ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

ଖୋର୍ଦ୍ଧା: ଆଜି ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହର ଉଦ୍ୟାପନୀ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟ ଘର ମଧ୍ୟ ଯୋଡ଼ି ହୋଇଛି। ଆଜି ମଙ୍ଗଳା ମନ୍ଦିର ଓ ମନ୍ଦିର ଛକରୁ ଖୋର୍ଦ୍ଧା ସଂଯୋଗ କରୁଥିବା ରାସ୍ତା କଡ଼ରେ ୩୬ଟି ବିଭିନ୍ନ କିସମର ବୃକ୍ଷ ଚାରାରୋପଣ କରାଯାଇଛି। ଆଜି ସକାଳେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘରର ସଦସ୍ୟମାନେ ଉତ୍ସାହ ସହକାରେ ଯୋଗ ଦେଇଥିଲେ। ନିଜ ଖର୍ଚ୍ଚରେ ବୃକ୍ଷଚାରା ଆଣିବା ସହ ସେଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ବାଡ଼, ଖତ ଆଦିର ବ୍ୟବସ୍ଥା ମଧ୍ୟ କରାଇଥିଲେ। ଏହି ଅବସରରେ ଖୋର୍ଦ୍ଧା ସାହିତ୍ୟଘରର ସଭାପତି ସତ୍ୟବାଦୀ ବଳିଆରସିଂହ ଓ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାରଣା କହିଛନ୍ତି ଯେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନରେ ଜୁନ ୫ ବିଶ୍ୱ ପରିବେଶ ଦିବସରୁ ବୃକ୍ଷ ରୋପଣ ଅଭିଯାନ ଆରମ୍ଭ ହୋଇଛି। ଗତବର୍ଷ ମଧ୍ୟ ଅନୁରୂପ ଭାବେ ମଙ୍ଗଳା ମନ୍ଦିର ଓ ରାସ୍ତାପାଶ୍ୱର୍ରେ ବୃକ୍ଷ ଚାରା ରୋପଣ କରାଯାଇଥିଲା, ସେ ମଧ୍ୟରୁ ୧୮ଟି ଗଛ ବଞ୍ଚିଛି।

ଚଳିତବର୍ଷ ଏହି ରାସ୍ତାର ଉଭୟ ପାଶ୍ୱର୍ରେ ୩୫ ଟି ନିମ୍ବ, ଜାମୁ, କୃଷ୍ଣଚୂଡ଼ା, ଅଁଳା, ବେଲ, ବଉଳ ଆଦି ଗଛ ଚାରା ରୋପଣ କରାଯିବା ସହ ବାଡ଼, ଚାରା ରୋପଣ ପରବର୍ତ୍ତୀ ଖତ ଆଦିର ବ୍ୟବସ୍ଥା ମଧ୍ୟ କରାଯାଇଛି। ପୃଥିବୀକୁ ବଞ୍ଚାଇବାକୁ ବୃକ୍ଷରୋପଣ ଏକ ପ୍ରମୁଖ ପଦକ୍ଷେପ, ଏହି କାର୍ଯ୍ୟ ସମସ୍ତେ କରିବା ଆବଶ୍ୟକ ବୋଲି ଉଭୟ ମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ, କୋଷାଧ୍ୟକ୍ଷ ଇତିଶ୍ରୀ ସାହୁ, ଉପଦେଷ୍ଟା ଡଃ. ବୃନ୍ଦାବନ ପଣ୍ଡା, ସମାଜସେବୀ ରାମଶଙ୍କର, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଡଃ. ପୂର୍ଣ୍ଣଚନ୍ଦ୍ର ପ୍ରହରାଜ, ଶରତଚନ୍ଦ୍ର ପଟ୍ଟନାୟକ, ଜୟନ୍ତ କୁମାର ଦାଶ, ନୃସିଂହ ଚରଣ ପାଇକରାୟ, ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।

ସମ୍ବନ୍ଧିତ ଖବର