କୋରାପୁଟ‌ରେ ଡେଙ୍ଗୁର ପ୍ଲେଟଲେଟ ଚିକିତ୍ସା ପାଇଁ ଦାବି

କୋରାପୁଟ: କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲ ପ୍ରତିଷ୍ଠା ହୋଇଛି। କିନ୍ତୁ ଡେଙ୍ଗୁ ରୋଗର ପ୍ଲେଟଲେଟ ଚିକିତ୍ସା ହୋଇପାରୁନାହିଁ। ଏଥିପାଇଁ ଅନେକ ରୋଗୀ ଚିକିତ୍ସା ପାଇଁ ବିଶାଖାପାଟଣା ଯାଇ ଖର୍ଚାନ୍ତ ହେଉଛନ୍ତି। ତେଣୁ ତୁରନ୍ତ ଏଠାରେ ପ୍ଲେଟଲେଟ ଚିକିତ୍ସା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି।

ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣାରେ ଚିକିତ୍ସିତ ହେଉଥିବା କୋରାପୁଟର ଯୁବ ସାମ୍ବାଦିକ  କୈଳାଶ ନାୟକର ପ୍ଲେଟଲେଟ କମିଯିବାରୁ ଆଜି ତାଙ୍କର ମୃତ୍ୟୁ ହୋଇଛି। ଏପଟେ କୋରାପୁଟ ଜିଲ୍ଳାରେ ଡେଙ୍ଗୁ ରୋଗ ବଢିବା ଆରମ୍ଭ କଲାଣି। ତେଣୁ କୋରାପୁଟ ମେଡିକାଲ କଲେଜରେ ପ୍ଲେଟଲେଟ ଚିକିତ୍ସା ସୁବିଧା ଆରମ୍ଭ ‌କରିବାର ଆବଶ୍ୟକତା ରହିଛି। ଏଠାରେ ପ୍ଲେଟଲେଟ ଚିକିତ୍ସା ଆରମ୍ଭ ହେଲେ ଅନେକ ଲୋକେ ଚିକିତ୍ସା ସେବା ପାଇପାରିବେ।

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ପ୍ଲାଜମା ଫେରସିସ ମେସିନ ରହିଥିବାରୁ ଏଥିରେ ପ୍ଲେଟଲେଟ ସଂଗ୍ରହ କରାଯାଇପାରିବ। କିନ୍ତୁ ମେଡିକାଲ କଲେଜ କର୍ତୁପକ୍ଷ ଙ୍କ ଇଛାଶକ୍ତିର ଅଭାବ କାରଣରୁ ଏଠାରେ ଭିତ୍ତିଭୂମି ଥାଇ ମଧ୍ୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଗରିବ ଲୋକମାନେ ଭଲ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି। ତେଣୁ ଏ ଦିଗରେ ପଦକ୍ଷେପ ନେବାକୁ ଆଜି ଜୟ ‌କୋରାପୁଟର ରାଜେଶ ଯାଦବ, ସାମ୍ବାଦିକ କୀର୍ତ୍ତିଚନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର