କୋରାପୁଟ/ନନ୍ଦପୁର: କୋରାପୁଟ ଯୋଗାଣ ବିଭାଗ ପକ୍ଷରୁ ପିଡିଏସରେ ଯୋଗାଣ ହେଉଛି ପ୍ଲାଷ୍ଟିକ୍‌ ଚାଉଳ। କିଛି ଏଭଳି ଅଭିଯୋଗ ଆଣିଛନ୍ତି ହିତାଧିକାରୀ | ପାଣିରେ ପକାଇଲେ ଭାସୁଛି ଏହି ଚାଉଳ। ଚୋବାଇଲେ ଚୁଇଁଗମ୍ କରି ଲାଗୁଛି। ଏନେଇ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ଗ୍ରାମ ପଂଚାୟତରେ ପିଡିଏସ ଚାଉଳଧାରୀ ଦ୍ବନ୍ଦ୍ବରେ ରହିଛନ୍ତି। ଗତକାଲି ସରକାରଙ୍କ ପକ୍ଷରୁ ପିଡ଼ିଏସ ଚାଉଳ ବଣ୍ଟନ କରାଯାଉଥିବା ବେଳେ ସେଥିରୁ ପ୍ଲାଷ୍ଟିକ ଚାଉଳ ବାହାରିଥିବା ସନ୍ଦେହ କରି ସରପଞ୍ଚ ଆଜି ସକାଳେ ଚାଉଳ ବଣ୍ଟନ ବନ୍ଦ କରିବା ପାଇଁ ନିର୍ଦେଶ ଦେବା ସହ ତଦନ୍ତ କରି ଲୋକଙ୍କୁ ଭଲ ଚାଉଳ ବଣ୍ଟନ କରିବା ପାଇଁ ବଣ୍ଟନ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ଗତକାଲିଠାରୁ ଅତଣ୍ଡା ଗ୍ରାମ ପଞ୍ଚାୟତରେ ପିଡ଼ିଏସ ଚାଉଳ ବଣ୍ଟନ କରାଯାଇଥିଲା। ଗତକାଲି ରାତିରେ କିଛି ହିତାଧିକାରୀ ଚାଉଳ ରୋଷେଇ କରିବା ପୂର୍ବରୁ ଚାଉଳ ଧୋଇଥିଲେ। ଚାଉଳ ଧୋଇବା ସମୟରେ କିଛି ହିତାଧିକାରୀଙ୍କ ଚାଉଳ ସମ୍ପୂର୍ଣ ଧଳା ଦେଖାଯିବା ସହ ଚାଉଳ ଭାସୁଥିବା ଦେଖାଯାଇଥିଲା। ଚାଉଳ ଭାସୁଥିବା ଦେଖି ହିତାଧିକାରୀମାନେ ଆଜି ସକାଳେ ସରପଞ୍ଚ ଇରାମଣି ବାଡାମଙ୍କ ନିକଟରେ ଅଭିଯୋଗ କରିବା ପରେ ସରପଞ୍ଚ ଆଜି ସକାଳେ ପିଡ଼ିଏସ ଚାଉଳ ବଣ୍ଟନ କେନ୍ଦ୍ରରେ ପହଞ୍ଚି ଚାଉଳ ବଣ୍ଟନ ବନ୍ଦ କରିବା ସହ ପ୍ଲାଷ୍ଟିକ ଚାଉଳ ମିଶିଛି କି ନାହିଁ ତଦନ୍ତ କରି ଚାଉଳ ବଣ୍ଟନ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏନେଇ ସିଏସଓ ପ୍ରଦୀପ ପଣ୍ଡା କହିଛନ୍ତି ଯେ ଯୋଗାଣ ବିଭାଗ ପକ୍ଷରୁ ଯେଉଁ ଚାଉଳ ଦିଆଯାଇଛି, ସେଥିରେ କୌଣସି ପ୍ଲାଷ୍ଟିକ୍‌ ଚାଉଳ ନାହିଁ। ମିଲିଂ ପରେ କିଛି ଚାଉଳ ଖରାପ ହୋଇଯାଇଥାଏ। ଯଦି ଏହି ଅଞ୍ଚଳରେ କିଛି ଖରାପ ଚାଉଳ ଦିଆଯାଇଥିବ ତେବେ ଏହାକୁ ପରିବର୍ତ୍ତନ କରାଯିବ। କିପରି ଏହି ପୋକରା ଚାଉଳ ଦିଆଯିବନି ସେନେଇ ବ୍ୟବସ୍ଥା‌ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।