ ହିଁ ଏକମାତ୍ର ବିକଳ୍ପ। ଏ ଦିଗରେ ଆଜିର ଯୁବପିଢ଼ିଙ୍କୁ ଅଧିକ ଯତ୍ନବାନ ହେବାକୁ ପଡ଼ିବ। ଯୁବପିଢ଼ି ସ୍ବେଚ୍ଛାକୃତଭାବେ ଆଗେଇ ଆସି ଏନେଇ ପଦକ୍ଷେପ ନିଅନ୍ତୁ। ଏତଦ୍‌ବ୍ୟତୀତ ନିଜ ନିଜ ପରିବାର, ପ୍ରିୟଜନଙ୍କୁ ବୃକ୍ଷରୋପଣର ମାହାତ୍ମ୍ୟ ବିଷୟରେ ସଚେତନକରି ସେମାନଙ୍କୁ ମଧ୍ୟ ଏହି ଅଭିଯାନରେ ସାମିଲ କରନ୍ତୁ। ସାମଗ୍ରିକ ତଥା ଐକ୍ୟବଦ୍ଧ ପ୍ରୟାସ ମାଧ୍ୟମରେ ହିଁ ଏକ ସୁସ୍ଥ ପରିବେଶ ଗଠନର ପରିକଳ୍ପନା ସତ୍ୟତାର ରୂପ ନେଇପାରିବ ବୋଲି କହିଥିଲେ। ଏହି ଅବସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର, ଯଥା-ଔଷଧୀୟ, ଫଳ, ଫୁଲ ଜାତୀୟ ୮୫୦ଟି ଚାରା ରୋପଣ ଓ ବଣ୍ଟନ କରାଯାଇଥିଲା। ଛାତ୍ରଛାତ୍ରୀ ବୃକ୍ଷରୋପଣ ଓ ଏହାର ଯତ୍ନନେବା ତଥା ପ୍ରିୟଜନଙ୍କୁ ଏନେଇ ସଚେତନ କରିବାକୁ ଶପଥ ପାଠ କରିଥିଲେ। ସଚେତନତା ବୈଠକରେ ‘ସ୍ମାର୍ଟ‌୍ ଲେଡିଜ୍‌ କ୍ଲବ୍‌’ର ଲୀନା ନାୟକ ଅଧ୍ୟକ୍ଷତା କରିଥିଲେ। ଶାଶ୍ବତୀ ରାୟ ସ୍ବାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ସଦସ୍ୟା ମମତା ଜେନା, କୌଶଲ୍ୟା ପୃଷ୍ଟି, ଗାୟତ୍ରୀ ମହାନ୍ତି, ପ୍ରୀତି ରାଉତ, କଳ୍ପନା ମହାରଣା, ସଂଯୁକ୍ତା ଶତପଥୀ, ରୀତୁରେଖା ସାହୁ ପ୍ରମୁଖ ବୃକ୍ଷରୋପଣ ଦ୍ବାରା ହେଉଥିବା ବିଭିନ୍ନ ଉପକାରିତା ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ସସ୍ମିତା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶାନ୍ତି ଦାସ, ପ୍ରଭାତୀ ଧଳ, ପୁଷ୍ପାଞ୍ଜଳି, ରଶ୍ମୀତା ଭଞ୍ଜଦେଓ, ସଂଯୁକ୍ତା ତ୍ରିପାଠୀ, ବିମଳା ଦୋରା ପ୍ରମୁଖ ସହଯୋଗ କରିଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣର ଦେବବ୍ରତ ଗଡ଼ତିଆ, ରବି ସିଂହଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍କୁଲର ବିଜୟଲକ୍ଷ୍ମୀ ରାୟ, ଅନ୍ନପୂର୍ଣ୍ଣା ସ୍ବାଇଁ, ରଶ୍ମୀତା ସାମଲ, କଳ୍ପନା ସୂତାର ପ୍ରମୁଖ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।