ଜୟପୁର: ୨ବର୍ଷ ତଳେ ବାରିଣୀପୁଟରୁ ବୋରିଗୁମ୍ମା ପର୍ଯ୍ୟନ୍ତ ୨୬କିମି (ଜାତୀୟ ରାଜପଥ ୨୬)ଏନଏଚ୍ ପ୍ରଶସ୍ତିକରଣ ନାଁରେ ରାସ୍ତା ପାର୍ଶ୍ବରୁ ବହୁ ବର୍ଷ ବର୍ଷ ଧରି ରହିଥିବା ଆମ୍ବ, ବର, ଶାଳ, ଶାଗୁଆନ,ଆକାଶିଆ ଆଦି ୨୪୭୨ଗଛକୁ କାଟି ଦେଇଥିଲେ। ଏହା ପରେ ରାସ୍ତା ଖୁଲାମେଲା ହୋଇଯାଇଥିଲା। ୨ବର୍ଷ ପରେ ମଧ୍ୟ ନୂଆ ଗଛ ଲଗାଯାଇ ନଥିବାକୁ ନେଇ ସମ୍ବାଦରେ ‘‘୨୬ କିମି ରାସ୍ତା ପାଇଁ କାଟି ଦେଲେ ୨୪୭୨ ଗଛ: ଦୁଇ ବର୍ଷ ହେଲା ହୋଇନି ବୃକ୍ଷରୋପଣ, ଖୋଲାମେଲାରେ ଏନ୍ଏଚ୍’’ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟ ପ୍ରକାଶ ପାଇବା ପରେ ଓଡିଶା ବନ ଉନ୍ନୟନ ନିଗମ(ଓଏଫଡିସି) ଜୟପୁର ଡିଭିଜିନ ପକ୍ଷରୁ କଟାଯାଇଥିବା ଗଛର ଦୁଇ ଗୁଣା ୪୯୪୪ଗଛ ମଧ୍ୟରୁ ୪୨୬୧ଟି ଗଛ ଲଗାଇଛି। ବଳକା ୬୮୩ଟି ଗଛ ଏନଏଚ ପକ୍ଷରୁ ଟଙ୍କା ଜମା କରି ନଥିବାରୁ ଲଗାଯାଇ ନଥିବା କହିଛନ୍ତି ଓଡିଶା ବନ ଉନ୍ନୟନ ନିଗମ ଜୟପୁର ଡିଭିଜନର ପରିଚାଳକ ସୌଭାଗ୍ୟ ଆନନ୍ଦ। ସମ୍ବାଦରେ ରିପୋର୍ଟ ପ୍ରକାଶ ପାଇବା ପରେ ଓଡିଶା ବନଉନ୍ନୟନ ନିଗମର ଜୟପୁର ଡିଭିଜନ୍ ପକ୍ଷରୁ ଏନଏଚ୍ ଜୟପୁର ଡିଭିଜନ ଏନଏଚ୍ ନିର୍ବାହୀ ଯନ୍ତ୍ରୀଙ୍କୁ ସୁପ୍ରିମକୋର୍ଟର ନିର୍ଦେଶନାମା ଅନୁଯାୟୀ ଯେତିକି ଗଛ କଟାଯିବ ନୂଆରେ ପୁଣି ଦୁଇ ଗୁଣା ଗଛ ଲଗାଇବାକୁ ପଡ଼ିବ।
ଏହି କ୍ରମରେ କଟାଯାଇଥିବା ୨୪୭୨ଗଛ ବଦଳରେ ୪୯୪୪ଗଛ ଲଗାଇବା ପାଇଁ ଟଙ୍କା ଜମା କରିବାକୁ ଚିଠି କରିଥିଲେ। ତିନି ବର୍ଷ ପର୍ଯ୍ୟନ୍ତ ଗଛକୁ ବଂଚାଇ ରଖିବା , ସାର, କୀଟନାଶକ ଔଷଧ ଆଦି ଓଡିଶା ବନ ଉନ୍ନୟନ ନିଗମ କରିବ ବୋଲି ଚିଠିରେ ଦର୍ଶା ଯାଇଥିଲା। ୪୯୪୪ଟି ଗଛ ପାଇଁ ୬୯ଲକ୍ଷ ୪୪ହଜାର ୭୧୮ଟଙ୍କା ତୁରନ୍ତ ଜମା କରିବାକୁ ଅନୁରୋଧ କରାଯାଇଥିଲା। ତେବେ ଏନଏଚ ପକ୍ଷରୁ ୫୯ଲକ୍ଷ ୮୭ହଜାର ୮୦୯ଟଙ୍କା ଜମା କରିଥିଲେ। ଜମା ଟଙ୍କା ଅନୁଯାୟୀ ୪୨୬୧ଟି ଗଛ ଲଗାସରିଛି ବୋଲି କହିଛନ୍ତି ଓଏଫଡିସି ପରିଚାଳକ।
ବଳକା ୬୮୩ଟି ଗଛ ଲଗାଇବା ପାଇଁ ୯ଲକ୍ଷ ୫୬ହଜାର ୯୦୯ଟଙ୍କା ତୁରନ୍ତ ଜମା କରିବାକୁ ସେ ଏନଏଚର ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି କରିଥିବା କହିଛନ୍ତି। ଏହି ୨୬କିଲୋ ମିଟର ମଧ୍ୟରେ ଓଏଫଡିସି ପକ୍ଷରୁ ଅର୍ଜୁନ, ସିସୋ, ଜାମୁନ, କରଞ, ପାଟୁଲି, ରାଧାଚୁଡ଼ା, କୃଷ୍ଣ ଚୁଢ଼ା, ମହାଗନି, ଗମାରୀ,କଦମ୍ବ, ଚାକୁଣ୍ଡା, ମହାନୀମ ଓସିରସ ଗଛ ୪୨୬୧ଟି ଲଗା ସରିଛି ବୋଲି କହିଛନ୍ତି ଓଏଫଡିସିର ପରିଚାଳକ। ଏହି ସ୍ଥିତିରେ ଏବେ ଏହି ୬୮୩ଟି ଗଛ ଲାଗିବା ପାଇଁ ଏନଏଚ କେବେ ଟଙ୍କା ଜମା କରିବ ଆଉ କେତେ ଦିନ ଲାଗିବ ତାହାକୁ ନେଇ ଉଠିଛି ବିରାଟ ବଡ଼ ପ୍ରଶ୍ନ ।