ଖୋର୍ଦ୍ଧା: ଚଳିତବର୍ଷ ବନ ବିଭାଗ ପୂର୍ବବର୍ଷ ତୁଳନାରେ ପ୍ରାୟ ୧ଲକ୍ଷ ୪୦ ହଜାର ଅଧିକ ବୃକ୍ଷଚାରା ରୋପଣ କରିବେ। ଚଳିତବର୍ଷ ବୃକ୍ଷଚାରାର ସାଧାରଣ ବଂଟନ ସଂଖ୍ୟାକୁ ହ୍ରାସ କରାଯାଇ ବନ ବିଭାଗ ଉପରେ ଅଧିକ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଯଦିଓ ବୃକ୍ଷଚାରା ରୋପଣ ଓ ବନୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି, କିନ୍ତୁ ଏହାକୁ ନେଇ ପ୍ରକୃତିପ୍ରେମୀ ଓ ପରିବେଶବିଦ୍‌ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

Advertisment

ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୨୦୨୧-୨୨ରେ ୯,୫୪,୯୯୦ ଚାରା ଲାଗିଥିଲା, ୨୦୨୨- ୨୩ରେ ୧୦, ୯୨, ୭୫୦ ଚାରା ଲାଗିବ। ଅର୍ଥାତ୍ ୧ ଲକ୍ଷ ୩୭ ହଜାର ୭୬୦ ଚାରା ଅଧିକ ଲଗାଯିବ। ୨୦୨୧-୨୨ରେ ବନ ବିଭାଗ ପକ୍ଷରୁ ଅପ୍ରାକୃତିକ ପୁନର୍ଜନନ୍‌ (ଏଆର୍) ବୃକ୍ଷରୋପଣ କାର୍ଯ୍ୟକ୍ରମରେ ୪୧.୫ ହେକ୍ଟରରେ ୬୬,୪୦୦ ବୃକ୍ଷ ଚାରା ରୋପଣ କରାଯାଇଥିଲା। ସହାୟ ପ୍ରାକୃତିକ ପୁନର୍ଜନନ୍‌ (ଏଏନ୍ଆର୍) ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମରେ ୩୦୦ ହେକ୍ଟରରେ ୬୦ହଜାର ବୃକ୍ଷଚାରା ରୋପଣ ଓ ରାସ୍ତାକଡ଼ (ଆଭେନ୍ୟୁ) ବୃକ୍ଷରୋପଣରେ ୨୧୭ କିଲୋମିଟର ଦୀର୍ଘ ସଡ଼କରେ ୫୪ହଜାର ୨୫୦ ବୃକ୍ଷ ଚାରା ରୋପଣ କରାଯାଇଥିଲା। ମୋଟାମୋଟି ଭାବେ ବନ ବିଭାଗ ପକ୍ଷରୁ ୧ଲକ୍ଷ ୮୦ହଜାର ୬୫୦ ବୃକ୍ଷ ଚାରା ରୋପଣ କରାଯାଇଥିଲା। ଏହାବ୍ୟତୀତ ଅନ୍ୟ ଘରୋଇ, ସ୍ୱେଚ୍ଛାସେବୀ, ସରକାରୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ୭ଲକ୍ଷ ୬୬ ହଜାର ବୃକ୍ଷଚାରା ବଂଟନ କରାଯାଇଥିଲା। ଚାଷୀଙ୍କ ଅନୁରୋଧରେ ସେମାନଙ୍କ ଜମିରେ ବାଉଁଶ ରୋପଣ କରାଯାଇଥିଲା। ଏଥିରେ,୨୦ ହେକ୍ଟର ଜମିରେ ୮୩୪୦ଟି ବାଉଁଶ ଚାରା ରୋପଣ କରାଯାଇଥିଲା। ଚଳିତବର୍ଷ (୨୦୨୨-୨୩)ରେ ବୃକ୍ଷ ରୋପଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏଥିରେ ସାଧାରଣ ଓ ଅନ୍ୟ ବିଭାଗୀୟ ଯୋଗଦାନକୁ ହ୍ରାସ କରାଯାଇଛି। ଚଳିତବର୍ଷ ୧୬୦ ହେକ୍ଟର ଜମିରେ ୨୩,୮୦୦ ଏଆର୍ ବୃକ୍ଷରୋପଣ, ୧୧୦୫ ହେକ୍ଟର ଜମିରେ ୨୨,୧୦୦ ଏଏନ୍ଆର୍ ବୃକ୍ଷରୋପଣ ଓ ୫୧ କିମି ଦୀର୍ଘ ରାସ୍ତା କଡ଼ରେ ୧୨,୭୫୦ ଆଭେନ୍ୟୁ ବୃକ୍ଷରୋପଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହାସହ ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ସହରାଞ୍ଚଳ ବନୀକରଣ ପାଇଁ ୧୫ ହଜାର ଚାରା ବନ ବିଭାଗ ପକ୍ଷରୁ ରୋପଣ କରାଯିବ ଓ ୧୫ ହେକ୍ଟର ଚାଷ ଜମିରେ ବାଉଁଶ ଗଛ ଲାଗଯିବ। ଅପରପକ୍ଷରେ, ଚଳିତବର୍ଷ ଜନସାଧାରଣ, ଅନ୍ୟ ଅନୁଷ୍ଠାନକୁ ବଂଟନ କରାଯାଇଥିବା ଚାରା ସଂଖ୍ୟା ୬ଲକ୍ଷକୁ ହ୍ରାସ କରାଯାଇଛି। କେତେକ ପରିବେଶବିଦ୍ ପ୍ରଶାସନ ଓ ବନବିଭାଗ ପକ୍ଷରୁ ହେଉଥିବା ବୃକ୍ଷ ଚାରା ରୋପଣ ଓ ବନୀକରଣ କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ସେମାନଙ୍କ ଯୁକ୍ତି ହେଲା, ଗତ ୪-୫ ବର୍ଷର ଜିଲ୍ଳାରେ ଚାଷ ହୋଇପାରୁନଥିବା ଓ ପଡ଼ିଆ , ଚାଷ ଉପଯୋଗୀ ପଡ଼ିଆ ଜମିର ସଂଖ୍ୟାକୁ ଅନୁଶୀଳନ କଲେ ଏହି ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଅପରପକ୍ଷରେ, ଯଦି ବନୀକରଣ ଜଙ୍ଗଲ ଅଂଚଳରେ କରାଯାଉଛି ତେବେ ଘଞ୍ଚ ଜଙ୍ଗଲ ପରିମାଣ ବୃଦ୍ଧି ଘଟିବା କଥା, କିନ୍ତୁ ପଡ଼ିଆ ଓ ଅନାବାଦି ଜମିର ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଘଂଚ ଜଙ୍ଗଲ ସଂଖ୍ୟା କମିବାରେ ଲାଗିଛି। ଯଦି ବୃକ୍ଷରୋପଣ ଓ ବନୀକରଣ କାର୍ଯ୍ୟ ସଠିକ ହୋଇଥାନ୍ତା ତେବେ ଏହାର ବିପରୀତ ହୋଇଥାନ୍ତା। ଏଥିରୁ ସ୍ପଷ୍ଟଯେ ବନୀକରଣ ଓ ବୃକ୍ଷରୋପଣ କାର୍ଯ୍ୟରେ ବ୍ୟାପକ ଅବ୍ୟବସ୍ଥା ଓ ଅନୀୟମିତତା ହେଉଛି। ସୂଚନାଯୋଗ୍ୟ, ୨୦୨୧-୨୨ ପରିସଂଖ୍ୟାନରେ, ଖୋର୍ଦ୍ଧା ଜିଲ୍ଲାର ୨୮୧୩ ବର୍ଗ କିମି ପରିସୀମାରେ ୨୩ ବର୍ଗ କମି ଅଂଚଳରେ ଘଂଚ ଜଙ୍ଗଲ, ୧୯୧ ବର୍ଗ କିମି ଅଂଚଳରେ ମଧ୍ୟମଧରଣ ଘଂଚ ଜଙ୍ଗଲ, ୧୮୦ ବର୍ଗ କିମି ଖୋଲା ଓ ଅନ୍ୟାନ୍ୟ ଜଙ୍ଗଲ ଏଭଳି ମୋଟ ୩୯୪ ବର୍ଗ କିମି ଜଙ୍ଗଲ (୬୨ହଜାର ହେକ୍ଟର) ଅଂଚଳ ରହିଛି। ସେହିଭଳି, ଜିଲ୍ଲାରେ ୮ ହଜାର ହେକ୍ଟର ଚାଷଯୋଗ୍ୟ ପଡ଼ିଆ ଜମି, ୧୫ହଜାର ହେକ୍ଟର ପଡ଼ିଆ ଓ ଚାଷ ଅନୁପଯୁକ୍ତ ଜମି ରହିଛି। ଯଦି ୫ ବର୍ଷ ପୂର୍ବର ତଥ୍ୟକୁ ଅନୁଶୀଳନ କରାଗଲେ, ଜିଲ୍ଲାରେ ଚାଷଯୋଗ୍ୟ ପଡ଼ିଆ ଜମି ସଂଖ୍ୟା ୭ହଜାର ହେକ୍ଟର ଥିବା ବେଳେ ପଡ଼ିଆ ଓ ଚାଷ ଅନୁପଯୁକ୍ତ ଜମି ପରିମାଣ ପ୍ରାୟ ୧୩ ହଜାର ହେକ୍ଟର ଥିଲା।